ଗୁଣି ଗାରେଡ଼ି ସନ୍ଦେହରେ ମରଣାନ୍ତକ ଆକ୍ରମଣ ଘଟଣା: ଏତଲାକାରୀ ମହିଳାଙ୍କୁ ହତ୍ୟା

କବିସୂର୍ଯ୍ୟନଗର: ଗୁଣି ଗାରେଡ଼ି ସନ୍ଦେହରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ପତ୍ନୀଙ୍କୁ ପିଟିପିଟି ମାରି ଦିଆଯାଇଥିବାର ଖବର ମିଳିଛି। ଏବେ ବି ମହିଳାଙ୍କ ମୃତଦେହ ଘରେ ପଡ଼ିରହିଛି। ସେ ଥାନାରେ ଏତଲା ଦେଇଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମାଧିଆପଲ୍ଲୀ ଗ୍ରାମରେ। ଗ୍ରାମର ରାଜେନ୍ଦ୍ର ନାହାକ ବାଘୁଆ ନଦୀରୁ ଗାଧୋଇ ଫେରୁଥିବା ବେଳେ କିଛି ଗ୍ରାମବାସୀ ତାଙ୍କୁ ଉଠାଇ ନେଇ ଆକ୍ରମଣ କରିଥିଲେ। ରାଜେନ୍ଦ୍ର ସହିତ ଗ୍ରାମର ଅନ୍ୟ ତିନିଜଣ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି।

ଜଣକୁ ପ୍ରେତାତ୍ମା ଲାଗିବା ପରେ ସେ ଗ୍ରାମର ଚାରିଜଣ ଗୁଣିଆଙ୍କ ନାମ ପ୍ରକାଶ କରିଥିଲା। ଏହାପରେ ଲୋକ ସେହି ଚାରିଜଣଙ୍କୁ ଖୋଜି ମରଣାନ୍ତକ ଆକ୍ରମଣ କରିଛନ୍ତି। କୌଶଳ କ୍ରମେ ରାଜେନ୍ଦ୍ର ଗାଁ ବାହାରକୁ ଦୌଡ଼ି ପଳାଇବାରେ ସମର୍ଥ ହେବା ପରେ ପୁଲିସ ତାଙ୍କୁ ଉଦ୍ଧାର କରି ଆସିକା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅଟକ ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରିବା ପାଇଁ କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ ୪ପ୍ଲାଟୁନ ପୁଲିସ ସହ ଗ୍ରାମରେ ଚଢ଼ାଉ କରିଥିଲେ। ଏହି ମାମଲାରେ ୯ ଜଣଙ୍କୁ ଥାନାରେ ଅଟକ ରଖାଯାଇଛି।

Comments are closed.