ବଢ଼ିବ ଲୋକସଭା ସିଟ୍

ମହିଳାଙ୍କୁ ମିଳିବ ୩୩% ସଂରକ୍ଷଣ

ନୂଆଦିଲ୍ଲୀ : ବଢ଼ିବ ଲୋକସଭାର କଳେବର। ସିଟ୍ ସଂଖ୍ୟା ବୃଦ୍ଧି ହୋଇପାରେ। ୫୪୩ରୁ ୮୧୬କୁ ବୃଦ୍ଧି ପାଇପାରେ ଲୋକସଭା ଆସନ। ଏଥିରୁ ମହିଳାଙ୍କ ପାଇଁ ୨୭୩ଟି ସ୍ଥାନ ସଂରକ୍ଷିତ ରହିବ। ମହିଳାମାନଙ୍କ ପାଇଁ ଲୋକସଭାରେ ଏକ-ତୃତୀୟାଂଶ ସଂରକ୍ଷଣ ଲାଗୁ କରିବାକୁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି।

ଏଥିପାଇଁ ସରକାର ଏକ ଡିଲିମିଟେସନ୍ ଓ ସମ୍ବିଧାନ ସଂଶୋଧନ ବିଲ୍ ଆଣିବାକୁ ଯୋଜନା କରୁଛନ୍ତି। ଚଳିତ ବଜେଟ୍ ଅଧିବେଶନରେ କିମ୍ବା ଏକ ସ୍ୱତନ୍ତ୍ର ଅଧିବେଶନ ଜରିଆରେ ବିଲ୍ ପାସ୍ କରି ପାରନ୍ତି ସରକାର। ଏନେଇ ବିଭିନ୍ନ ରାଜନୈତିକ ଦଳଙ୍କ ସହ ଆଲୋଚନା କରୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ।

ଜନଗଣନା ଆଧାରରେ ସୀମା ନିର୍ଦ୍ଧାରଣ କରି ୨୦୨୯ ସାଧାରଣ ନିର୍ବାଚନ ସୁଦ୍ଧା ବ୍ୟବସ୍ଥା ଲାଗୁ କରିବାକୁ ଲକ୍ଷ୍ୟ ରହିଛି। ଲୋକସଭାରେ ସିଟ୍ ବଢ଼ିଲେ ସଂଖ୍ୟା ଗରିଷ୍ଠତା ପାଇଁ ଆବଶ୍ୟକ ସଂଖ୍ୟା ୪୦୯କୁ ବୃଦ୍ଧି ପାଇବ। ଉତ୍ତର ପ୍ରଦେଶ, ବିହାର ଏବଂ ଓଡ଼ିଶା ପରି ରାଜ୍ୟରେ ଆସନ ସଂଖ୍ୟା ବୃଦ୍ଧି ହେବା ସହ ଏସସି/ଏସଟି ବର୍ଗଙ୍କ ପାଇଁ ବି ବଢ଼ିବ ସଂରକ୍ଷିତ ଆସନ ସଂଖ୍ୟା। ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଆସନ ୮୪ରୁ ୧୨୬ ଓ ଅନୁସୂଚିତ ଜନଜାତିଙ୍କ ସଂରକ୍ଷିତ ଆସନ ୪୭ରୁ ୭୦କୁ ବଢ଼ିବ। ଓଡ଼ିଶାରେ ସାଂସଦଙ୍କ ସଂଖ୍ୟା ୩୨କୁ ବୃଦ୍ଧି ହୋଇପାରେ। ପୁରୁଷ ସାଂସଦଙ୍କ ସଂଖ୍ୟା ହ୍ରାସ ନକରି କେବଳ ମହିଳାଙ୍କ ପାଇଁ ନୂଆ ଆସନ ସୃଷ୍ଟି କରାଯିବ। ଯାହାଦ୍ବାରା ରାଜନୈତିକ ସନ୍ତୁଳନ ବଜାୟ ରହିବ।

Comments are closed.