୩୩ ପ୍ରଶ୍ନ ପଚାରିବେ ଜନଗଣନା ଅଧିକାରୀ ।

ପ୍ରତି ଘର ବିଷୟରେ ତଥ୍ୟ ସଂଗ୍ରହ କରାଯିବ।

ଭୁବନେଶ୍ବର : ଜନଗଣନା ସମୟରେ ଜନଗଣନାକାରୀ ଅଧିକାରୀମାନେ କ’ଣ ସବୁ ପଚାରିବେ ତାହା ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ହୋଇଛି। ଘର, ପରିବାର ସଦସ୍ୟ, ଗାଡ଼ି, ଆସବାବପତ୍ର ଆଦି ସମ୍ପର୍କରେ ମୋଟ ୩୩ଟି ପ୍ରଶ୍ନ ପଚରାଯିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ଜନଗଣନା ସମୟରେ ପରିବାର ମୁଖ୍ୟଙ୍କୁ ଏହି ୩୩ଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ଓଡ଼ିଶାରେ ଚଳିତ ବର୍ଷ ଏପ୍ରିଲରୁ ମେ’ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବାକୁ ଥିବାବେଳେ ୨୦୨୭ ଫେବୃଆରୀରେ ଦ୍ବିତୀୟ ପର୍ଯ୍ୟାୟ ଜନଗଣନା ହେବ। ପ୍ରଥମ ପର୍ଯ୍ୟାୟରେ ବାସଗୃହ ତାଲିକାଭୁକ୍ତ ଏବଂ ପ୍ରତି ଘର ବିଷୟରେ ତଥ୍ୟ ସଂଗ୍ରହ କରାଯିବ।

ଘର ନମ୍ବର, ଘରର ଚଟାଣ ପାଇଁ ବ୍ୟବହୃତ ମୁଖ୍ୟ ସାମଗ୍ରୀ, ଘରର କାନ୍ଥ ପାଇଁ ବ୍ୟବହୃତ ମୁଖ୍ୟ ସାମଗ୍ରୀ, ଘରର ଛାତ ପାଇଁ ବ୍ୟବହୃତ ମୁଖ୍ୟ ସାମଗ୍ରୀ, ଘରର ବ୍ୟବହାର ଉଦ୍ଦେଶ୍ୟ, ଘରର ଅବସ୍ଥା, ପରିବାର ନମ୍ବର, ପରିବାରରେ ରହୁଥିବା ମୋଟ ବ୍ୟକ୍ତିଙ୍କ ସଂଖ୍ୟା, ପରିବାର ମୁଖ୍ୟଙ୍କ ନାମ, ପରିବାର ମୁଖ୍ୟଙ୍କ ଲିଙ୍ଗ, ପରିବାର ମୁଖ୍ୟ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି/ଅନ୍ୟାନ୍ୟ ବର୍ଗର କି ବୋଲି ପ୍ରଶ୍ନ କରାଯିବ। ସେହିପରି ଘରର ମାଲିକାନା ସ୍ଥିତି, ପରିବାର ପାଖରେ ଥିବା କୋଠରୀ ସଂଖ୍ୟା, ପରିବାରରେ ରହୁଥିବା ବିବାହିତ ଦମ୍ପତିଙ୍କ ସଂଖ୍ୟା, ପାନୀୟ ଜଳର ମୁଖ୍ୟ ଉତ୍ସ, ପାନୀୟ ଜଳ ଉତ୍ସର ଉପଲବ୍ଧତା, ଆଲୋକର ମୁଖ୍ୟ ଉତ୍ସ, ଶୌଚାଳୟର ସୁବିଧା, ଶୌଚାଳୟର ପ୍ରକାର, ଅପରିଷ୍କାର ଜଳ ନିଷ୍କାସନ ପଥ, ସ୍ନାନ ସୁବିଧାର ଉପଲବ୍ଧତା, ରୋଷେଇ ଘର ଏବଂ ଏଲପିଜି/ପିଏନଜି ସଂଯୋଗର ଉପଲବ୍ଧତା, ରୋଷେଇ ପାଇଁ ବ୍ୟବହୃତ ମୁଖ୍ୟ ଜାଳେଣି, ରେଡିଓ, ଟେଲିଭିଜନ, ଇଣ୍ଟରନେଟ ସୁବିଧା, ଲ୍ୟାପଟପ ଓ କମ୍ପ୍ୟୁଟର, ଟେଲିଫୋନ, ମୋବାଇଲ୍ ଫୋନ, ସ୍ମାର୍ଟଫୋନ, ସାଇକଲ, ସ୍କୁଟର, ମୋଟରସାଇକଲ, ମୋପେଡ, କାର, ଜିପ, ଭ୍ୟାନ୍, ପରିବାରରେ ବ୍ୟବହୃତ ମୁଖ୍ୟ ଖାଦ୍ୟ ଶସ୍ୟ ଏବଂ ମୋବାଇଲ ନମ୍ବର ଜନଗଣନା ସମୟରେ ପଚରାଯିବ।

Comments are closed.