୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା

0

ଭୁବନେଶ୍ବର : ରାଜ୍ୟରେ ୨୦୨୭ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ୱାର୍ଡ଼ମେମ୍ବର, ସମିତି ସଭ୍ୟ, ସରପଞ୍ଚ, ଜିଲା ପରିଷଦ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଏବଂ ଜିଲା ପରିଷଦ ଅଧ୍ୟକ୍ଷ ଆସନ ସଂରକ୍ଷଣ ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ଆୟୁକ୍ତ ତଥା ସଚିବ ଗିରୀଶ ଏସ୍.ଏନ୍ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି। ଆସନ ସଂରକ୍ଷଣ ସ୍ଥିର କରି ଚଳିତ ମାସ ୩୦ ସୁଦ୍ଧା ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କୁ ଚୂଡ଼ାନ୍ତ ରିପୋର୍ଟ ଦେବାକୁ ପଡ଼ିବ ବୋଲି ଚିଠିରେ ଦର୍ଶାଯାଇଛି। ସେହିପରି ରାଜ୍ୟ ସରକାରଙ୍କ ପାଖରୁ ସଂରକ୍ଷଣ ତାଲିକା ମିଳିବା ପରେ ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ପଞ୍ଚାୟତ ନିର୍ବାଚନ ସମ୍ପର୍କିତ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ କହିଛନ୍ତି।

ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୨୦୨୬ର ଭୋଟ ତାଲିକା ପ୍ରକାଶ ପାଇବ। ଏହି ଭୋଟର ତାଲିକାକୁ ଆଧାର କରି ପଞ୍ଚାୟତ ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତ କରାଯିବ ଏବଂ ଏହି ତାଲିକା ଅନୁସାରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଜନଗଣନା ଉପରେ ନିର୍ବାଚନ ହେବ ନାହିଁ କି ପୂର୍ବରୁ କେବେ ବି ହୋଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତିସଭ୍ୟ ଆସନ ସଂରକ୍ଷଣ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ୧୭ତାରିଖ ଭିତରେ ଅଭିଯୋଗ ଆବେଦନ କରିହେବ। ୨୪ତାରିଖ ସୁଦ୍ଧା ଅଭିଯୋଗ ଶୁଣାଣି କରି ୨୯ସୁଦ୍ଧା ଚୂଡ଼ାନ୍ତ ଆସନ ସଂରକ୍ଷଣ ତାଲିକା ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କୁ ଜଣାଇବେ। ସେହିପରି ଜିଲା ପରିଷଦ ଆସନ ସଂରକ୍ଷଣ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ୧୭ତାରିଖ ଭିତରେ ଅଭିଯୋଗ ଆବେଦନ ଏବଂ ୨୭ତାରିଖ ସୁଦ୍ଧା ଅଭିଯୋଗ ଶୁଣାଣି ହେବ।

୨୯ ତାରିଖ ସୁଦ୍ଧା ସରକାରଙ୍କ ଅନୁମୋଦନକ୍ରମେ ଚଳିତ ମାସ ୩୦ ସୁଦ୍ଧା ଚୂଡ଼ାନ୍ତ ସଂରକ୍ଷଣ ତାଲିକା ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କୁ ଜଣାଇବେ। ଜିଲା ପରିଷଦ ଅଧ୍ୟକ୍ଷ ପାଇଁ ୧୩ରେ ଚିଠା ବିଜ୍ଞପ୍ତି ଏବଂ ୨୯ରେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ। ପୂର୍ବ ନିର୍ବାଚନ ସଂରକ୍ଷଣ ନୀତି ଅନୁସାରେ ଏସ୍‌ସି, ଏସ୍‌ଟି ଏବଂ ପଛୁଆବର୍ଗଙ୍କ ପାଇଁ ୫୦ ପ୍ରତିଶତ ଭିତରେ ଆସନ ସଂରକ୍ଷଣ ରହିବ। ପଛୁଆବର୍ଗଙ୍କ ପାଇଁ ୨୭% ପର୍ଯ୍ୟନ୍ତ ଆସନ ସଂରକ୍ଷଣ ରଖାଯିବ। ସେହିପରି ଗୋଟିଏ ବର୍ଗରେ ସଂରକ୍ଷିତ ଆସନ ମଧ୍ୟରୁ ମହିଳାଙ୍କ ପାଇଁ ଅଧା ଆସନ ସଂରକ୍ଷଣ ରଖାଯିବ। ଗ୍ରାମର ଅନୁସୂଚିତ ଜାତି (ଏସ୍‌ସି) ଏବଂ ଅନୁସୂଚିତ ଜନଜାତି (ଏସ୍‌ଟି)ଙ୍କ ସଂଖ୍ୟାକୁ ଆଧାର କରି ଗ୍ରାମ ପଞ୍ଚାୟତସ୍ତରରେ ଆସନ ସଂରକ୍ଷଣ ରହିବ। ଯଦି କୌଣସି ଗ୍ରାମରେ ଏସ୍‌ସି ଓ ଏସ୍‌ଟିଙ୍କ ସଂଖ୍ୟା କମ ଥାଏ ତେବେ ସେଠାରେ ଗୋଟିଏ ଆସନ ଏସ୍‌ସି କିମ୍ବା ଗୋଟିଏ ଏସ୍‌ଟି ଆସନ ସଂରକ୍ଷଣ ରଖାଯାଇ ପାରିବ। ଯେଉଁଠାରେ ପଛୁଆ ବର୍ଗଙ୍କ ପାଇଁ ଆସନ ସଂରକ୍ଷଣ ଥିବ ସେଠାରେ ଏସ୍‌ସି, ଏସ୍‌ଟି ଏବଂ ପଛୁଆବର୍ଗ ମିଶି ସଂରକ୍ଷଣ ବ୍ୟବସ୍ଥା ୫୦%ରୁ ଊର୍ଦ୍ଧ୍ବ ହେଉ ନଥିବ।

ଅନୁସୂଚିତ ଜନଜାତି କ୍ଷେତ୍ରରେ ସରପଞ୍ଚ ଏସ୍‌ଟି ବର୍ଗଙ୍କ ପାଇଁ ଆସନ ସଂରକ୍ଷଣ ରହିବ। ସଂରକ୍ଷିତ ଆସନ ମଧ୍ୟରୁ ମହିଳାଙ୍କ ପାଇଁ ୫୦% ଆସନ ସଂରକ୍ଷଣ ରଖାଯିବ। ଜିଲା ପରିଷଦ ଜୋନରେ ଏସ୍‌ସି ଓ ଏସ୍‌ଟି ବର୍ଗ ଜନସାଧାରଣଙ୍କ ସଂଖ୍ୟା ଅନୁପାତକୁ ଆଧାର କରି ଜିଲା ପରିଷଦ ଆସନ ସଂରକ୍ଷଣ ରଖାଯିବ। ଏକ୍ଷେତ୍ରରେ ପଛୁଆବର୍ଗଙ୍କ ପାଇଁ ୨୭% ଆସନ ସଂରକ୍ଷଣ ରଖାଯିବ। କିନ୍ତୁ ଏସ୍‌ସି, ଏସ୍‌ଟି ଏବଂ ପଛୁଆବର୍ଗ ମିଶି ମୋଟ ସଂରକ୍ଷଣ ଆସନ ବ୍ୟବସ୍ଥା ୫୦%ରୁ ଅଧିକ ହେଉ ନଥିବ। ଗୋଟିଏ ନିର୍ଦିଷ୍ଟ ବର୍ଗରେ ରହୁଥିବା ମୋଟ ସଂରକ୍ଷିତ ଆସନ ମଧ୍ୟରୁ ୫୦% ମହିଳାଙ୍କ ପାଇଁ ସଂରକ୍ଷଣ ରଖାଯିବ। ଅନୁସୂଚିତ ଜନଜାତି ଅଞ୍ଚଳରେ ଜିଲା ପରିଷଦ ଜୋନରେ ଏସ୍‌ଟି ଆସନ ସଂରକ୍ଷଣ ରହିବ। ଅଧିକ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ବସବାସ କରୁଥିବା ଜିଲାରେ ୫୦%ରୁ କମ୍‌ ସଂରକ୍ଷଣ ରହିବ ନାହିଁ। ସେହିପରି ଅନୁସୂଚିତ ଜାତି ବହୁଳ ଜିଲାରେ ଜିଲା ପରିଷଦ ଆସନ ଏସ୍‌ସି ବର୍ଗ ପାଇଁ ଆସନ ସଂରକ୍ଷଣ ରହିବ। ନିର୍ଦିଷ୍ଟ ଗୋଟିଏ ବର୍ଗରେ ମୋଟ ଆସନ ସଂରକ୍ଷଣ ମଧ୍ୟରୁ ମହିଳାଙ୍କ ନିମନ୍ତେ ଅଧା ଆସନ ସଂରକ୍ଷଣ ରଖାଯିବ।
ସୂଚନାଯୋଗ୍ୟ, ୨୦୨୨ରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହୋଇଥିଲା। ୮୫୨ଟି ଜିଲା ପରିଷଦ ଜୋନ୍‌ରୁ ୭୬୬ଟି ଆସନ ଜିତି ବିଜେଡି ବୃହତ୍ ବିଜୟ ହାସଲ କରିଥିଲା। ୩୦ଟି ଜିଲାରେ ପରିଷଦ ଗଠନ କରିଥିଲା। ତେବେ ପରିବର୍ତ୍ତିତ ରାଜ୍ୟ ରାଜନୀତିରେ ବିଜେପି ଶାସନକୁ ଆସିଛି ଏବଂ ବିଜେଡି ବିରୋଧୀ ଆସନରେ ବସିଛି। ସେପଟେ ରାଜ୍ୟ କଂଗ୍ରେସର ସ୍ଥିତି କାହାକୁ ଅଛପା ନାହିଁ। ଏହାରି ଭିତରେ ମହମ୍ମଦ ମୋକିମଙ୍କ ନେତୃତ୍ବରେ ଆଉ ଏକ ଆଞ୍ଚଳିକ ଦଳ ମୁଣ୍ଡ ଟେକୁଛି। ସେଥିପାଇଁ ୨୦୨୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରୋଚକ ହେବ ବୋଲି ଜନସାଧାରଣରେ ଚର୍ଚ୍ଚା ଚାଲିଛି।
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ…

Leave A Reply

Your email address will not be published.