ଭଗବାନ ଶ୍ରୀକୃଷ୍ଣ ଶାନ୍ତିଦୂତଭାବେ ଯୁଦ୍ଧ ନହେବା ପାଇଁ ଶାନ୍ତି ପ୍ରସ୍ତାବ ଧରି, ହସ୍ତୀନାରେ ପହଞ୍ଚିଲେ l କୁରୁ ସଭାରେ ପର୍ଶୁରାମ, କଣ୍ୱ ପ୍ରଭୁତି ଋଷିମାନେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରସ୍ତାବକୁ ସ୍ୱାଗତକରି ମାନୀ ଦୁର୍ଯ୍ୟୋଧନକୁ ବୁଝାଇବାକୁ ଚେଷ୍ଟା କଲେ l ମାତ୍ର ତାଙ୍କର ସବୁ ଚେଷ୍ଟା ନିଷ୍ଫଳ ହେଲା l ଦୁର୍ଯ୍ୟୋଧନ ସୂଚ୍ୟଗ୍ର ପ୍ରମାଣେ ମେଦିନୀ ପାଣ୍ଡଵ ମାନଙ୍କୁ ଦେବ ନାହିଁ ବୋଲି ଜିଦ ଧରି ବସିଲା l ଏହି ସମୟରେ ନାରଦ ଉଠିପଡ଼ି କହିଲେ ମୋର ଦୁର୍ଯ୍ୟୋଧନଙ୍କ ଜିଦଖୋର ମନୋଭାବ ଦେଖି, ଗାଲବ ବ୍ରାହ୍ମଣଙ୍କ କଥା ମନେପଡ଼ି ଯାଉଛି,ଏହି ମନୋବୃତ୍ତି ଯୋଗୁଁ ତାଙ୍କୁ ଅନେକ କଷଣ ସହିବାକୁ ପଡ଼ିଥିଲା l ଏହା କହି ସେ କାହାଣୀଟି ଆରମ୍ଭ କଲେ l
ଦିନେ ଧର୍ମଦେବତା ବଶିଷ୍ଠଙ୍କ ରୂପରେ ଯାଇ ଋଷି ବିଶ୍ଵାମିତ୍ରଙ୍କ ଆଶ୍ରମରେ ପହଞ୍ଚିଲେ l ବିଶ୍ଵାମିତ୍ରଙ୍କୁ ସେ ବହୁତ କ୍ଷୁଧିତଥିବା କଥା କହିଲେ l ବିଶ୍ଵାମିତ୍ର ତାଙ୍କ ନିମନ୍ତେ ପାୟସ ପ୍ରସ୍ତୁତକରୁଛନ୍ତି, ଅଧୈର୍ଯ୍ୟ ହୋଇ ସେ ଯାଇ ଅନ୍ୟ ଋଷି ମାନଙ୍କଠାରୁ ଖାଦ୍ୟ ଗ୍ରହଣ କରି ନେଲେ l ଯେତେବେଳେ ତାଙ୍କୁ ଆଣି ବିଶ୍ଵାମିତ୍ର ପାୟସ ପରସି ଦେବାକୁ ଯାଉଛନ୍ତି ସେ କହିଲେ ମୋର ଆଉ କ୍ଷୁଧା ନାହିଁ,ତୁମେ ଅପେକ୍ଷା କର ମୁଁ ପୁଣି ତୁମର ଅତିଥି ହୋଇ ଆସିବି l ଧର୍ମ ଦେବତାଙ୍କ ନିର୍ଦ୍ଧେଶ ପାଳନକରି ଶହେବର୍ଷ ଯାଏ ଋଷି ବିଶ୍ଵାମିତ୍ର ପାୟସ ପାତ୍ରଟି ଧରି ଠିଆ ହୋଇ ରହିଲେ l ଧର୍ମ ଦେବତା ଶହେ ବର୍ଷ ପରେ ଫେରି ଆସି ଦେଖିଲେ ଋଷି ବିଶ୍ଵାମିତ୍ର ଧରିଥିବା ପାୟସ ସେହିଭଳି ତାଜା ଓ ଉଷୁମ ରହିଛି l ବିଶ୍ଵାମିତ୍ରଙ୍କ ଠାରୁ ସେ ଏହା ଗ୍ରହଣକରି ଭୋଜନ କଲେ ଏବଂ ତାଙ୍କୁ ଆଶୀର୍ବାଦ କରି ପ୍ରସ୍ଥାନ କଲେ l
ବିଶ୍ଵାମିତ୍ର ଯେତେବେଳେ ଏକଶହ ବର୍ଷଧରି ଛିଡ଼ା ହୋଇ ଥିଲେ ତାଙ୍କ ନିକଟରେ ନିଷ୍ଠାର ସହ ଛିଡ଼ା ହୋଇଥିଲେ ତାଙ୍କର ଜଣେ ପ୍ରିୟ ଶିଷ୍ୟ ଗାଲବ l ଶିଷ୍ୟର ଦୃଢ଼ନିଷ୍ଠା ଦେଖି ବିଶ୍ଵାମିତ୍ର କହିଲେ, ହେ ପ୍ରୀୟ ଶିଷ୍ୟ ! ତୁମର ଏବେ ସମସ୍ତ ଶିକ୍ଷା ସମାପ୍ତ ହୋଇଛି, ତୁମେ ନିଜ ଗୃହକୁ ଫେରିଯାଇ ପାର l କିନ୍ତୁ ଗାଲବ କହିଲେ, ଗୁରୁଦେବ ! ମୁଁ ଆପଣଙ୍କୁ ଦକ୍ଷିଣା ନ ଦେଇ କିପରି ଯିବି !!! ହେ ଭଗବନ୍ ! ମୋତେ କୁହନ୍ତୁ ମୁଁ କି ଦକ୍ଷିଣା ଦେବି l
ପ୍ରୀୟ ଶିଷ୍ୟଙ୍କ ଠାରୁ ବିଶ୍ଵାମିତ୍ର କୌଣସି ଦକ୍ଷିଣା ଆଶା କରୁ ନଥିଲେ l ଶିଷ୍ୟ ଗାଲବ ଋଷିଙ୍କୁ ଅତି ବାଧ୍ୟ କରିବାରୁ ସେ ବିରକ୍ତ ହୋଇ କହିଲେ, ବତ୍ସ ତୁମେ ଦକ୍ଷିଣା ସ୍ବରୁପେ ମୋତେ ଆଠଶତ ଶ୍ୱେତ ଅଶ୍ୱ ପ୍ରଦାନ କର ଯାହାଙ୍କ ଗୋଟିଏ କର୍ଣ୍ଣର ବର୍ଣ୍ଣ କଳା ହୋଇଥିବ l ଗୁରୁଙ୍କ ଏଭଳି ବିଚିତ୍ର ଦକ୍ଷିଣା କଥା ଶୁଣି ଗାଲବ ଖୁବ ଚିନ୍ତିତ ହୋଇ ପଡ଼ିଲେ l ନିଜ ଜିଦ ପାଇଁ ଖୁବ ଅନୁତପ୍ତ ହେଲେ l ଉପାୟ ଆଉ କିଛି ନଥିଲା l ବର୍ତ୍ତମାନ ଦକ୍ଷିଣା ଯୋଗାଡ଼ କରିବାକୁ ହିଁ ପଡ଼ିବ l
ଗାଲବ ଥିଲେ ବିଷ୍ଣୁ ଭକ୍ତ l ଏ ଦୁସ୍ତର କାର୍ଯ୍ୟପାଇଁ ଉପାୟଶୂନ୍ୟ ହୋଇ ବିଷ୍ଣୁଙ୍କୁ ସେ କାତର ପ୍ରାର୍ଥନା କଲେ l ବିଷ୍ଣୁ, ଭକ୍ତ ଗାଲବଙ୍କ ସାହାଯ୍ୟ ନିମନ୍ତେ ବାହନ ଗରୁଡ଼ଙ୍କୁ ପଠାଇଲେ l ଗରୁଡ଼ ଗାଲବଙ୍କୁ ପୃଷ୍ଠରେ ଧରି ଶ୍ୱେତ ଅଶ୍ୱ ସନ୍ଧାନରେ ଚତୁର୍ଦିଗକୁ ଖେଦିଗଲେ l କିନ୍ତୁ କୌଣସି ସ୍ଥାନରେ ଶ୍ୱେତଅଶ୍ୱ ପାଇଲେ ନାହିଁ l ଗାଲବଙ୍କ ଧୈର୍ଯ୍ୟ ଚ୍ୟୁତ ହେଉ ଥାଏ,ଏହି ସମୟରେ ଗରୁଡ଼ ତାଙ୍କୁ ବିଶ୍ରାମପାଇଁ ଋଷଭ ପର୍ବତକୁ ପୃଷ୍ଠରେ ଘେନିଗଲେ l
ଋଷଭ ପର୍ବତରେ ସେମାନେ ଜଣେ ତପସ୍ବିନୀଙ୍କୁ ଦେଖିଲେ, ତାଙ୍କ ନାମ ସାଣ୍ଡିଲ l ସେମାନେ ଯାଇ ତାଙ୍କୁ ପ୍ରଣାମ କଲେ l ରାତ୍ରିରେ ଦୁହେଁ ସେଠାରେ ବିଶ୍ରାମ କଲେ l ସକାଳ ହେଲାରୁ ସେମାନେ ଉଠି ପଡ଼ିଲେ l ଗରୁଡ଼ ଉଠି ଦେଖିଲେ ତାଙ୍କର ଡେଣା ଦୁଇଟି ଛିନ୍ନହୋଇଛି l ତାଙ୍କର ଆଉ ଉଡ଼ିବା ଶକ୍ତି ନାହିଁ l ଏହା ଦେଖି ଗାଲବ କହିଲେ, ତୁମର ଏହି ଦଶା ହେଲା କିପରି? ତୁମେ କ’ଣ କୌଣସି ପାପ ଆଚରଣ କଲ କି? ଗରୁଡ଼ କିଛି ସମୟ ଚିନ୍ତାକରି କହିଲେ ହଁ ମୁଁ ଏହି ସିଦ୍ଧ ତପସ୍ୱିନୀଙ୍କୁ ବିଷ୍ଣୁଲୋକ ନେଇଯିବି ବୋଲି ଭାବୁ ଥିଲି l ଗରୁଡ଼ ସାଣ୍ଡିଲଙ୍କୁ କ୍ଷମାପ୍ରାର୍ଥନା କରିବାରୁ ତାଙ୍କର ପକ୍ଷ ଦ୍ବୟ ପୁନଃ କଅଁଳି ଉଠିଲା l ସେମାନେ ପୁନଶ୍ଚ ଧଳା ଘୋଡ଼ା ଖୋଜିବାକୁ ବାହାରି ପଡ଼ିଲେ l
ବାଟରେ ଯାଉ ଯାଉ ଗରୁଡ଼ କହିଲେ, ଚନ୍ଦ୍ରବଂଶୀ ମହାରାଜା ନହୁଷଙ୍କ ପୁତ୍ର, ରାଜା ଯଯାତି, ମୋର ଜଣେ ଉତ୍ତମ ବନ୍ଧୁ ଓ ଜଣେ ଖୁବ ଧର୍ମ ପରାୟଣ ରାଜା l ଚାଲ ତାଙ୍କ ପାଖକୁ ଯିବା, ଆମକୁ ହୁଏତ କିଛି ସାହାଯ୍ୟ ସେ କରି ପାରନ୍ତି l ଏପରି ବିଚାର କରି ସେମାନେ ଯାଇ ଯଯାତି ରାଜଙ୍କ ରାଜଧାନୀ ପ୍ରତିଷ୍ଠାନ ପୁରରେ ପହଞ୍ଚିଲେ l ରାଜା ଯଯାତିଙ୍କ ସହ ଗରୁଡ଼ ଗାଲବଙ୍କୁ ପରିଚୟ କରାଇ ଦେଲେ ଏବଂ ତାଙ୍କ ସମସ୍ୟା ବିଷୟରେ କହିଲେ l
ଗାଲବ ମଧ୍ୟ ଚନ୍ଦ୍ର ବଂଶୀ ଥିବାରୁ, ରାଜା ଯଯାତି ତାଙ୍କୁ ପାଇ ବହୁ ଆନନ୍ଦିତ ହେଲେ l କିନ୍ତୁ ହାୟ ! ଯଯାତି ତାଙ୍କୁ କିଛି ସାହାଯ୍ୟ କରିବା ଅବସ୍ଥାରେ ନ ଥିଲେ l ସେ ତାଙ୍କର ସମସ୍ତ ଧନ ସମ୍ପଦ ଦାନ କରି ସାରିଥିଲେ l ତଥାପି, ସେ ଅତିଥିଙ୍କୁ ନିରାଶ କରିବାକୁ ଚାହୁଁନଥିଲେ l ସେ ଗାଲବଙ୍କୁ କହିଲେ, ଏଇ ଦେଖ ମୋର ସୁନ୍ଦରୀ କନ୍ୟା ମାଧବୀ l ରୂପ ଗୁଣରେ ତା ସହିତ ତୁଳନୀୟ କେହି ନାହିଁ, ତାକୁ ପାଇବା ପାଇଁ ଦେବତା,ମାନବ ଏବଂ ବହୁ ରାଜା ଲାଳାୟିତ l ସଂସ୍କୃତ ମହାଭାରତ ଉଦ୍ୟୋଗ ପର୍ବ ବର୍ଣ୍ଣନାନୁସାରେ (ଶ୍ଳୋକ 115.13) :-
ଅସ୍ୟା ଶୁଳ୍କଂ ପ୍ରଦାସ୍ୟନ୍ତି
ନୃପା ରାଜ୍ୟମପି ଧ୍ରୁବମ୍ l
କିଂ ପୁନଃ ଶ୍ୟାମକର୍ଣ୍ଣାନାଂ
ହାୟାନାଂ ଦ୍ଵେ ଚତୁଶତେ ll
ଅର୍ଥାତ୍, ମାଧବୀକୁ ଲାଭ କରିବା ପାଇଁ ରାଜାଗଣ ତାଙ୍କ ରାଜ୍ୟ ମଧ୍ୟ ଦାନ କରିଦେଇ ପାରନ୍ତି l ଆଠ ଶତ ଘୋଡ଼ା କଥା ଆଉ କଅଣ କହିବି l ଏହାଙ୍କୁ ତୁମେ ସାଙ୍ଗରେ ନେଇଯାଅ,ସେ ତୁମକୁ ସାହାଯ୍ୟ କରି ପାରିବ l
ଗାଲବ ଭାବିଲେ ଯାହାହେଉ କାର୍ଯ୍ୟସାଧନ ପାଇଁ ମୋତେ ଗୋଟିଏ ମାଧ୍ୟମ ମିଳି ଗଲା l ମାଧବୀଙ୍କୁ ସେ ସଙ୍ଗରେ ଧରି ଅଯୋଧ୍ୟା ଚାଲିଗଲେ l ସେତେ ବେଳେ ଅଯୋଧ୍ୟାରେ ରାଜତ୍ୱ କରୁଥାନ୍ତି ମହାରାଜ ହର୍ଯ୍ୟସ l ରାଜା ହର୍ଯ୍ୟସ ମାଧବୀଙ୍କ ପ୍ରତି ଆକୃଷ୍ଠ ହୋଇ, ଗାଲବଙ୍କୁ କଳା କାନ ଥିବା ଧଳା ଘୋଡ଼ା ଦେବା ପାଇଁ ରାଜି ହେଲେ, କିନ୍ତୁ ସେପରି ଘୋଡ଼ା ତାଙ୍କ ନିକଟରେ ମାତ୍ର ଦୁଇଶହଟି ଥିଲା l ଗାଲବ ନିରାଶ ହୋଇ ରହିଲେ l
ମାଧବୀ ଗାଲବଙ୍କୁ ଖୁବ ଚିନ୍ତିତ ଦେଖି କହିଲେ, ହେ ବ୍ରାହ୍ମଣ ଦେବତା ! ମୁଁ ଜଣେ ତପସ୍ୱୀଙ୍କଠାରୁ ବରଲାଭ କରିଛି, ପିଲାର ଜନନୀ ହେଲା ପରେ ମଧ୍ୟ ମୁଁ କୁଆଁରୀ ରହିବି l ତୁମେ ରାଜା ହର୍ଯ୍ୟସଙ୍କୁ ମୋତେ ଦେଇ, ଦୁଇ ଶହ ଘୋଡ଼ା ନେଇ ଯାଅ l
ତୁମେ ମୋତେ ଏହିଭଳି ଚାରିଜଣ ରାଜାଙ୍କୁ ଦାନ କରି ଆଠ ଶହ ଘୋଡ଼ା ପାଇ ପାରିବ ଏବଂ ତୁମ ଗୁରୁ ଦକ୍ଷିଣା ଦେଇ ପାରିବ l ମାଧବୀଙ୍କୁ ଗାଲବ ରାଜା ହର୍ଯ୍ୟସଙ୍କୁ ଦାନ କରି ତାଙ୍କଠାରୁ ଦୁଇଶହ ଘୋଡ଼ା ନେଇ ଚାଲି ଗଲେ l ମାଧବୀ କିଛି କାଳ ପରେ ଏକ ପୁତ୍ରସନ୍ତାନର ଜନନୀ ହେଲେ l ନାମ ତାର ହେଲା ବସୁମାନ l ପୂର୍ବରୁ ଚୁକ୍ତି ହୋଇଥିଲା ମାଧବୀ ପୁତ୍ର ସନ୍ତାନ ଗୋଟିଏ ଜନ୍ମ କଲା ପରେ ରାଜା ହର୍ଯ୍ୟସଙ୍କୁ ପରିତ୍ୟାଗ କରିବେ l ସେ ଚୁକ୍ତି ଅନୁସାରେ ଗାଲବ ମାଧବୀଙ୍କୁ ଘେନି ଯାଇ କାଶି ରାଜାଙ୍କ ପାଖରେ ପହଞ୍ଚିଲେ l
କାଶିରାଜା ଦେବଦାସ, ମାଧବୀଙ୍କୁ ଗ୍ରହଣ କଲେ ଏବଂ ଗାଲବଙ୍କୁ ଦୁଇଶହ ଘୋଡ଼ା ପ୍ରଦାନକଲେ l
କିଛିକାଳ ଉତ୍ତାରେ ମାଧବୀ ଏକ ପୁତ୍ରର ଜନନୀ ହେଲେ l ସେ ପୁଅଟିର ନାମ ହେଲା, ପ୍ରାତର୍ଦ୍ଧନ l
ମାଧବୀ ପୁଣି କାଶିରାଜଙ୍କୁ ତ୍ୟାଗକରି ଗାଲବଙ୍କ ସହ ଯାଇ ଭୋଜ ନଗର ରାଜ୍ୟରେ ପହଞ୍ଚିଲେ l ସେ ରାଜ୍ୟର ରାଜା ଥାନ୍ତି ଉସୀନର l ମାଧବୀଙ୍କୁ ସେ ଗ୍ରହଣ କରି ଗାଲବଙ୍କୁ ଦୁଇଶହ ଶ୍ୱେତ ଅଶ୍ୱ ପ୍ରଦାନ କଲେ l ମାଧବୀଙ୍କଠାରୁ ସେଠାରେ ଜନ୍ମ ହେଲେ ପୁତ୍ର ଶିବି l
ଆଉ ଦୁଇଶହ ଘୋଡ଼ା ପାଇଁ ଗାଲବ ପୁଣି ଚିନ୍ତିତ ହେଲେ l ଆଉ କେଉଁ ରାଜାଙ୍କଠାରୁ ତାହା ପ୍ରାପ୍ତ ହେବ ସେ କଥା ଚିନ୍ତା କରୁଛନ୍ତି, ଏହି ସମୟରେ ଗରୁଡ଼ ତାଙ୍କୁ କହିଲେ, ହେ ବ୍ରାହ୍ମଣ ! ପୃଥିବୀରେ ଏପରି ଅଶ୍ୱ, ମାତ୍ର ଛଅ ଶହ ଅଛନ୍ତି l ଆଉ ଦୁଇ ଶହ ଅଶ୍ୱ ତୁମେ ଯେତେ ଚେଷ୍ଟାକଲେ ମଧ୍ୟ ପାଇ ପାରିବ ନାହିଁ l ତୁମେ ଗୋଟିଏ କାମ କର l ଗୁରୁ ବିଶ୍ଵାମିତ୍ରଙ୍କୁ ଯାଇ ତୁମେ ଛଅ ଶହ ଘୋଡ଼ା ସହ ମାଧବୀଙ୍କୁ ସମର୍ପି ଦେଇ ଶରଣ ପସ l
ତାହାହିଁ ହେଲା l ଗାଲବ ଯାଇ ଗୁରୁ ବିଶ୍ଵାମିତ୍ରଙ୍କୁ କହିଲେ, ଗୁରୁ ଦେବ ! ମୁଁ ମାତ୍ର ଛଅଶହ ଘୋଡ଼ା ଦେବୀ ମାଧବୀଙ୍କ ସାହାଯ୍ୟନେଇ ଯୋଗାଡ଼ କରି ପାରିଲି l ମାଧବୀ ହେଉଛନ୍ତି ବିଖ୍ୟାତ ଚନ୍ଦ୍ରବଂଶ ରାଜା ଯଯାତିଙ୍କ କନ୍ୟା l ଆପଣ ମାଧବୀଙ୍କ ସହ ଛଅଶହ ଅଶ୍ୱ ଗ୍ରହଣ କରନ୍ତୁ ଓ ମୋତେ ଦକ୍ଷିଣା ମୁକ୍ତ କରନ୍ତୁ l ସେ କିପରି ସେହି ଛଅ ଶହ ଶ୍ୱେତ ଅଶ୍ୱ ପ୍ରାପ୍ତ ହେଲେ, ତାହା ବିସ୍ତାର ଭାବେ ଗୁରୁଙ୍କୁ କହିଲେ l ଗାଲବ ମଧ୍ୟ ମାଧବୀ ତିନୋଟି ପୁତ୍ରର ଜନନୀ ହୋଇଛନ୍ତି ବୋଲି ବିଶ୍ଵାମିତ୍ରଙ୍କୁ କହିଲେ l ଗୁରୁ ଗାଲବଙ୍କ ପ୍ରାର୍ଥନା ସ୍ୱୀକାର କଲେ ଓ ତାଙ୍କୁ ଦକ୍ଷିଣା ମୁକ୍ତ କଲେ l ସେ ମାଧବୀଙ୍କୁ ଗ୍ରହଣ କରି ତାଙ୍କଠାରୁ ଏକ ପୁତ୍ର ପ୍ରାପ୍ତ ହେଲେ ତାହାର ନାମ ହେଲା ଅଷ୍ଟକ l କିଛିକାଳ ପରେ ସେ ମାଧବୀ ଓ ପୁତ୍ର ଅଷ୍ଟକଙ୍କୁ ଗାଲବଙ୍କୁ ସମର୍ପି ଦେଇ ତପସ୍ୟା ପାଇଁ ଅରଣ୍ୟକୁ ଚାଲିଗଲେ l
ଗାଲବ କୃତକୃତ୍ୟହୋଇ ମାଧବୀଙ୍କ ଗ୍ରହଣ କରି କହିଲେ, ହେ ମହିୟସୀ ! ତୁମେ ଧନ୍ୟ l ତୁମରି ପାଇଁ ମୁଁ ଗୁରୁଋଣରୁ ମୁକ୍ତହେଲି, ତୁମେ ମଧ୍ୟ ତୁମ ପିତାଙ୍କ ସକଳ ଇଚ୍ଛା ପୂର୍ଣ୍ଣ କରିଛ l ତୁମ ଗର୍ଭରୁ ଜନ୍ମିତ ଚାରିଜଣ ପୁତ୍ର, ଏ ଧରାରେ ଅକ୍ଷୟ ଯଶ ସ୍ଥାପନ କରିବେ l ଏହାପରେ ଗାଲବ ମାଧବୀଙ୍କୁ ନେଇ ରାଜା ଯଯାତିଙ୍କ ପାଖରେ ପହଞ୍ଚି କୃତଜ୍ଞତା ଜ୍ଞାପନ କଲେ l ଯଯାତି ମାଧବୀଙ୍କୁ ଗ୍ରହଣ କଲେ ଓ ତାଙ୍କ ବିବାହପାଇଁ ଉପଯୁକ୍ତ ପାତ୍ର ସନ୍ଧାନରେ ଲାଗି ପଡ଼ିଲେ l ମାତ୍ର ସେ ବିବାହ କରିବେ ନାହିଁ ବୋଲି ପିତାଙ୍କୁ କହିବାରୁ, ରାଜା ଯଯାତି ଏଥିରୁ କ୍ଷାନ୍ତହେଲେ l କିଛିକାଳ ଉତ୍ତାରେ ମାଧବୀ ରାଜ ପ୍ରାସାଦ ପରିତ୍ୟାଗ କରି ବନଗମନ କଲେ ଏବଂ ସେଠାରେ କଠୋରତପସ୍ୟା କରି ବିଭୁ ପଦରେ ଲୀନ ହୋଇ ପରମଗତି ପ୍ରାପ୍ତ ହେଲେ l
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ -7693091971
Sign in
Sign in
Recover your password.
A password will be e-mailed to you.
Prev Post
Comments are closed.