ଆର, ଉଦୟଗିରି ୧୪,୭(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ ପକ୍ଷରୁ ବେଆଇନ ଶାଗୁଆନ କାଠ ଚୋରା ଚାଲାଣ ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ଏକ ବଡ଼ ସଫଳତା ମିଳିଛି। ବନ ବିଭାଗର ଏକ ଟିମ୍ ମଧ୍ୟରାତ୍ରିରେ ଚଢ଼ାଉ କରି ବେଆଇନ ଭାବେ ପରିବହନ ହେଉଥିବା ଶାଗୁଆନ କାଠ ବୋଝେଇ ଏକ ଟ୍ରାକ୍ଟର ଓ ଏହାକୁ ଏସ୍କର୍ଟ କରୁଥିବା ଏକ ମୋଟରସାଇକେଲକୁ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି। ବନ ବିଭାଗ ସୂଚନା ଅନୁଯାୟୀ, ମହେନ୍ଦ୍ରଗଡ଼ ସେକ୍ସନ ଅନ୍ତର୍ଗତ ପୋଇପାଣି ବିଟ୍ର ସିଆଲିଲାଟି ପଞ୍ଚାୟତର ହରିଡାବାଡ଼ ଛକ ନିକଟରେ ବେଆଇନ ଶାଗୁଆନ କାଠ ପରିବହନ ହେଉଥିବା ସମ୍ପର୍କରେ ଗୋପନ ସୂଚନା ମିଳିଥିଲା। ଏହାପରେ ମହେନ୍ଦ୍ରଗଡ଼ ସେକ୍ସନର ଫରେଷ୍ଟର ଶ୍ରୀ ମୋଜେଶ ଶବରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ୧୩ ଜୁଲାଇ ବିଳମ୍ବିତ ରାତିରେ ଉକ୍ତ ସ୍ଥାନରେ ଛକି ରହିଥିଲେ। କିଛି ସମୟ ପରେ କାଠ ବୋଝେଇ ଏକ ଟ୍ରାକ୍ଟର (ନଂ– OR 07AA 8350) ଓ ଏହାକୁ ଏସ୍କର୍ଟ କରୁଥିବା ଏକ ହୋଣ୍ଡା ମୋଟରସାଇକେଲ (ନଂ– OD 07AJ 3925)କୁ ବନ କର୍ମଚାରୀମାନେ ଅଟକାଇ ତଲାସି କରିଥିଲେ। ଯାଞ୍ଚ ବେଳେ ଟ୍ରାକ୍ଟରରେ ବେଆଇନ ଭାବେ କଟା ଶାଗୁଆନ ଗୋଲ କାଠ ଓ କାଠ ସାଇଜ ଥିବା ଜଣାପଡ଼ିଥିଲା। ଏହାପରେ କାଠ ସମେତ ଉଭୟ ଗାଡ଼ିକୁ ଜବତ କରାଯାଇ ଘଟଣାସ୍ଥଳରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ସୀମାଞ୍ଚଳ ପାତ୍ର (୫୭), ନାରାୟଣ ସେଠୀ (୨୫) ଏବଂ କାମନା ପାତ୍ର (୨୨)। ସେମାନେ ସମସ୍ତେ ଗଞ୍ଜାମ ଜିଲ୍ଲାର ବାସିନ୍ଦା। ଅଭିଯାନ ସମୟରେ ୭ଟି ଶାଗୁଆନ ଗୋଲ କାଠ, ୭ଟି ଶାଗୁଆନ ସାଇଜ କାଠ, ମୋଟ ୨୬.୯୮ ଘନଫୁଟ (୦.୭୬୪ ଘନମିଟର) ଶାଗୁଆନ କାଠ, ଏକ ଟ୍ରାକ୍ଟର ଓ ଏକ ମୋଟରସାଇକେଲ ଜବତ କରାଯାଇଛି। ଏହି ଘଟଣାରେ ଓଡ଼ିଶା ବନ ଆଇନ–୧୯୭୨ ଏବଂ ଓଡ଼ିଶା ଟିମ୍ବର ଆଣ୍ଡ ଅଦର ଫରେଷ୍ଟ ପ୍ରଡ୍ୟୁସ ଟ୍ରାନଜିଟ୍ ରୁଲ୍ସ–୧୯୮୦ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଗିରଫ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଜବତ କାଠ ଓ ଗାଡ଼ିକୁ ବନ ବିଭାଗ ନିଜ ହେପାଜତରେ ରଖିଛି। ବେଆଇନ କାଠର ଉତ୍ସ ଏବଂ ଏହି ଚୋରା ଚାଲାଣ ରାକେଟରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ସମ୍ପର୍କରେ ତଦନ୍ତ ଜାରି ରହିଛି।
Sign in
Sign in
Recover your password.
A password will be e-mailed to you.