ଇରାନ-ଆମେରିକା ଯୁଦ୍ଧ ପ୍ରସଙ୍ଗ: ମଧ୍ୟସ୍ଥତା କରିବାକୁ ଆଗ୍ରହୀ ପାକିସ୍ତାନ।

ଇସଲାମାବାଦରେ ୪ ଦେଶର ପ୍ରତିନିଧିଙ୍କ ଆଲୋଚନା।

ଇସଲାମାବାଦ :  ଇରାନ – ଆମେରିକା ଯୁଦ୍ଧ ପ୍ରସଙ୍ଗରେ ପାକିସ୍ତାନର ମଧ୍ୟସ୍ଥତା। ଆରବ, ତୁର୍କି ଓ ଇଜିପ୍ଟ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇସାକ ଡାର। ମଧ୍ୟପ୍ରାଚ୍ୟରେ ଚାରି ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧର ଅନ୍ତ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଆଗେଇ ଆସିଛି ପାକିସ୍ତାନ।

ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇସାକ ଡାର ଏହି ଘୋଷଣା କରି କହିଛନ୍ତି ଯେ, ଆଗାମୀ ଦିନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ହେବ। ତେବେ ଏହି ଆଲୋଚନା ପ୍ରତ୍ୟକ୍ଷ ନା ପରୋକ୍ଷ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ସମ୍ପର୍କରେ ଉଭୟ ପକ୍ଷଙ୍କ ପକ୍ଷରୁ କୌଣସି ବିବୃତ୍ତି ଜାରି କରାଯାଇ ନାହିଁ।

ଗତକାଲି ଇସଲାମାବାଦରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇସାକ ଡାର ଇଜିପ୍ଟ , ଆରବ ଏବଂ ତୁର୍କିର ପ୍ରତିପକ୍ଷଙ୍କୁ ଭେଟିଥିଲେ। ସେପଟେ ଯୁଦ୍ଧ ବନ୍ଦ ଏବଂ ଶାନ୍ତି ପ୍ରତିଷ୍ଠା ନେଇ ଆଲୋଚନା ପାଇଁ କଥାବାର୍ତ୍ତା ସତ୍ୱେ ଆମେରିକା ଆକ୍ରମଣ ପାଇଁ ଗୁପ୍ତ ଷଡଯନ୍ତ୍ର କରୁଥିବା କହିଛନ୍ତି ଇରାନ ସଂସଦର ବାଚସ୍ପତି ଏମବି ଘାଲିବାଫ।

ଯଦି ଆମେରିକା ସୈନ୍ୟ ଅଭିଯାନ କରେ ତେବେ ଏହାର ଫଳ ସେ ଭୋଗିବ ବୋଲି କହିଛନ୍ତି ବାଚସ୍ପତି ଘାଲିବାଫ। ଇରାନର ସେନା ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଇରାନ ପାର୍ଲାମେଣ୍ଟର ବାଚସ୍ପତି। ସମସ୍ତ ଆଲୋଚନା ପରେ ବି ଆକ୍ରମଣ ଜାରି ରହିଛି।

ଗତକାଲି ଇରାନ ବାହାରିନ ଏବଂ ୟୁଏଇର ଆଲୁମିନିୟମ ପ୍ଲାଣ୍ଟ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ମାଡ କରିଥିଲା। ଇସ୍ରାଏଲର ନେଗେଭ ମରୁଭୂମିରେ ଅବସ୍ଥିତ ରାସାୟନିକ କାରଖାନାରେ  କ୍ଷେପଣାସ୍ତ୍ର ମାଡ କରିଥିଲା ଇରାନ।

Comments are closed.