ଶିକ୍ଷକ ନିଯୁକ୍ତିରେ ବିଳମ୍ବକୁ ନେଇ ସରକାରଙ୍କୁ ଘେରିଲା ସମନ୍ୱୟ ସମିତି

0

ଭୁବନେଶ୍ୱର: ରାଜ୍ୟରେ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ବହୁମାତ୍ରାରେ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଅବସର ନେଇଯିବା ପରେ ଏବେ ବିଦ୍ୟାଳୟଗୁଡ଼ିକ ଅଳ୍ପ ସଂଖ୍ୟକ ଶିକ୍ଷକ ଅଧ୍ୟାପକ ବା କେତେକ ସ୍ଥାନରେ ଜଣେ ଦୁଇଜଣ ଶିକ୍ଷକ ଅଧ୍ୟାପକରେ ଶିକ୍ଷାଦାନ ଚାଲୁଅଛି। ଶିକ୍ଷାବର୍ଷ ଆରମ୍ଭରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅତିଥି ଶିକ୍ଷକ ନିଯୁକ୍ତି ଓ ସ୍ଥାୟୀ ଶିକ୍ଷକ ନିଯୁକ୍ତି ନଦେଇ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଅଗଣିତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହେଉଛି ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କମର୍ଚାରୀ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି।

ପ୍ରକାଶଥାଉକି, ରାଜ୍ୟରେ ୨୦୦୪ ମସିହା ଠାରୁ ବିଦ୍ୟାଳୟ ଓ ୨୦୦୮ ମସିହା ଠାରୁ ଅନୁଦାନ ପାଇ ଆସୁଥିବା ମହାବିଦ୍ୟାଳୟଗୁଡ଼ିକ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ଶୂନ୍ୟ ହୋଇଗଲାଣି। ପ୍ରତିମାସରେ ଅନେକ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଶୂନ୍ୟ ହସ୍ତରେ ଅବସର ନେଉଛନ୍ତି ଓ ମୃତ୍ୟୁବରଣ କରୁଛନ୍ତି। ଏହି ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ସରକାର ନୂତନ ନିଯୁକ୍ତି ଦେଉ ନଥିବାରୁ ଧୀରେ ଧୀରେ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ଘୋର ଅଭାବ ଦେଖାଦେଉଛି। ପ୍ରାୟ ୬୦୦୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ସହିତ ଅନେକ ଅଧ୍ୟାପକ ଇତିମଧ୍ୟରେ ଅବସର ନେଲେଣି ଓ ତନ୍ମଧ୍ୟରୁ କେତେକ ମୃତ୍ୟୁବରଣ ମଧ୍ୟ କଲେଣି। ଏହି ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ଜଣେ କିମ୍ବା ଦୁଇଜଣ ଶିକ୍ଷକରେ ଚାଲୁଅଛି, ଯାହାର ଭାଗ୍ୟ ଓ ଭବିଷ୍ୟତ ସରକାରଙ୍କ ହାତରେ। ସରକାର ତୁରନ୍ତ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଏସ୍‌.ଏସ୍‌.ବି. ମାଧ୍ୟମରେ ସ୍ଥାୟୀ ଶିକ୍ଷକ ନିଯୁକ୍ତିର ବ୍ୟବସ୍ଥା କରି ଶିକ୍ଷକ ଓ ଅଧ୍ୟାପକ ଅଭାବରୁ ଭାଙ୍ଗିବାକୁ ବସିଥିବା ଏହି ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ରକ୍ଷା କରାନ୍ତୁ।

ଜାତୀୟ ଶିକ୍ଷାନୀତି ୨୦୨୦ ଲାଗୁ କରିବା ନିମନ୍ତେ ସରକାର ତତ୍ପରତା ପ୍ରକାଶ କରୁଛନ୍ତି ମାତ୍ର ଏଥିରେ ଶିକ୍ଷକ ଅଧ୍ୟାପକ ନିଯୁକ୍ତି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ସରକାରଙ୍କର ଇଚ୍ଛାଶକ୍ତିର ଅଭାବ ରହିଛି ବୋଲି ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି। ଅନ୍ୟ ପକ୍ଷରେ ସରକାର ଯେଉଁ ଅତିଥି ଶିକ୍ଷକ ଓ ଅଧ୍ୟାପକମାନଙ୍କୁ ନେଇ ବିଦ୍ୟାଳୟ ଓ ମହାବିଦ୍ୟାଳୟର ପାଠପଢ଼ା କାମ ଚଳାଉଛନ୍ତି ସେମାନଙ୍କ ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ ଅହେତୁକ ବିଳମ୍ବ ଘଟିଛି । ଫଳରେ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି। ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ଶହ ଶହ ଛାତ୍ରଛାତ୍ରୀ ପାଠ ପଢ଼ୁଥିଲାବେଳେ ଜଣେ କିମ୍ବା ଦୁଇଜଣ ଶିକ୍ଷକରେ କିପରି ପାଠପଢ଼ା ଚାଲିବ ତାହାକୁ ନେଇ ଅଭିଭାବକ, ବୁଦ୍ଧିଜୀବୀ, ଶିକ୍ଷାବିତ୍ ତଥା ସାଧାରଣଜନତାଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସରକାରୀ ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତି କରିବା ପାଇଁ ସରକାରଙ୍କ ତରଫରୁ ତତ୍ପରତା ପ୍ରକାଶ ପାଉଥିଲା ବେଳେ ଏହି ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ଥାୟୀ ଶିକ୍ଷକ ଅଧ୍ୟାପକ ନିଯୁକ୍ତି ପ୍ରତି ବୈମାତୃକ ମନୋଭାବ କାହିଁକି ବୋଲି ସମନ୍ୱୟ ସମିତି ପକ୍ଷରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାରଙ୍କ ନିକଟରେ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ତାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇ ନପାରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଅବସର ନେବାପରେ ପିଲାମାନଙ୍କର କ୍ରୀଡ଼ା, ବ୍ୟାୟାମ ଆଦି ଶିକ୍ଷଣରେ ବାଧା ଉପୁଜୁଛି। ସବୁ ପିଲାଙ୍କ ପାଇଁ ସମାନ ସୁବିଧା ଯୋଗାଇ ଦେବା ସରକାରଙ୍କର କର୍ତ୍ତବ୍ୟ ଅଟେ। ମାତ୍ର ଏହି ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ଏହାର ବ୍ୟତିକ୍ରମ ଲକ୍ଷ୍ୟ କରାଯାଉଛି। ତେଣୁ ଅବସର ପରେ ନୂତନ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ କ୍ରୀଡ଼ା ଶିକ୍ଷକମାନଙ୍କୁ ମଧ୍ୟ ଅତିଥି ଶିକ୍ଷକ ଭାବେ ନିଯୁକ୍ତିର ବ୍ୟବସ୍ଥା କରାଯିବା ଏବଂ ଏହି ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା କିପରି ସୁରୁଖୁରୁରେ ଚାଲିବ ସେଥିନିମନ୍ତେ ସମନ୍ୱୟ ସମିତି ତରଫରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

ରାଜ୍ୟରେ ନୂତନ ଭାବରେ ଦାୟିତ୍ୱ ନେଇଥିବା ଜନପ୍ରିୟ ସରକାର ତାଙ୍କର ଦୁଇବର୍ଷ ପୂର୍ତ୍ତି ପାଳନ କରିଥିଲେ ମଧ୍ୟ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ବ୍ୟବସ୍ଥାରେ ସେପରି କିଛି ନୂତନତ୍ୱ ପରିଲକ୍ଷିତ ହୋଇନାହିଁ। ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ଥାୟୀ ଶିକ୍ଷକ ନିଯୁକ୍ତି ବ୍ୟବସ୍ଥା ପ୍ରଦାନ କରିବା ପର୍ଯ୍ୟନ୍ତ ସରକାର ଅତିଥି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଯଥାଶୀଘ୍ର ନିଯୁକ୍ତି ପ୍ରଦାନ କରିବା ନିମନ୍ତେ ନିର୍ଦ୍ଦେଶନାମା ପ୍ରକାଶ କଲେ ବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ସୃଷ୍ଟି ହୋଇପାରିବ ଏବଂ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା ସଠିକ୍ ଭାବରେ ଚାଲିବ ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସମନ୍ୱୟ ସମିତିର ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ନିର୍ମଳା ପଣ୍ଡା, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଅଜୟ କୁମାର ପତି, ରଞ୍ଜନ କୁମାର ପଣ୍ଡା, ଏମ୍‌.ଏ. କାସିମ୍ ବେଗ୍‌, ପ୍ରଶାନ୍ତ କୁମାର ପତି, ସୁରେଶ ଚନ୍ଦ୍ର ଦାଶ, ରାଜା ଓସିମ୍‌, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା, ଗଦାଧର ଶତପଥୀ, ରମାକାନ୍ତ ଲେଙ୍କା ଏବଂ ମଧୁସୂଦନ ଦେ ପ୍ରମୁଖ ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି।

Leave A Reply

Your email address will not be published.