ପାଲଲହଡ଼ା : ଧାନ ଚାଷ ପରେ ପଡ଼ିଆ ପଡ଼ୁଥିବା ଜମିରେ ଏବେ ଫଳିଛି ସୁଆଦିଆ ତରଭୁଜ। ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଳକର ପେଚାମୁଣ୍ଡି ପଞ୍ଚାୟତ ଏବେ ତରଭୁଜ ଚାଷର ହବ୍ ପାଲଟିଛି । ପାରମ୍ପରିକ ଚାଷ ଛାଡ଼ି ଏବେ ‘ଆଇସବକ୍ସ’ ତରଭୁଜ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ସ୍ଥାନୀୟ ଚାଷୀ । କେବଳ ସେତିକି ନୁହେଁ, ଆଗକୁ ଏଠାରେ ପ୍ରୋସେସିଂ ୟୁନିଟ୍ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆଖି ଯୁଆଡ଼େ ବୁଲାଇଲେ, କେବଳ ତରଭୁଜ ଆଉ ତରଭୁଜ। ଏକର ଏକର ଜମିରେ ଫଳିଛି ଲମ୍ବା ଲମ୍ବା ସୁଆଦିଆ ‘ଆଇସବକ୍ସ’ ତରଭୁଜ। ଏ ଦୃଶ୍ୟ ହେଉଛି ଅନୁଗୁଳ ପାଲଲହଡ଼ା ବ୍ଳକ୍ ପେଚାମୁଣ୍ଡି ପଞ୍ଚାୟତ ଶିମିଳିପାଳ ଗାଁର। ୨୦୧୩ ମସିହାରୁ ଏଠାକାର ଚାଷୀ ତରଭୁଜ ଚାଷ କରି ଆସୁଥିଲେ ମଧ୍ୟ ଏବେ ଏହା ସେମାନଙ୍କ ପାଇଁ ସଫଳତାର ସୂତ୍ର ପାଲଟିଛି। ଏହି ଅଞ୍ଚଳ ହାତୀ ପ୍ରବଣ ହୋଇଥିବାରୁ ଚାଷୀମାନେ ଛୋଟ ଛୋଟ ଗ୍ରୁପ୍ କରି ସୋଲାର ବାଡ଼ ଘେରାଇ ମିଳିତ ଭାବେ ଚାଷ କରୁଛନ୍ତି। ଆଗରୁ ଧାନ ପରେ ସୋରିଷ କିମ୍ବା ଡାଲି ଜାତୀୟ ଫସଲରୁ ବିଶେଷ ଲାଭ ମିଳୁନଥିବା ବେଳେ, ଏବେ ତରଭୁଜ ଚାଷରୁ ଏକର ପିଛା ୫୦ ରୁ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ହେଉଥିବା କୁହନ୍ତି ସ୍ଥାନୀୟ ଅଞ୍ଚଳର ଚାଷୀ।
ସ୍ଥାନୀୟ ଅଞ୍ଚଳର ପ୍ରାୟ ୨୩୦ ଜଣ ଚାଷୀ ପ୍ରାୟ ୩୫୦ ଏକର ଜମିରେ ତରଭୁଜ ଚାଷ କରୁଛନ୍ତି। ପୂର୍ବରୁ ‘ଗୋଲ୍ଡ’ କିସମର ତରଭୁଜ ଚାଷ ହେଉଥିବା ବେଳେ ଏବେ ‘ନବକିଷାନ ଫାର୍ମର ପ୍ରଡ୍ୟୁସର୍ସ କମ୍ପାନି’ ସହାୟତାରେ ଅଧିକ ଅମଳକ୍ଷମ ‘ଆଇସ୍ବକ୍ସ’ ତରଭୁଜ ଚାଷ କରାଯାଉଛି। ଏଫ୍ପିଓ ପକ୍ଷରୁ ଚାଷୀଙ୍କୁ ଉନ୍ନତ ବିହନ, ସାର, ଔଷଧ ଯୋଗାଇ ଦିଆଯିବା ସହ ବଜାର ଲିଙ୍କେଜ୍ ମଧ୍ୟ କରାଯାଉଛି। ଫଳରେ ପାଲଲହଡ଼ାର ତରଭୁଜ ଏବେ ଓଡ଼ିଶା ସୀମା ଡେଇଁ ପଶ୍ଚିମବଙ୍ଗ ଓ ଅନ୍ୟ ରାଜ୍ୟକୁ ରପ୍ତାନି ହେଉଛି। ଆଗକୁ ଏହାକୁ ବିଦେଶକୁ ପଠାଇବା ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି।
ବର୍ତ୍ତମାନ ସମଗ୍ର ପାଳଲହଡ଼ା ବ୍ଳକ୍ରେ ପ୍ରାୟ ୭୦୦ ରୁ ୮୦୦ ଏକର ଜମିରେ ତରଭୁଜ ଚାଷ ହେଉଛି। ତେବେ ବଜାରରେ ଛୋଟ ତରଭୁଜର ଚାହିଦା କମ୍ ଥିବାରୁ କିଛି ଫଳ ନଷ୍ଟ ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ଏଠାରେ ଏକ ପ୍ରୋସେସିଂ ୟୁନିଟ୍ ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଯେଉଁଠାରେ ଛୋଟ ତରଭୁଜରୁ ଜୁସ୍, ଚାରମଗଜ ଏବଂ ଟୁଟି-ଫ୍ରୁଟି ତିଆରି କରାଯାଇ ଚାଷୀଙ୍କୁ ଅଧିକ ଲାଭବାନ କରାଯାଇପାରିବ।
Comments are closed.