ଭୁବନେଶ୍ୱର : ଦେଶରେ ରନ୍ଧନ ଗ୍ୟାସ୍ ଯୋଗାଣକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ହର୍ମୁଜ ପ୍ରଣାଳୀରେ ଜାରି ରହିଥିବା ସଙ୍କଟ ଯୋଗୁଁ ଭାରତକୁ LPG ଆମଦାନୀ ବାଧାପ୍ରାପ୍ତ ହୋଇଛି। ଏଭଳି ସ୍ଥିତିରେ ସୀମିତ ଷ୍ଟକ୍କୁ ଅଧିକ ଦିନ ଚଲାଇବା ପାଇଁ ସରକାର ବଡ ପଦକ୍ଷେପ ନେଇପାରନ୍ତି। ଏବେ ୧୪.୨ କେଜି ବଦଳରେ ୧୦ କେଜି ଗ୍ୟାସ୍ ଭର୍ତ୍ତି କରି ଯୋଗାଇବାକୁ ଯୋଜନା କରାଯାଉଛି।
ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ହର୍ମୁଜ ପ୍ରଣାଳୀ ଦେଇ ଆସୁଥିବା ଗ୍ୟାସ୍ ଜାହାଜ ଗୁଡ଼ିକ ଅଟକି ରହିଛି। ଭାରତ ତାର ଆବଶ୍ୟକତାର ପ୍ରାୟ ୬୦% LPG ବିଦେଶରୁ ଆମଦାନୀ କରିଥାଏ। ବର୍ତ୍ତମାନ ଆମଦାନୀ କମିଥିବାରୁ ଘରୋଇ ଷ୍ଟକ୍ ଉପରେ ଚାପ ପଡ଼ିଛି।
ସରକାରୀ ତୈଳ କମ୍ପାନୀଗୁଡ଼ିକର ଯୋଜନା ଅନୁଯାୟୀ, ସାଧାରଣ ସିଲିଣ୍ଡରରେ ୧୪.୨ କେଜି ପରିବର୍ତ୍ତେ ୧୦ କେଜି ଗ୍ୟାସ୍ ଦିଆଯାଇପାରେ। ଏହାଦ୍ୱାରା କମ୍ ଗ୍ୟାସ୍ରେ ଅଧିକ ପରିବାରକୁ ସିଲିଣ୍ଡର ଯୋଗାଇ ଦିଆଯାଇପାରିବ। ଏକ ୧୦ କେଜିଆ ସିଲିଣ୍ଡର ଜଣେ ସାଧାରଣ ଗ୍ରାହକଙ୍କ ପାଇଁ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଚାଲିପାରିବ ବୋଲି ଆକଳନ କରାଯାଉଛି।
ଯଦି ଏହି ନିଷ୍ପତ୍ତି ଲାଗୁ ହୁଏ, ତେବେ ସିଲିଣ୍ଡର ଉପରେ କମ୍ ପରିମାଣର ଲେବଲ୍ ଲଗାଯିବ ଏବଂ ଗ୍ୟାସ୍ର ପରିମାଣ ଅନୁସାରେ ଦାମ୍ ମଧ୍ୟ କମାଯିବ। ତେବେ ଏଥିପାଇଁ ନିୟାମକ ଅନୁମୋଦନ ଏବଂ ବୋଟଲିଂ ପ୍ଲାଣ୍ଟରେ କିଛି ପରିବର୍ତ୍ତନର ଆବଶ୍ୟକତା ରହିଛି।
ପେଟ୍ରୋଲିୟମ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ମଧ୍ୟ LPG ଉପଲବ୍ଧତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଦେଶରେ ପ୍ରତିଦିନ ପ୍ରାୟ ୯୩,୫୦୦ ଟନ୍ LPG ବ୍ୟବହାର ହେଉଥିବାବେଳେ, ଆଗାମୀ କିଛି ସପ୍ତାହ ମଧ୍ୟରେ ଯୋଗାଣ ସ୍ଥିତି ଅଧିକ ଜଟିଳ ହୋଇପାରେ।
ସେପଟେ ଓଡ଼ିଶାରେ ଗ୍ୟାସ୍ ସଂକଟ ବେଳେ ଚାଲିଛି ମହାଲୁଟ୍। ମାତିଛନ୍ତି କମର୍ସିଆଲ୍ ଗ୍ୟାସ୍ ବ୍ଲାକର୍। ହୋଟେଲ୍ ଶିଳ୍ପରେ ପଡ଼ିଲାଣି ହାହାକାର। କେଉଁଠି ସିଲିଣ୍ଡର ପିଛା ୩ ହଜାର ତ କେଉଁଠି ୪ ହଜାର। ଏଭଳି ସ୍ଥିତିରେ କିଏ କାଠ, କୋଇଲାରେ କାମ ଚଳାଉଛି ତ ଆଉ କିଏ ଦୋକାନ ବନ୍ଦ କରିବା ଉପରେ। ଚଢା ଦରରେ ଖାଉଟି ବି ଆକ୍ତାମାକ୍ତା। ସେପଟେ କଳାବଜାରୀଙ୍କୁ ନାଲିଆଖି ଦେଖାଇବା ସହି ବ୍ୟବସାୟୀଙ୍କୁ ଆଶ୍ବସ୍ତି ଦେଇ ମନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର ହୋଟେଲ୍ ମାନଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥାରେ ଗ୍ୟାସ୍ ଯୋଗାଇ ଦିଆଯିବ।
Comments are closed.