ନବରଙ୍ଗପୁର ( ୧୭/୨): ଜଣେ ଛାତ୍ର ବତ୍ସଳ ଅଧ୍ଯାପକ, ସୁବକ୍ତା, ଗଦ୍ଯକାର,ଔପନ୍ଯାସିକ ,ଭାଷାବିତ୍ ତଥା ସୃଜନଶୀଳ ନାଟ୍ଯକାର ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବ୍ଯକ୍ତିତ୍ବ ଅଧ୍ଯାପକ ଗୋପାଳ ମହାରଣା ।ସଂପ୍ରତି ଝରିଗାଁ ମହାବିଦ୍ଯାଳୟ,ଝରିଗାଁରେ ଓଡିଆ ଭାଷା ଓ ସାହିତ୍ଯ ବିଭାଗର ଅଧ୍ଯାପକ ଭାବେ କାର୍ଯ୍ଯରତ ଶ୍ରୀଯୁକ୍ତ ମହାରଣା ନିଜର କୃତି ଓ କୃତିତ୍ବ ପାଇଁ ସାହିତ୍ଯ ଜଗତରେ ବେଶ୍ ପରିଚୟ ସୃଷ୍ଟି କରିପାରିଛନ୍ତି ।ଅଶିଏରୁ ଊର୍ଦ୍ଧ୍ବ ନାଟକ,ପାଞ୍ଚଟି ପାଠ୍ଯ ପୁସ୍ତକ,ତିନୋଟି ଉପନ୍ଯାସ,ବହୁ କ୍ଷୁଦ୍ର ଗଳ୍ପ,ରମ୍ଯରଚନା,ପ୍ରବନ୍ଧ ଓ ଶତଧିକ କବିତା ରଚନା କରି ସେ ସାହିତ୍ଯ ଜଗତକୁ ସମୃଦ୍ଧ କରିଛନ୍ତି ।ଜଣେ ସଫଳ ନାଟ୍ଯକାର ଭାବେ ସୁନାମ ଅର୍ଜନ କରିଥିବା ଶ୍ରୀଯୁକ୍ତ ମହାରଣା ବହୁବାର ବିଭିନ୍ନ ଅନୁଷ୍ଠାନରୁ “ଶ୍ରେଷ୍ଠ ନାଟ୍ଯକାର”ଭାବେ ସମ୍ବର୍ଦ୍ଧିତ ହୋଇଛନ୍ତି ।ନାଟ୍ଯଜଗତର ଉଜ୍ଜ୍ବଳ ତାରକା ଭାବେ ଦର୍ଶକଙ୍କ ହୃଦୟରେ ସ୍ଥାନ ପାଇଥିବା ବିଶିଷ୍ଟ ନାଟ୍ଯକାର ଗୋପାଳ ମହାରଣା ଙ୍କ ପତ୍ନୀ ଶ୍ରୀମତୀ ମଧୁସ୍ମିତା ମହାରଣା ମଧ୍ଯ ଜଣେ ମହିଳା ମଞ୍ଚ ନାଟକ ନିର୍ଦ୍ଦେଶିକା ଭାବେ ପରିଚିତ ।ଏକମାତ୍ର କନ୍ଯା ସାଇ ଅନୁଷ୍କା ମହାରଣା ମଧ୍ଯ ଜଣେ ଶ୍ରେଷ୍ଠ ଶିଶୁ କଳାକାର ଭାବେ ପରିଚୟ ସୃଷ୍ଟି କରିଛନ୍ତି ।ଅତଃ “ବିଦ୍ଯାକନକ ନାଟ୍ଯ ଦମ୍ପତ୍ତି “ଭାବେ ସମ୍ବର୍ଦ୍ଧନା ପାଇବାର ଗୌରବ ଅର୍ଜନ କରିଛନ୍ତି ।ସଂପ୍ରତି ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସ୍ନାତକ ବିଜ୍ଞାନ ମହାବିଦ୍ଯାଳୟ,କଙ୍କୋରଡା ,ଓଡିଆ ଭାଷା ଓ ସାହିତ୍ଯ ବିଭାଗ ଆନୁକୂଲ୍ଯରେ ଆୟୋଜିତ ଏକ ଦିବସୀୟ ଜାତୀୟ ସଂପାନର ଶୁଭଅବସରରେ ଅଧ୍ଯାପକ ଗୋପାଳ ମହାରଣାଙ୍କ ସାମଗ୍ରୀକ ନାଟ୍ଯକୃତି ତଥା ସାରସ୍ବତ ପ୍ରତିଭାକୁ ବିଶେଷ ସମ୍ମାନ ପ୍ରଦର୍ଶନ ପୂର୍ବକ ତାଙ୍କୁ “ନାଟ୍ଯ ବିଭୂଷଣ”ସମ୍ମାନରେ ସମ୍ମାନିତ କରାଯାଇଛି ।ବିଭାଗୀୟ ଅଧ୍ଯାପକ ସିଲୁ ମଣ୍ଡଳ ଓ ସୀମାଞ୍ଚଳ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଜାତୀୟ ସଂପାନରେ ବହୁ ଗବେଷକ ଭାଷାବିତ୍ ଯୋଗଦେଇଥିବା ସ୍ଥଳେ ଅଧ୍ଯାପକ ସୀମାଞ୍ଚଳ ପ୍ରଧାନ ଏବଂ ଅଧ୍ଯାପିକା ମଧୁସ୍ମିତା ମହାରଣା “ନାଟ୍ଯକାର ଗୋପାଳ ମହାରଣାଙ୍କ ନାଟକରେ ସାଂପ୍ରତିକ ଜୀବନ ଚିତ୍ର ସଂପର୍କରେ ପ୍ରବନ୍ଧ ଉପସ୍ଥାପନ କରିଥିଲେ ।ଜଣେ ଯୋଗ୍ଯ ନାଟ୍ଯ ବ୍ଯକ୍ତତ୍ବଙ୍କୁ “ନାଟ୍ଯ ବିଭୂଷଣ “ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିବାରୁ ସମସ୍ତେ ଭାଷା ଓ ସାହିତ୍ଯ ବିଭାଗକୁ ସାଧୁବାଦ ଜଣାଇବା ସହିତ ଶ୍ରୀଯୁକ୍ତ ମହାରଣାଙ୍କୁ ଶୁଭେତ୍ସା ପ୍ରଦାନ କରିଥିଲେ ।ନବରଙ୍ଗପୁର ଜିଲ୍ଲାରେ ଏହି ଶୁଭ ଖବର ପହଞ୍ଚିବା ପରେ ଚାରିଆଡୁ ଶୁଭେତ୍ସାର ସୁଅ ଛୁଟିଅଛି ।
ରିପୋର୍ଟ-ସନାତନ ମହାକୁଡ଼।


