୧୮ ରୁ କଟକରେ ଆନ୍ତର୍ଜାତିକ ବାଣିଜ୍ୟମେଳା: ୧୦ ଦେଶ ଓ ୨୨ ରାଜ୍ୟର ବ୍ୟବସାୟୀ ହେବେ ସାମିଲ

କଟକ: କଟକର ଐତିହାସିକ ବାଲିଯାତ୍ରା ତଳ ପଡ଼ିଆରେ ସେପ୍ଟେମ୍ବର ୧୮ରୁ ୨୮ ତାରିଖ ପର୍ଯ୍ୟନ୍ତ ‘କଟକ-ଆନ୍ତର୍ଜାତିକ ବାଣିଜ୍ୟମେଳା’ ଆୟୋଜିତ ହେବାକୁ ଯାଉଛି। ୧୧ ଦିନ ଧରି ଚାଲିବାକୁ ଥିବା ଏହି ମେଳା ପ୍ରତିଦିନ ଅପରାହ୍ନ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ବୈଦେଶିକ ସାମଗ୍ରୀ ଗୁଡ଼ିକ ମଧ୍ୟରେ ଆଫଗାନିସ୍ତାନର ଶୁଖିଲାଫଳ (ଡ୍ରାଏ ଫ୍ରୁଟ୍ସ), ବାଂଲାଦେଶର ଜାମଦାନୀ ଶାଢ଼ି, ଇରାନର ଖଜୁର ଓ କାର୍ପେଟ୍, ଦୁବାଇର ଅତର, କୋରିଆର ମହିଳା ସାମଗ୍ରୀ, ମ୍ୟାଲେସିଆ ଓ ସିଙ୍ଗାପୁରର ଫାର୍ନିଚର। ଦେଶୀୟ ହସ୍ତଶିଳ୍ପ ମଧ୍ୟରେ କାଶ୍ମୀରି ଗୃହୋପକରଣ, ଭାଗଲପୁରୀ ଓ ବନାରସୀ ଶାଢ଼ି, ଜୟପୁରୀ ପୋଷାକ, ମାର୍ବଲ ମୂର୍ତ୍ତି ଏବଂ ଓଡ଼ିଶାର ପାରମ୍ପାରିକ ହସ୍ତଶିଳ୍ପ। ଓଡ଼ିଶାର ମୁଢ଼ିମାଂସ, କଟକି ଦହିବରା, କର୍ଣ୍ଣାଟକର ଇଡ୍ଲି-ଦୋସା, ରାଜସ୍ଥାନୀ ବ୍ୟଞ୍ଜନ ସହ ଚମ୍ପାରନ୍ ମଟନ୍ ଖାଦ୍ୟ ସମ୍ଭାର ଦେଖିବାକୁ ମିଳିବ। ସାରା ଭାରତର ଏମ୍‌ଏସଏମଇ ବିଭାଗ ଓ ୨୨ଟି ରାଜ୍ୟର ବ୍ୟବସାୟୀ ଏହି ଏସି ପ୍ୟାଭେଲିୟନରେ ନିଜ ନିଜର ସାମଗ୍ରୀ ପ୍ରଦର୍ଶିତ କରିବେ। ପ୍ରତି ସନ୍ଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ପ୍ରାୟ ୫ ଲକ୍ଷରୁ ଅଧିକ ପରିଦର୍ଶକଙ୍କ ସମାଗମ ହେବାର ଆଶା ରହିଛି। କଟକ ବୈଶାଖୀ ବାଣିଜ୍ୟ ମେଳା କମିଟି, ଗୁପ୍ତା ଇଭେଂଟ ମ୍ୟାନେଜମେଂଟ, କମିଶନରେଟ ପୋଲିସ, ଜିଲ୍ଲା ପ୍ରଶାସନ ଓ ସିଏମସିର ମିଳିତ ସହଯୋଗରେ ଏହି ମେଳା ଆୟୋଜିତ ହେଉଛି।

ଏହି ସାମ୍ବାଦିକ ସମ୍ମିଳନୀରେ କଟକ ବୈଶାଖୀ ବାଣିଜ୍ୟମେଳାର ସଂଯୋଜକ ଦେବପ୍ରସାଦ ଦାଶ, ସଂଗ୍ରାମ ବେହେରା, ସାମ୍ବାଦିକ ଶୁଭ୍ରେନ୍ଦୁ କୁମାର ରଥ, କୋଷାଧ୍ୟକ୍ଷ ଦିଲୀପ ସାହୁ, ରମେଶ ଚନ୍ଦ୍ର ସାହୁ, ଗୁପ୍ତା ଇଭେଂଟ ମ୍ୟାନେଜମେଂଟର ପରିଚାଳନା ନିର୍ଦ୍ଦେଶକ ସୁଜିତ୍ ଗୁପ୍ତା, ପାୟଲ ଆଚାର୍ଯ୍ୟ ଗୁପ୍ତା, ପ୍ରମୁଖ କାର୍ଯ୍ୟକ୍ରମ ସଂପର୍କରେ ସବିଶେଷ ସୂଚନା ଦେଇଥିଲେ।

Comments are closed.