କଟକ : ରାଜ୍ୟ ଆଇନଜୀବୀ ପରିଷଦର ସାଧାରଣ ବୈଠକ ନିଷ୍ପତ୍ତି ଅନୁଯାୟୀ ଚଳିତବର୍ଷ ମାର୍ଚ୍ଚ ୨୮ରେ ରାଜ୍ୟର ସମସ୍ତ ୧୫୮ଟି ଅନୁବନ୍ଧିତ ବାର ଆସୋସିଏସନର ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ୩୮,୮୮୩ ଭୋଟର ମତଦାନ କରିବେ। ଏ ସଂକ୍ରାନ୍ତରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ ସୂଚନା ଦେଇଛନ୍ତି।
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦ୍ବିବେଦୀ କହିଛନ୍ତି ଯେ ରାଜ୍ୟ ଆଇନଜୀଵୀ ପରିଷଦ ଦ୍ବାରା ପ୍ରସ୍ତୁତ ଓ ପ୍ରକାଶିତ ଚୂଡାନ୍ତ ଭୋଟର ତାଲିକା ବାର ଆସୋସିଏସନ୍ଗୁଡ଼ିକୁ ପଠାଯାଇଛି। ବାର ଆସୋସିଏସନର ନିର୍ବାଚନ ଅଧିକାରୀମାନଙ୍କୁ ପରିଷଦ ଦ୍ବାରା ଚୂଡାନ୍ତ ନିର୍ବାଚନ ସଂକ୍ରାନ୍ତୀୟ କାର୍ଯ୍ୟ ସୂଚୀ ଏବଂ ତତସହିତ ସ୍ୱଚ୍ଛ, ଅବାଧ ଏବଂ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ କରିବା ପାଇଁ ସମସ୍ତ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ ସଂକ୍ରାନ୍ତୀୟ ଅଧିନିୟମ ଅନୁଯାୟୀ ଆବଶ୍ୟକ ନିର୍ଦେଶାବଳୀ ପ୍ରଦାନ କରାଯାଇଛି। ପ୍ରଚାର ସମୟରେ କୌଣସି ବ୍ୟାନର, ହୋଡ଼ିଂ ଇତ୍ୟାଦି ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ସଂପୃକ୍ତ ବାର ଆସୋସିଏସନ୍ର ପରିସର ତଥା ନ୍ୟାୟାଳୟ ପରିସର ମଧ୍ୟରେ ପ୍ରଦର୍ଶିତ କରାଯାଇ ପାରିବ ନାହିଁ। ସମସ୍ତ ନିର୍ବାଚନ ଅଧିକାରୀମାନେ ନିର୍ବାଚନ ସଂକ୍ରାନ୍ତୀୟ ଅଧିନିୟମ ଅନୁଯାୟୀ ଏକ ସ୍ୱଚ୍ଚ ଅବାଧ ଓ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ କରିବା ପାଇଁ ରାଜ୍ୟ ଆଇନଜୀବୀ ପରିଷଦ ନିକଟରେ ଉତ୍ତରଦାୟୀ ରହିବେ। ପଠାଯାଇଥିବା ନିର୍ଦେଶାବଳୀ ତଥା ନିର୍ବାଚନ ଅଧିନିୟମର ବ୍ୟତିକ୍ରମ ହେଲେ ସମ୍ପୃକ୍ତ ନିର୍ବାଚନ ଅଧିକାରୀ ତଥା ଅନ୍ୟ ବ୍ୟକ୍ତି ବିଶେଷ ଯେଉଁମାନେ ଉକ୍ତ ନିର୍ବାଚନ ବିଶୃଙ୍ଖଳା ସୃଷ୍ଟି କରିବେ ସେମାନଙ୍କ ବିରୋଧରେ ରାଜ୍ୟ ପରିଷଦ ତରଫରୁ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଦ୍ବିବେଦୀ କହିଛନ୍ତି। ନିର୍ବାଚନ ପରବର୍ତ୍ତୀ ଏ ସଂକ୍ରାନ୍ତୀୟ ମାମଲାର ବିଚାର ନିମନ୍ତେ ଏକ ନିର୍ବାଚନ ଟ୍ରିବୁନାଲ ୩ ଜଣ ଆଇନଜୀଵୀ ଯଥା ବରିଷ୍ଠ ଆଇନଜୀଵୀ ସୂର୍ଯ୍ୟ ପ୍ରସାଦ ମିଶ୍ର, ବୁଦ୍ଧଦେବ ରାଉତରାୟ ଓ ଆଇନଜୀଵୀ ସାରଦା ପ୍ରସନ୍ନ ଷଡ଼ଙ୍ଗୀଙ୍କୁ ନେଇ ଗଠନ କରାଯାଇଛି। ସମସ୍ତ ନିର୍ବାଚନ ଅଧିକାରୀଙ୍କୁ ପରିଷଦ ପକ୍ଷରୁ ନିର୍ଦେଶ ଦିଆଯାଇଛି ଯେ ଅବାଧ ଓ ସ୍ୱଚ୍ଛ ନିର୍ବାଚନକୁ ସୁନିଶ୍ଚିତ କରିବାପାଇଁ ୨୮ ତାରିଖ ସକାଳ ୭.୩୦ରୁ ୩.୦୦ ପର୍ଯ୍ୟନ୍ତ ହେବାକୁ ଥିବା ଭୋଟ ଗ୍ରହଣର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଭିଡିଓଗ୍ରାଫି କରି ତୁରନ୍ତ ତାହାର ଏକ କପି ରାଜ୍ୟ ଆଇନଜୀବୀ ପରିଷଦକୁ ପଠାଇବେ। ଅନ୍ୟପକ୍ଷରେ ନବରଙ୍ଗପୁର ବାର ଆସୋସିଏସନ୍ ଏବଂ ଜଟଣୀ ବାର ଆସୋସିଏସନ୍ ନିର୍ବାଚନ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ନିର୍ବାଚନ ଅଧିକାରୀ ନିଯୁକ୍ତି ଓ ନିର୍ବାଚନ କାର୍ଯ୍ୟସୂଚୀ ପାଳନରେ ବ୍ୟତିକ୍ରମ ତଥା ବିଶୃଙ୍ଖଳା ପରିଦୃଷ୍ଟ ହେବାରୁ ଉକ୍ତ ଦୁଇଟି ବାର ଆସୋସିଏସନ୍ର ନିର୍ବାଚନକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି l