ଭବାନୀପାଟଣା:ଭବାନୀପାଟଣା ରୁ ରାୟଗଡ଼ା କୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ବଞ୍ଜାରୀ ଘାଟିରେ ଆଜି ଏକ ଗ୍ୟାସ୍ ଟ୍ୟାଙ୍କର ଓଲଟି ପଡିଛି। ଦୁର୍ଘଟଣା ପରେ ଟ୍ୟାଙ୍କର୍ର ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡ଼ିଛି। ସମ୍ଭାବ୍ୟ ଗ୍ୟାସ୍ ଲିକେଜ୍ ଓ ଅଘଟଣକୁ ଦୃଷ୍ଟିରେ ରଖି ଛତିକୁଡ଼ା ରୁ କିଡିଙ୍ଗ ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଫଳରେ ଭବାନୀପାଟଣା ରୁ ରାୟଗଡ଼ା ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଭାରୀଯାନ ଅଟକି ରହିଛି। ସଦର ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା, ଲାଞ୍ଜିଗଡ଼ ତହସିଲଦାର ବନମାଳୀ ମେହେର, ନର୍ଲା ଥାନାଧିକାରୀ କୈବଲ୍ୟ ସେଠ ଓ ସିକେରକୁପା ଫାଣ୍ଡି ଅଧିକାରୀ ମୂରଲି ମୋହନ ପିଡ଼ିକାଙ୍କ ସମେତ ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଲାଞ୍ଜିଗଡ଼ ଦମକଳ ବାହିନୀ ଘଟଣାସ୍ଥଳକୁ ଆସି ଟ୍ୟାଙ୍କର୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ପ୍ରସ୍ତୁତି କରୁଛି। ସୂଚନାଯୋଗ୍ୟ ପ୍ରାୟ ୬ ମାସ ପୂର୍ବରୁ ଏହି ସ୍ଥାନରେ ଏକ ଗ୍ୟାସ୍ ଟ୍ୟାଙ୍କର୍ ଓଲଟି ପଡ଼ିଥିଲା। ସେତେବେଳେ ପୋଲିସ, ପ୍ରଶାସନ ଓ ଅଗ୍ନିଶମ ବାହିନୀ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚଳାଇ ଦୀର୍ଘ ୧୮ ଘଣ୍ଟା ପରେ ଅଞ୍ଚଳବାସୀଙ୍କୁ ସମ୍ଭାବ୍ୟ ବିପଦରୁ ମୁକ୍ତ କରିଥିଲେ। ଏବେ ପୁଣି ସମାନ ଧରଣର ଘଟଣା ଘଟିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ସୁରକ୍ଷା ଦୃଷ୍ଟିରୁ ଭବାନୀପାଟଣା ପଟୁ ରାୟଗଡ଼ା କିମ୍ବା ଲାଞ୍ଜିଗଡ଼ ଯାଉଥିବା ଯାନବାହନ ଗୁଡ଼ିକୁ କଦଳୀଘାଟି ଛକରୁ ବିକଳ୍ପ ରାସ୍ତା ଦେଇ ଯିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି ରାୟଗଡ଼ା ଓ ଲାଞ୍ଜିଗଡ଼ ପଟୁ ଆସୁଥିବା ଯାନବାହନଗୁଡ଼ିକୁ ମଧ୍ୟ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ କୁହାଯାଇଛି। ରାତି ୯ ଟା ସୁଦ୍ଧା ଉଦ୍ଧାରକାର୍ଯ୍ୟ ଜାରି ରହିଛି।
Sign in
Sign in
Recover your password.
A password will be e-mailed to you.
Comments are closed.