ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦରେ ଜଳେଶ୍ୱର ବନ୍ଦ ସମ୍ପୂର୍ଣ୍ଣ ସଫଳ 

• ବିଜେଡିର ୧୨ ଓ କଂଗ୍ରେସର ୮ ଘଣ୍ଟିଆ ବନ୍ଦ ଡାକରା; କ୍ରାଇମବ୍ରାଞ୍ଚ ତଦନ୍ତ ଓ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି

0
ବାଲେଶ୍ୱର, ୨୮ ଅକ୍ଟୋବର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ର ପଶ୍ଚିମବାଡ଼ ପଞ୍ଚାୟତ ଅନ୍ତର୍ଗତ ଦେବକୁମାର ଗାଁର ଜଣେ ୧୪ ବର୍ଷୀୟା ନାବାଳିକାଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦ ଏବଂ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ବୁଧବାର ଜଳେଶ୍ୱର ବନ୍ଦ ପାଳନ କରାଯାଇଛି। ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ୧୨ ଘଣ୍ଟିଆ ଏବଂ କଂଗ୍ରେସ ପକ୍ଷରୁ ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବାବେଳେ ଏହାର ପ୍ରଭାବ ଜଳେଶ୍ୱର ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ଦେଖିବାକୁ ମିଳିଥିଲା। ସିପିଏମ୍ ମଧ୍ୟ ବନ୍ଦକୁ ସମର୍ଥନ ଜଣାଇଥିଲା।
ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ, ମାମଲାର କ୍ରାଇମବ୍ରାଞ୍ଚ ଦ୍ୱାରା ସ୍ୱତନ୍ତ୍ର ତଦନ୍ତ, ପୀଡ଼ିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ପ୍ରଦାନ ଦାବିରେ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ ରାସ୍ତାକୁ ଓହ୍ଲାଇଥିଲେ।
ବିଜେଡି ପକ୍ଷରୁ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ନେତୃତ୍ୱରେ ଆନ୍ଦୋଳନ ହୋଇଥିବାବେଳେ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ପୌରାଧ୍ୟକ୍ଷ ପ୍ରତୀପ କୁମାର ପ୍ରଧାନ, ଜିଲ୍ଲା ପରିଷଦ ଉପସଭାପତି ଅନସୂୟା ମାଝୀ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଶୁଭଲକ୍ଷ୍ମୀ ମାଝୀ, ଲେଲିନ ପ୍ରଧାନ, ଧ୍ରୁବଜ୍ୟୋତି ଗିରି, ଯୁବନେତା ଗୌତମ ପାତ୍ର, ପୂର୍ବତନ ସରପଞ୍ଚ ହରିଶ ଭୂୟାଁ, ବାଲେଶ୍ୱର ପୌରପାଳିକାର କାଉନସିଲର ମୀନା ମହାନ୍ତି ଓ ଉମିଲତା ଦାସ, ଜିଲ୍ଲା ଯୁବ କାର୍ଯ୍ୟକାରୀ ସଭାପତି ଭରତ ଭୂଷଣ ଦାସ, ବିସିଜେଡି ସଭାପତି ହରେକୃଷ୍ଣ ପ୍ରଧାନ, ପତିତପାବନ ପ୍ରଧାନ, ଯୁବନେତା ଆନନ୍ଦ କର, କାଉନସିଲର ସୁରଜ ଚୌରାଶିଆ, ଚିତ୍ତରଞ୍ଜନ ମହାନ୍ତି, ସଞ୍ଜୀବ ପାଳ, ବିଜୟ କାମିଳା, ଶେଖ୍ ଅବଦୁଲ ରହିମ, ଶେଖ୍ ଇସ୍ରାଏଲ, ସମରେନ୍ଦ୍ର ଦାସ, ସମରେନ୍ଦ୍ର ପରିଡ଼ା, ଅମର ବେହେରା, ଭରତ କୁମାର ଦତ୍ତ, ସତ୍ୟ ମହାପାତ୍ର ଓ ଅନନ୍ତ ଦାସ ପ୍ରମୁଖ ବନ୍ଦର ନେତୃତ୍ୱ ନେଇଥିଲେ।
ସେହିପରି କଂଗ୍ରେସ ପକ୍ଷରୁ ସୁଦର୍ଶନ ଦାସ, ଅରୁଣ ଜେନା, ବ୍ଲକ୍ କଂଗ୍ରେସ କମିଟି ସଭାପତି ହେମନ୍ତ ଗିରି, ପୂର୍ବତନ ନଗରପାଳ ସୁନୀଲ କୁମାର ପରିଡ଼ା, ଟାଉନ୍ ସଭାପତି ଜଗଦୀଶ ନନ୍ଦୀ, ଗୋପାଳକୃଷ୍ଣ ଜେନା, ବିଧୁଭୂଷଣ ଦାସ, ସୌଭିକ ଜେନା, ରାଜେଶ ପ୍ରଧାନ, ପୂର୍ବତନ କାଉନସିଲର ତାରକ ଚାନ୍ଦ, ଦୁର୍ଗାଶଙ୍କର ଆସ, ଶେଖ୍ ଅଫସର ଅଲ୍ଲୀ, ପ୍ରହ୍ଲାଦ ସେଠୀ, ସେବାଦଳ ସଭାପତି ଉତ୍ତମ ପାତ୍ର ଓ ଶ୍ରୀକାନ୍ତ ସିଂ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ।
ସିପିଏମ୍ ପକ୍ଷରୁ ସହରରେ ବାଇକ୍ ଶୋଭାଯାତ୍ରା କରାଯାଇ ବନ୍ଦକୁ ସମର୍ଥନ ଜଣାଯାଇଥିଲା। ଏଥିରେ ଦଳର ବରିଷ୍ଠ ନେତ୍ରୀ ତାପସୀ ପ୍ରହରାଜ, ଅକ୍ଷୟ କୁମାର ମିଶ୍ର, ସିତାଂଶୁ ସେନାପତି, ଦିଲ୍ଲୀପ ଗିରି, ବସନ୍ତ ଦାସ, ଦୀପ୍ତିମାନ ଆଚାର୍ଯ୍ୟ, ରବୀନ୍ଦ୍ର ବାରିକ, ଦିଲ୍ଲୀପ ପରିଡ଼ା, ପଲଟୁ ଦାସ, ମମି ପଣ୍ଡା, ସବିତା ଭୂୟାଁ, ଧନଞ୍ଜୟ ପଲାଇ, ଚନ୍ଦନ କାମିଳା, ସୁଶାନ୍ତ ରାଉତ ଓ ସାଇମା ବିବି ପ୍ରମୁଖ ସାମିଲ ହୋଇଥିଲେ।
ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ଡେମୁରିଆଠାରେ ପୂର୍ବତନ ପ୍ରଧାନଶିକ୍ଷକ ମୁରଲୀ ମୋହନ ପ୍ରଧାନ ଓ ସୁଧାଂଶୁ ଶେଖର ପାତ୍ରଙ୍କ ନେତୃତ୍ୱରେ ବନ୍ଦ ପାଳନ କରାଯାଇଥିଲା। ଏହାସହ ଚମାରଗାଁ ପଞ୍ଚାୟତର ଚାଫଲାଠାରେ ମନୋରଞ୍ଜନ ଦେଙ୍କ ନେତୃତ୍ୱରେ ଆନ୍ଦୋଳନ ହୋଇଥିଲା।
ବନ୍ଦ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଜଳେଶ୍ୱର ସହରରେ ପାଞ୍ଚ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବାମଦେବ ନନ୍ଦ, ଡିଏସ୍‌ପି ପ୍ରଜ୍ଞା ମହାନ୍ତି ଓ ଦେବଜ୍ୟୋତି ଦାସ, ଜଳେଶ୍ୱର ଏସ୍‌ଡିପିଓ ସୁରେଶ ତ୍ରିପାଠୀ, ଆଇଆଇସି ମୁକୁନ୍ଦ ମୁରାରି ପାତ୍ର, ଏସ୍‌ଆଇ ବନିତା ଦାସ ଓ ଆଶୁତୋଷ ଜେନା, ଏଏସ୍‌ଆଇ ଧୀରେନ୍ଦ୍ର ସାମଲଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ।
ଘଟଣାର ନିରପେକ୍ଷ ତଦନ୍ତ, ଅଭିଯୁକ୍ତଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ଏବଂ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବି କରି ଆନ୍ଦୋଳନକାରୀମାନେ ଆଗାମୀ ଦିନରେ ମଧ୍ୟ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି।
Leave A Reply

Your email address will not be published.