ଗୁଞ୍ଜଉଠେ ସାହାନାଇ

ଅର୍ଜୁନୀ ଚରଣ ବେହେରା

ଭଗବାନଙ୍କର ଲୀଳା ବଡ଼ ବିଚିତ୍ର l ଶ୍ରୀନାରାୟଣ ଭଟ୍ଟତ୍ରିସ୍ୱାମୀ ବିରଚିତ ଶ୍ରୀନାରାୟଣୀୟମ୍ ଗ୍ରନ୍ଥର ଏକ ସ୍ତୋତ୍ରରେ କୁହା ଯାଇଛି,” ବିଚିତ୍ର ରୁପସ୍ଥ୍ୱତ୍ କାହାଲୁ ଅନୁଗ୍ରହମ୍”l ଅର୍ଥ,ଭଗବାନଙ୍କ ପାଖରେ କୌଣସି ଜାତି,ବର୍ଣ୍ଣ,ଧର୍ମର ବିଚାର ନଥାଏ l ସେ କେବଳ ଭକ୍ତିକୁହିଁ ବିଚାରକୁ ନେଇଥାନ୍ତି l ଏହାହିଁ ସାହାନାଇ ଓସ୍ତାଦ୍ ବିସ୍ମିଲ୍ଲା ଖାଁଙ୍କ କ୍ଷେତ୍ରରେ ଘଟି ଥିଲା, ଯାହାଙ୍କ ଚର୍ଚ୍ଚା ବିନା ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କଥା ଅଧୁରା ରହିଯିବ l
ଓସ୍ତାଦ୍ ବିସ୍ମିଲ୍ଲା ଖାଁଙ୍କ ଜୀବନାନୁଭୂତିର ଗୋଟିଏ ଘଟଣା l ବହୁଦିନ ତଳେ ଦିନେ ସେ ପ୍ରୟାଗ କୁମ୍ଭ ମେଳା ସଙ୍ଗୀତ ସମ୍ମିଳନୀରେ ଯୋଗ ଦେବାପାଇଁ ଜାମସେଦପୁରରୁ ବନାରସ ରେଳରେ ଯାତ୍ରା କରୁ ଥାନ୍ତି l ଗୋଟିଏ ଛୋଟ ଷ୍ଟେସନରେ ସୁନ୍ଦର କୃଷ୍ଣ ବର୍ଣ୍ଣର ପିଲାଟିଏ ଉଠିଲା l ପିଲାଟି ହାତରେ ଧରି ଥାଏ ବଇଁଶୀ ଖଣ୍ଡିଏ l ବିସ୍ମିଲ୍ଲାଙ୍କ ନିକଟରେ ବସି ଯାଇ ସେ ଏକ ଅତି ମନୋରମ ରାଗରେ ବଂଶୀ ବଜାଇବାକୁ ଲାଗିଲା l ସେ ଭଳି ଅପୂର୍ବ ଶାସ୍ତ୍ରୀୟ ରାଗ ବିସ୍ମିଲ୍ଲା ଆଗରୁ କେଉଁଠାରେ ଶୁଣି ନଥାନ୍ତି l ସେ ଅପୂର୍ଵମୁର୍ଚ୍ଚନା ଶୁଣି ଓ ବାଳକଟିର ରୂପଭେକ ଦେଖି,ଓସ୍ତାଦଙ୍କ ମନ ଭିତରେ ଉଙ୍କିମାରିଲା ପ୍ରଶ୍ନ ଗୋଟିଏ,”ଇଏ ଆଉ କ’ଣ ସେ ନାଦବ୍ରହ୍ମ କାରୀ, ବଂଶୀଧର ଭଗବାନ ଶ୍ରୀକୃଷ୍ଣ ନୁହଁନ୍ତି ତ !! ମନେ ମନେ ସେ ଭଗବାନଙ୍କୁ ଭକ୍ତିରେ ପ୍ରଣାମଟିଏ କରି ବାଳକଟିର ବଂଶୀ ବାଦନକୁ ତନ୍ମୟ ହୋଇ ଶୁଣି ଚାଲିଥାନ୍ତି l ତାଙ୍କ ନେତ୍ର ଦ୍ବୟରୁ ବହି ଚାଲି ଥାଏ, ପ୍ରେମାଶ୍ରୁ l କିଛିସମୟ ପରେ ସେ ପିଲାଟିକୁ ଡାକି ପକେଟରୁ କିଛି ପଇସା ଯାଚି କହିଲେ,” ବାବୁ ତୁ ସେହି ରାଗଟିକୁ ଆଉ ଥରେ ବଜାଇଲୁ ” l ତାଙ୍କ କଥାରେ,ପିଲାଟି ବାରମ୍ବାର ତାହାକୁ ବଜାଇବାକୁ ଲାଗିଲା l ବିସ୍ମିଲ୍ଲା ମୁଗ୍ଧହୋଇ ଶୁଣୁ ଥାନ୍ତି, ଆଗକୁ ପଡ଼ିଲା ଛୋଟ ଏକ ଷ୍ଟେସନ l ବାଳକଟି ସେଇଠି ଛଟକରି ଓହ୍ଲାଇ ଗଲା l
କୁମ୍ହମେଳାରେ ପହଞ୍ଚି ସେଦିନ ଓସ୍ତାଦ ଖାଁ ସେହି ପିଲା ଠାରୁ ଶିଖିଥିବା ରାଗଟିରେ ସାହାନାଇରେ ଧୂନ୍ ତୋଳିଦେଲେ l ରାଗଟି ସଭିଙ୍କ ମନ ମୋହି ନେଲା l କରତାଳିରେ ଖାଁ ସାହେବଙ୍କୁ ବାରମ୍ବାର ଅନୁରୋଧ ଆସିଲା ସେହି ରାଗକୁ ବଜାଇବାକୁ l ଉପସ୍ଥିତ ସମସ୍ତ ପ୍ରତିଷ୍ଠିତ କଳାକାରମାନେ ଜାଣି ପାରିଲେନାହିଁ ଇଏ କେଉଁ ରାଗ l ଯେତେବେଳେ ଓସ୍ତାଦଙ୍କୁ ପ୍ରଶ୍ନ ପଚରା ଗଲା,ସେ କହିଲେ, ଏହା ହେଉଛି “କହ୍ନେଇରା” ରାଗ l ପର ଦିନ ସମ୍ବାଦ ପତ୍ର ମାନଙ୍କର ପୃଷ୍ଠା ମଣ୍ଡନକଲା ଖାଁ ସାହେବଙ୍କ ଉଦ୍ଭାବିତ “କହ୍ନେଇରା” ରାଗ ବିଷୟ l ସମ୍ବାଦଟି ବଂଶୀବାଦକ ଓସ୍ତାଦ ହରିପ୍ରାସାଦ ଚୌରାସିଆଙ୍କ ଦୃଷ୍ଟି ଆକର୍ଷଣ କଲା l ବିସ୍ମିଲ୍ଲାଙ୍କୁ ଏହି ବିଷୟରେ ପଚାରିବାରୁ, ସେ ତାଙ୍କୁ ସମସ୍ତ ଘଟଣା କହିଲେ l ସେବେ ଠାରୁ ଭାରତୀୟ ସଙ୍ଗୀତ ଶାସ୍ତ୍ରରେ ଏହି କହ୍ନେଇରା ରାଗ ଭଗବାନ ଶ୍ରୀକୃଷ୍ଣଙ୍କ ମୁଖନିସୃତ ରାଗ ଭାବେ ବିଖ୍ୟାତ ହୋଇ ରହିଛି l
ଅନ୍ୟ ଏକ ଘଟଣା, ଛଅ ବର୍ଷ ବୟସରେ ବାଳକ ବିସ୍ମିଲ୍ଲା ତାଙ୍କ ମାମୁଁ ଅଲିବକ୍ସ ଖାଁଙ୍କ ପାଖକୁ ଶିକ୍ଷା ଲାଭ ନିମନ୍ତେ ବାରାଣାସୀ ଚାଲିଗଲେ l ଅଲିବକ୍ସ ଥିଲେ, ଜଣେ ପ୍ରଖ୍ୟାତ ସାହାନାଇ ବାଦକ l କିନ୍ତୁ ବାଳକ ବିସ୍ମିଲ୍ଲାଙ୍କ ପାଠପଢ଼ାରେ ଜମା ମନ ଲାଗୁ ନଥିଲା l ପିଲାମାନଙ୍କ ସହ ସେ ଖେଳିଲାବେଳେ ମାମୁଁଙ୍କ ବାଦ୍ୟକୁ ଗୁଣୁ ଗୁଣଉ ଥାନ୍ତି l ମାମୁଁ ପାଖ ଶ୍ରୀ ବାଲାଜୀ ମହାବିଷ୍ଣୁ ମନ୍ଦିରରେ, ମାସିକ ଚାରି ଟଙ୍କା ବେତନରେ ସାହାନାଇ ସେବା କରୁଥିଲେ l କୌଣସି କୌଣସି ଦିନ ବିସ୍ମିଲ୍ଲା ମାମୁଁଙ୍କ ସାଥିରେ ସେଠାକୁ ଚାଲି ଯାଉଥିଲେ l ମାମୁଁ ସକାଳୁ ଯାଇ ମନ୍ଦିରରେ ସାହାନାଇ ବଜାଇଲା ପରେ ମନ୍ଦିରର ଗୋଟିଏ କକ୍ଷରେ ବସି ଦୈନିକ ପ୍ରାୟ ପାଞ୍ଚ ଘଣ୍ଟା ରିୟାଜ କରୁଥିଲେ,ଏହି ସମୟରେ ବିସ୍ମିଲ୍ଲା ତାଙ୍କ ସମ୍ମୁଖରେ ଧ୍ୟାନ ପୂର୍ବକ ବସି ରହୁଥିଲେ l
ଦିନକର ଘଟଣା,ନିତ୍ୟ ନୈମିତ୍ତିକଭାବେ ସେଦିନ ସନ୍ଧ୍ୟାରେ ଅଲିବକ୍ସ ସାହାନାଇ ବାଦନ କରିବାକୁ ଯଦାଉ ମହା ବିଷ୍ଣୁଙ୍କ ମନ୍ଦିରକୁ ଗଲେ l ସାଙ୍ଗରେ ବିସ୍ମିଲ୍ଲା ମଧ୍ୟ ଯାଇ ଥାନ୍ତି l ତାଙ୍କୁ ମାମୁଁ, ସେହିଦିନ ସେଠାରେ ସାହାନାଇ ବାଦନ ଅଭ୍ୟାସ କରିବାକୁ କହିଲେ,କିନ୍ତୁ ତାଙ୍କୁ ସତର୍କ କରାଇଦେଲେ, ଏଠି ତୁ ଯଦି କିଛି ଅଲୌକିକଘଟଣା ଦେଖିବାକୁ ପାଉ, ତାହା କାହା ଆଗରେ ପ୍ରକାଶ କରିବୁ ନାହିଁ l
ମାମୁଁଙ୍କ କଥା ମାନି ସେ ସେହି କୋଠରିରେ ବସି ଅଭ୍ୟାସ ଆରମ୍ଭ କରିଦେଲେ l ପ୍ରତ୍ୟହ ସେ ଚାରି ପାଞ୍ଚ ଘଣ୍ଟା ଅଭ୍ୟାସ କରୁଥାନ୍ତି l ଏକଦା ଭୋରରୁ ଉଠି ସେ ବସି ଧ୍ୟାନ ପୂର୍ବକ ଅଭ୍ୟାସ ଆରମ୍ଭ କରି ଦେଇଥାନ୍ତି l ତାଙ୍କୁ ହଠାତ ଲାଗିଲା କେହି ଜଣେ ତାଙ୍କ ଆଗରେ ବସି ଯେମିତି ଶୁଣୁଛି l ସେ ଯାଇ ଶ୍ରୀ ବାଲାଜୀଙ୍କ ମୂର୍ତ୍ତିକୁ ଦୃଷ୍ଟି ପକାନ୍ତି ତ ଅନୁଭବ କଲେ,ଶ୍ରୀବାଲାଜି ମୃଦୁମୃଦୁ ହସି ତାଙ୍କୁ କହୁଛନ୍ତି, ବଜାରେ,ବଜାଇଯାଆ l ପ୍ରକୃତରେ ପ୍ରଭୁ ହିଁ ତାଙ୍କ ସମ୍ମୁଖରେ ବସି ଶୁଣୁଥିଲେ l ବିସ୍ମିଲ୍ଲାଙ୍କ ସେହିଦିନ ଠାରୁ ଆରମ୍ଭ ହେଲା ସାହାନାଇ ବାଦନରେ ସିଦ୍ଧି ଓ ଜୟଯାତ୍ରା l ବିସ୍ମିଲ୍ଲା ସେଦିନ ଏ କଥା ମାମୁଁଙ୍କ ପାଖରେ ପ୍ରକାଶ କରିବାରୁ,ମାମୁଁ ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରି କହିଥିଲେ,ତୋତେ ମୁଁ କହିଥିଲି ନାଁ ଏହା କାହାରି ପାଖରେ ପ୍ରକାଶ କରିବୁ ନାହିଁ l
ପ୍ରଥମ ଅବସ୍ଥାରେ ବିସ୍ମିଲ୍ଲା ଜଣେ ମଞ୍ଚ ବାଦ୍ୟକାର ଭାବେ ନିଜ ଗୁଜୁରାଣ ମେଣ୍ଟାଉ ଥିଲେ l ଜାତୀୟ ସ୍ତରରେ ତାଙ୍କୁ ପ୍ରଥମ ପରିଚିତି ମିଳିଥିଲା ୧୯୩୭
ଅଖିଳ ଭାରତୀୟ ସଙ୍ଗୀତ ସମ୍ମିଳନୀ, କଲିକତା ଠାରେ,ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି ଓ ସାହାନାଇ ବଜାଇ ପୃଥିବୀର ଅନେକ ଦେଶ ଭ୍ରମଣ କରିଛନ୍ତି l
ଭାରତର ସ୍ୱାଧୀନତା ପ୍ରାପ୍ତି ଅବସର, ୧୯୪୭ ରେ ସେ ସାହାନାଇର ମଙ୍ଗଳଧୂନ୍ ଶୁଣାଇବାର ବିରଳ ଖ୍ୟାତି ଅର୍ଜନ କରିଛନ୍ତି l ସେବେ ଠାରୁ ପ୍ରତି ବର୍ଷ ସେ ଅଗଷ୍ଟ ପନ୍ଦର ଦିନ ଲାଲ କିଲ୍ଲାରେ ଜାତୀୟ ଝଣ୍ଡା ଉତ୍ତୋଳନ ଅବସରରେ ସାହାନାଇ ବଜାଇ ଆସୁଥିଲେ l ଏହା ପ୍ରଧାନମନ୍ତ୍ରୀଙ୍କ ଭାଷଣ ପରର ମୁଖ୍ୟ ଆକର୍ଷଣ ରହି ଆସିଛି l
ତାଙ୍କ ସାହାନାଇ ବାଦନ ଆକାଶ ବାଣୀ ଓ ଦୂର ଦର୍ଶନରେ ବହୁବାର ପ୍ରଚାରିତହୋଇଛି l ସିନେମା ଗୁଞ୍ଜ ଉଠି ସାହାନାଇରେ ସେ ସାହାନାଇ ବାଦନ କରି ଦର୍ଶକଙ୍କୁ ଚମତ୍କୃତକରିଛନ୍ତି l ତାଙ୍କ ଉପରେ ବୃତ୍ତଚିତ୍ରଟିଏ ପ୍ରସ୍ତୁତ ହୋଇଛି ” ସଙ୍ଗେ ମିଲ ସେ ମୁଲାକାତ”l ଏଥିରେ ଜଣେ ସାଧାରଣ ସାହାନାଇ ବାଦକରୁ ସେ ନିଷ୍ଠା ଏବଂ ସାଧନାବଳରେ କିପରି ଶୀର୍ଷ ସ୍ଥାନରେ ପହଞ୍ଚି ପାରିଛନ୍ତି, ତାହା ପ୍ରଦର୍ଶିତ ହୋଇଛି l ଚିତ୍ରଟିକୁ ନିର୍ମାଣ କରିଥିଲେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଗୌତମ ଘୋଷ l
ଜଣେ ନୈଷ୍ଠିକ ସିଆ ମୁସଲମାନ ହୋଇ, ସର୍ବଦା ସେ ମନୁଷ୍ୟଙ୍କ ମଧ୍ୟରେ ଭ୍ରାତୃତ୍ୱପ୍ରେମକୁ ପ୍ରାଧାନ୍ୟ ଦେଉଥିଲେ l ସେ କହୁ ଥିଲେ ସଂଗୀତ କୌଣସି ସଂକୀର୍ଣ୍ଣ ଜାତି ବର୍ଣ୍ଣ ମଧ୍ୟରେ ସିମୀତ ରହେନାହିଁ l ମୁସଲମାନ ହୋଇ ମଧ୍ୟ, ସେ ମାଆ ସରସ୍ବତୀଙ୍କ ଆରାଧନା କରୁଥିଲେ l ପ୍ରଭୁ ଶ୍ରୀ କାଶିବିଶ୍ୱନାଥଙ୍କ ମନ୍ଦିରରେ ସାହାନାଇବାଦନ ତାଙ୍କର ଥିଲା ନିଶାl ଏତେ ସମ୍ମାନର ଅଧିକାରୀ ହୋଇ ମଧ୍ୟ, ସେ ଅତି ସାଧାରଣ ଜୀବନ ଅତିବାହିତ କରୁଥିଲେ l
ବିସ୍ମିଲ୍ଲାଙ୍କ ପ୍ରତିଭାକୁ ସମ୍ମାନ ଜଣାଇ ତାଙ୍କୁ ନିମ୍ନ ସମ୍ମାନ ମାନଙ୍କରେ ଭୂଷିତ କରାଯାଇଛି :-
୧. ଭାରତ ରତ୍ନ, ୨୦୦୧.
୨. ପଦ୍ମ ବିଭୂଷଣ, ୧୯୮୦.
୩. ପଦ୍ମ ଭୂଷଣ,୧୯୬୮.
୪. ପଦ୍ମଶ୍ରୀ, ୧୯୬୧.
୫. ସଙ୍ଗୀତ ନାଟକ ଏକାଡେମୀ ୧୯୫୬.
୬. ମଧ୍ୟ ପ୍ରଦେଶ ସରକାରଙ୍କ ଠାରୁ ତାନସେନ ପୁରଷ୍କାର l
୭. ଇରାନ ସରକାରଙ୍କ ତଲର ମୋୖଶିକି ସମ୍ମାନ, ୧୯୯୨.
ତାଙ୍କ ମୃତ୍ୟୁ ୨୧ ଅଗଷ୍ଟ, 2006 ରେ ସାରାଦେଶ ଶୋକାଭିଭୁତ ହୋଇ ପଡ଼ିଥିଲା ଓ ଏ ଜାତି ପାଳି ଥିଲା ଗୋଟିଏ ଦିନର ଶୋକ ଦିବସ l ଏକ ଲିମ୍ବ ଗଛ ତଳେ,ତାଙ୍କୁ ବନାରସର ଫତେମିଆଁ କବର ସ୍ଥାନରେ ଫୌଜୀଙ୍କ ତୋପ ସଲାମୀ ସହ କବର ଦିଆଯାଇ ଥିଲା l ମୃତ୍ୟୁଶଯ୍ୟା ନିକଟରେ ଶୁଆଇ ଦିଆଯାଇ ଥିଲା ତାଙ୍କର ପ୍ରିୟ ସାହାନାଇକୁ l
ଏହି ପ୍ରଥିତ ଯଶା ସଙ୍ଗୀତ ସାଧକଙ୍କ ଜନ୍ମ ହୋଇ ଥିଲା ୨୧ ମାର୍ଚ୍ଚ,୧୯୧୬ ରେ ବିହାରର ଭୋଜପୁର ଜିଲ୍ଲା ଦୁମରାଓଁ ଗ୍ରାମରେ ଏବଂ ମୃତ୍ୟୁ ହୋଇଥିଲା ଶିବ ନଗରୀ ବାରାଣାସୀରେ ୨୧ ଅଗଷ୍ଟ,୨୦୦୬ ମସିହାରେ l ତାଙ୍କର ପରିବାର ଥିଲା ଏକ ସମ୍ପୂର୍ଣ୍ଣ ସଙ୍ଗୀତଜ୍ଞ ପରିବାର l ତାଙ୍କ ପିତାଙ୍କ ନାମ ଥିଲା ପୈଗମ୍ବର ବକ୍ସ ଖାଁ ଏବଂ ମାଆଙ୍କ ନାମ ମିଥାନ l ପିଲା ଦିନର ନାମ ତାଙ୍କର ଥିଲା କମରୁଦ୍ଦିନ ଖାଁ l ତାଙ୍କର ପାଞ୍ଚପୁଅ ଥିଲେ ଓ ସେ ସୋମା ଘୋଷଙ୍କୁ ପୋଷ୍ୟା କନ୍ୟା ଭାବେ ଗ୍ରହଣ କରିଥିଲେ l ତାଙ୍କ ପିତା ମାତାଙ୍କର ସେ ଦ୍ୱିତୀୟ ପୁତ୍ର ଥିଲେ l ତାଙ୍କ ଗୋସ ବାପା ରସୁଲ ବକ୍ସ ଖାଁ କମରୁଦ୍ଦିନଙ୍କୁ ପିଲା ବେଳେ ଦେଖି ବିସ୍ମିଲ୍ଲା,ବିସ୍ମିଲ୍ଲା କହୁଥିଲେ,ଏଥିରୁ କମରୁଦ୍ଦିନ ପରିଚିତ ହୋଇ ଗଲେ ବିସ୍ମିଲ୍ଲା ଖାଁନ୍ ବୋଲି l ପୂର୍ବରୁ ସାହାନାଇ ପରିଚିତି ଥିଲା, ଏକ ମାଙ୍ଗଳିକ ବାଦ୍ୟ ରୂପେ l ଓସ୍ତାଦ ବିସ୍ମିଲ୍ଲା ଖାଁ ହିଁ ସାହାନାଇକୁ ଶାସ୍ତ୍ରୀୟ ବାଦ୍ୟ ମର୍ଯ୍ୟାଦା ବିମଣ୍ଡିତ କରାଇ ଥିଲେ l ବାସ୍ତବରେ ଭଗବାନ ହିଁ ବିସ୍ମିଲ୍ଲା ଖାଁଙ୍କ କଣ୍ଠରେ ସାହାନାଇର ମଧୁ ମୂର୍ଚ୍ଛନା ତୋଳି ଦେଇଥିଲେ l
ତେରେ ମେରେ ସାଦି ସିଧି ଶାଦି
ଗୁଞ୍ଜ ଉଠି ସାହାନାଇରେ l
ଇନ ସବ କା କ୍ୟା କାମ ଉହାଁ
ଯହାଁ ଶ୍ୟାମ ନେ ବଂଶୀ ବଜାଇରେ ll
🙏🙏🙏
ଅର୍ଜୁନୀ
———–
ମୋ -୭୬୯୩୦୯୧୯୭୧

Comments are closed.