ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପୁଣି ଗର୍ଜିଛି ବୁଲଡୋଜର। ସହରର ଗୁରୁତ୍ୱପୂର୍ଣ୍ଣ ହାତୀଆଶୁଣି ରାସ୍ତାକୁ ଜବରଦଖଲ ମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ। ଏକାମ୍ର କାନନ ରାସ୍ତାର ଗୋଟିଏ ପାର୍ଶ୍ୱରୁ ଆଜିଠାରୁ ବଡ଼ ଧରଣର ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି।
୨୦୦ ଫୁଟିଆ ରାସ୍ତା ପାଇଁ ବାଧକ ସାଜିଥିବା ଘରଗୁଡ଼ିକୁ ଆଜି ଭଙ୍ଗା ଯାଉଛି। ବିଏମସି ଏବଂ ବିଡିଏ ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଜି ଗୋଟିଏ ଦିନରେ ପ୍ରାୟ ୮୧ଟି ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ଏହି ଅଞ୍ଚଳରେ ୫୫୦ରୁ ଅଧିକ ଜବରଦଖଲ ହଟାଯାଇ ସାରିଛି। ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ପୂର୍ତ୍ତମନ୍ତ୍ରୀଙ୍କ ସମୀକ୍ଷା ଅନୁଯାୟୀ, ଆସନ୍ତା ଏପ୍ରିଲ ୩୦ ତାରିଖ ସୁଦ୍ଧା ଏହି ରାସ୍ତାକୁ ସମ୍ପୂର୍ଣ୍ଣ ରୂପେ ଖୋଲିବା ପାଇଁ ନିର୍ଦ୍ଦେଶ ରହିଛି। ସେଥିପାଇଁ ଉଚ୍ଛେଦ ପ୍ରକ୍ରିୟାକୁ ଜୋରଦାର କରାଯାଇଛି।