ହିନ୍ଦୁ କୋଡ୍ ବିଲ୍ ଓ ନାରୀ ସ୍ୱାଧୀନତାର ନୂଆ ଯୁଗ- ଡଃ ବି. ଆର. ଆମ୍ବେଦକର
ପ୍ରଜ୍ଞା ପରିମିତା ମଲ୍ଲିକ୍
ଭାରତର ଇତିହାସରେ ଡଃ ବାବା ସାହେବ ଆମ୍ବେଦକର ଙ୍କ ଅବଦାନ ଏକ ଅଲୋକମୟ ଅଧ୍ୟାୟ। ସେ କେବଳ ଭାରତକୁ Constitution of India ଦେଇଥିବା ଶିଳ୍ପୀ ନୁହଁନ୍ତି , ବରଂ ସମାଜର ଅସମାନତାକୁ ଭାଙ୍ଗି ଏକ ନ୍ୟାୟସଂଗତ ବ୍ୟବସ୍ଥା ଗଢ଼ିବାରେ ଜଣେ ଦୃଷ୍ଟିମାନ ଚିନ୍ତକ। ଏହି ଦୃଷ୍ଟିକୋଣର ସବୁଠାରୁ ପ୍ରବଳ ପ୍ରତିଫଳ ହେଉଛି “ହିନ୍ଦୁ କୋଡ୍ ବିଲ୍”, ଯାହା ଭାରତୀୟ ନାରୀଙ୍କ ଜୀବନରେ ଏକ ମୂଳଗତ ପରିବର୍ତ୍ତନ ଆଣିଥିଲା।
ସ୍ୱାଧୀନତା ପୂର୍ବରୁ ଭାରତୀୟ ସମାଜରେ ନାରୀମାନଙ୍କ ସ୍ଥିତି ଅତ୍ୟନ୍ତ ଅସମାନ ଓ ଅନ୍ୟାୟପୂର୍ଣ୍ଣ ଥିଲା। ସେମାନେ ପରିବାରର ଅଂଶ ହୋଇଥିଲେ ମଧ୍ୟ ଆଇନୀ ଭାବରେ ସ୍ୱତନ୍ତ୍ର ପରିଚୟ ରଖୁନଥିଲେ। ସମ୍ପତ୍ତିରେ ସେମାନଙ୍କର ଅଧିକାର ନଥିଲା, ବିବାହ ତାଙ୍କ ପାଇଁ ଏକ ଅବିଚ୍ଛିନ୍ନ ବନ୍ଧନ ଥିଲା, ଏବଂ ବିଚ୍ଛେଦ କିମ୍ବା ପୁନର୍ବିବାହ ପ୍ରାୟ ଅସମ୍ଭବ ଥିଲା। ପୁରୁଷମାନେ ଏକାଧିକ ବିବାହ କରିପାରୁଥିଲେ, କିନ୍ତୁ ନାରୀଙ୍କ ପାଇଁ କୌଣସି ସ୍ୱାଧୀନତା ନଥିଲା।
ଏହି ପରିପ୍ରେକ୍ଷିତରେ ଡା. ଆମ୍ବେଦକର ହିନ୍ଦୁ ବ୍ୟକ୍ତିଗତ ଆଇନକୁ ଏକ ସମଗ୍ର ଆଧୁନିକ ଆଇନ ରୂପେ ପରିବର୍ତ୍ତନ କରିବାକୁ “ହିନ୍ଦୁ କୋଡ୍ ବିଲ୍” ପ୍ରସ୍ତାବ କରିଥିଲେ (1947-48)। ଏହାର ଲକ୍ଷ୍ୟ ଥିଲା ନାରୀଙ୍କୁ ସମାନ ଅଧିକାର ଦେବା ଓ ପରିବାର ବ୍ୟବସ୍ଥାକୁ ନ୍ୟାୟସଂଗତ କରିବା। କିନ୍ତୁ ସେତେବେଳେ ସମାଜର ପାରମ୍ପରିକ ଶକ୍ତିମାନେ ଏହାକୁ ଘୋର ବିରୋଧ କରିଥିଲେ, ଫଳସ୍ୱରୂପ ଏହି ବିଲ୍ ପାସ୍ ହେବାରେ ବିଳମ୍ବ ହୋଇଥିଲେ ବି ମହାନ ଜନନାୟକ ଡଃ ଆମ୍ବେଦକରଙ୍କ ଚେଷ୍ଟା ବୃଥା ଯାଇନଥିଲା । ପରବର୍ତ୍ତୀ କାଳରେ ଏହି ବିଲ୍ କୁ ଭାଗ କରି 1955 ଓ 1956 ମସିହାରେ ଚାରୋଟି ମୁଖ୍ୟ ଆଇନ ଭାବେ ପ୍ରଚଳିତ କରାଯାଇଥିଲା ଯାହା ହେଉଛି Hindu Marriage Act (1955), Hindu Succession Act (1956), Hindu Minority and Guardianship Act (1956), ଏବଂ Hindu Adoptions and Maintenance Act (1956)।
Hindu Marriage Act, 1955 ଦ୍ୱାରା ବିବାହକୁ ଆଇନୀ ଆଧାରରେ ସ୍ୱୀକୃତି ମିଳିଲା। ପୂର୍ବରୁ ଯେଉଁଠି ପଲିଗାମି ପ୍ରଥା ପ୍ରଚଳିତ ଥିଲା, ସେଠାରେ ଏକପତ୍ନୀ ପ୍ରଥାକୁ ବାଧ୍ୟତାମୂଳକ କରାଯାଇଲା। ବିବାହରେ ଦୁଇ ପକ୍ଷର ସମ୍ମତି ଆବଶ୍ୟକ ହେଲା ଏବଂ ପ୍ରଥମଥର ପାଇଁ ବିଚ୍ଛେଦ (divorce) କୁ ଆଇନୀ ସ୍ୱୀକୃତି ମିଳିଲା। ଏହା ନାରୀଙ୍କୁ ଅନ୍ୟାୟ ଓ ଅସୁଖଦ ଓ ବିବାହରୁ ବାହାରିବାର ରାସ୍ତା ଦେଲା ବା ଛାଡ଼ପତ୍ର ଦେବାର ଅଧିକାର ମିଳିଲା |
Hindu Succession Act, 1956 ନାରୀଙ୍କ ପାଇଁ ଆର୍ଥିକ ସ୍ୱାଧୀନତାର ଦ୍ୱାର ଖୋଲିଦେଲା। ପୂର୍ବରୁ ଯେଉଁଠି ସମ୍ପତ୍ତିର ଅଧିକାର କେବଳ ପୁରୁଷ ମାନଙ୍କ ପାଖରେ ସୀମିତ ଥିଲା, ସେଠାରେ ଏହି ଆଇନ ମହିଳାମାନଙ୍କୁ ସମାନ ଅଧିକାର ଦେଲା ଯାହା ଫଳରେ ମହିଳା ମାନେ ଉତ୍ତରାଧିକାରୀ ହେବାର ସୁଯୋଗ ପାଇଲେ । ବିଧବାମାନେ ମଧ୍ୟ ସମ୍ପତ୍ତିର ଅଧିକାର ପାଇଲେ, ଯାହା ତାଙ୍କ ଜୀବନକୁ ଅଧିକ ସୁରକ୍ଷିତ କଲା।
Hindu Adoptions and Maintenance Act, 1956 ମାଧ୍ୟମରେ ମହିଳାମାନେ ଦତ୍ତକ ନେବାର ଅଧିକାର ପାଇଲେ ଏବଂ ପତିଙ୍କ ଉପରେ ପତ୍ନୀଙ୍କ ଭରଣପୋଷଣର ଆଇନୀ ଦାୟିତ୍ୱ ନିର୍ଦ୍ଧାରିତ ହେଲା। ଏହା ନାରୀଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷାକୁ ଶକ୍ତିଶାଳୀ କଲା।
ତେଣୁ Hindu Minority and Guardianship Act, 1956 ମାଧ୍ୟମରେ ମାତାଙ୍କୁ ମଧ୍ୟ ଶିଶୁଙ୍କ ଆଇନୀ ଅଭିଭାବକ ଭାବେ ସ୍ୱୀକୃତି ଦିଆଯାଇଲା।
ଏହା ସହିତ ନାରୀଙ୍କ କାର୍ଯ୍ୟସ୍ଥଳ ଓ ଆର୍ଥିକ ସମାନତା ପାଇଁ ପରେ କିଛି ଗୁରୁତ୍ୱପୂର୍ଣ୍ଣ ଆଇନ ମଧ୍ୟ ପ୍ରଚଳିତ ହେଲା।
ପୂର୍ବରୁ ମହିଳାମାନେ ସମାନ କାମ କରିଥିଲେ ମଧ୍ୟ ପୁରୁଷମାନଙ୍କ ଠାରୁ କମ୍ ବେତନ ପାଉଥିଲେ। ଏହି ଅନ୍ୟାୟକୁ ଦୂର କରିବା ପାଇଁ Equal Remuneration Act ଆସିଲା, ଯାହା ପୁରୁଷ ଓ ମହିଳାଙ୍କୁ ସମାନ କାମ ପାଇଁ ସମାନ ବେତନ ଦେବାକୁ ବାଧ୍ୟତାମୂଳକ କଲା।
ସେହିପରି ପୂର୍ବରୁ ଗର୍ଭାବସ୍ଥାରେ କାମ କରୁଥିବା ମହିଳାମାନେ କୌଣସି ସୁରକ୍ଷିତ ଛୁଟି କିମ୍ବା ବେତନ ସୁବିଧା ପାଉନଥିଲେ। ଏହି ସମସ୍ୟାକୁ ସମାଧାନ କରିବା ପାଇଁ Maternity Benefit Act ପ୍ରଚଳିତ ହେଲା, ଯାହା ପରେ 2017 ମସିହାରେ ସଂଶୋଧିତ ହୋଇ ମାଟର୍ନିଟି ଲିଭ୍ 26 ସପ୍ତାହ କରାଯାଇଲା।
ଏହି ସମସ୍ତ ଆଇନୀ ପରିବର୍ତ୍ତନ ମାଧ୍ୟମରେ ଡା. ଆମ୍ବେଦକର ଭାରତୀୟ ସମାଜରେ ଏକ ଗଭୀର ପରିବର୍ତ୍ତନ ଆଣିଥିଲେ। ନାରୀମାନେ ଯେଉଁଠି ପୂର୍ବରୁ ଅଧିକାରହୀନ ଏବଂ ଏକ ଅସହାୟ ଜୀବନଯାପନ କରୁଥିଲେ ସେଠାରେ ସେମାନେ ଏବେ ସମାନ ଅଧିକାର ସହିତ ସମ୍ମାନଜନକ ନାଗରିକ ଭାବେ ସ୍ଥାନ ପାଇଲେ । ହିନ୍ଦୁ କୋଡ୍ ବିଲ୍ କେବଳ ଏକ ଆଇନୀ ନୁହେଁ, ଏହା ଏକ ସାମାଜିକ ବିପ୍ଲବ ଥିଲା, ଯାହା ଭାରତରେ ନାରୀ ସମାନତାର ଭିତ୍ତି ସୃଷ୍ଟି କରିଥିଲା। ଡଃ ବି.ଆର ଆମ୍ବେଦକରଙ୍କ ଏହି ଦୃଷ୍ଟି ଆଜି ମଧ୍ୟ ସମାଜକୁ ପ୍ରେରିତ କରୁଛି।ନାରୀ ମାନଙ୍କ ମୁକ୍ତି ପାଇଁ ଅବିରତ ସଂଘର୍ଷ କରି ସମ୍ବିଧାନ ମାଧ୍ୟମରେ ଅଧିକାର ପ୍ରଦାନ କରିଥିବା ସମ୍ବିଧାନ ନିର୍ମାତା ବାବାସାହେବ ଡ଼ ଭୀମରାଓ ଆମ୍ବେଦକର କହିଥିଲେ,”ମୁଁ ଏକ ସମାଜର ପ୍ରଗତିକୁ ସେହି ସମାଜର ନାରୀମାନେ ହାସଲ କରିଥିବା ପ୍ରଗତି ଦ୍ୱାରା ମାପିଥାଏ” | ଅର୍ଥାତ ନାରୀମାନଙ୍କ ପ୍ରଗତି ବିନା ସମାଜର ପ୍ରଗତି ହୋଇପାରିବ ନାହିଁ ଏହା ଆମ୍ବେଦକରଙ୍କ ଦୃଢୋକ୍ତି ଥିଲା | ଏବଂ ନାରୀ ମାନଙ୍କ ଅଧିକାର ପାଇଁ “ହିନ୍ଦୁ କୋଡ଼ ବିଲ୍” ଆଣିବା ସମୟରେ ସେ କହିଥିଲେ,”ନାରୀମାନଙ୍କୁ ସେମାନଙ୍କର ନ୍ୟାୟ ଏବଂ ଅଧିକାର ପ୍ରଦାନ କରିବା ମୋ ପାଇଁ କୌଣସି ରାଜନୈତିକ କାର୍ଯ୍ୟ ନୁହେଁ, ବରଂ ଏହା ଏକ ନୈତିକ ଦାୟିତ୍ୱ”|
ପ୍ରଜ୍ଞା ପରିମିତା ମଲ୍ଲିକ୍
କାକଟପୁର, ପୁରୀ
9437337818