ଭୁବନେଶ୍ୱରରେ ପ୍ରଥମ ଭିସା ଆବେଦନ କେନ୍ଦ୍ର ଖୋଲିଲେ ମୁଖ୍ୟମନ୍ତ୍ରୀ ମାଝୀ

ଭୁବନେଶ୍ବର : ରାଜ୍ୟରେ ସହଜ ହେଲା ଭିସା ଆବେଦନ । ରାଜ୍ୟ ବାହାରକୁ ଯାଇ ଭିସା ଆବେଦନ କରିବାକୁ ପଡିବ ନାହିଁ । ଓଡ଼ିଶାବାସୀଙ୍କୁ ଭିସା ସେବା ପାଇଁ କୋଲକାତା, ଦିଲ୍ଲୀ କିମ୍ବା ହାଇଦ୍ରାବାଦ ଭଳି ସହରକୁ ଆଉ ଯିବାକୁ ପଡିବ ନାହିଁ। ବିଦେଶ ଯିବାକୁ ଚାହୁଁଥିବା ବ୍ୟକ୍ତି ଓ ଛାତ୍ରଛାତ୍ରୀଙ୍କୁ ଏହା ଆଶ୍ୱସ୍ତି ଆଣିଦେଇଛି ।

ବରମୁଣ୍ଡା ବିଏସ୍ଏବିଟିରେ ଭିସା ଆବେଦନ କେନ୍ଦ୍ରକୁ ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଏହି ସେବା। ଚଳିତ ମାସ ୭ ତାରିଖରୁ ଇଂଲଣ୍ଡ, ଅଷ୍ଟ୍ରିଆ ଓ ସ୍ୱିଜରଲ୍ୟାଣ୍ଡକୁ ଭିସା ସେବା ଆରମ୍ଭ ହେବ । ଏପ୍ରିଲ ୧୦ ତାରିଖରୁ ଆୟାରଲ୍ୟାଣ୍ଡ, ଇଟାଲୀ, ଜାପାନ ଓ ଏଷ୍ଟୋନିଆକୁ ଏହି ସେବା ମିଳିବ ।

ଏପ୍ରିଲ ୧୭ ତାରିଖରୁ ଇଜିପ୍ଟ ଓ ମରୋକ୍କୋ ପାଇଁ ଏଇଠୁ ଭିସା ମିଳିବ । ଏପ୍ରିଲ ୨୪ ତାରିଖରୁ ଯୁରୋପୀୟ ୟୁନିୟନର ମାଲ୍ଟାକୁ (ଡି-ଭିସା) ସେବା ଆରମ୍ଭ ହେବାକୁ ଯାଉଛି । ଆଗାମୀ ମାସଗୁଡିକରେ ଅନ୍ୟ ଦେଶମାନଙ୍କୁ ମଧ୍ୟ ଭିସା ସେବା ମିଳିବ ବୋଲି ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ କୁହାଯାଇଛି ।

ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ଓଡ଼ିଶାରେ ଭିସା ସେବାକୁ ଉନ୍ନତ କରିବା ଦିଗରେ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ବିଏସ୍ଏବିଟିରେ କେନ୍ଦ୍ରଟି ସ୍ଥାପନ ପାଇଁ ରାଜ୍ୟ ସରକାର ପ୍ରାୟ ୩୦୦୦ ବର୍ଗଫୁଟ୍ ସ୍ଥାନ ପ୍ରଦାନ କରିଛନ୍ତି। ଗତ ୨୩ ତାରିଖରେ ଗୃହ ବିଭାଗ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଭିଏଫଏସ୍ ଗ୍ଲୋବାଲ୍ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

ପ୍ରାୟ ୧୧ ଏକର ଜମିରେ ବ୍ୟାପ୍ତ ବିଏସଏବିଟି ହେଉଛି ଓଡ଼ିଶାର ସବୁଠାରୁ ବଡ଼ ବସ୍ ଟର୍ମିନାଲ। ଏଠାରେ ଦୈନିକ ପ୍ରାୟ ୧୫୦୦ରୁ ଅଧିକ ବସ୍ ଚଳାଚଳ କରେ ।  ପ୍ରାୟ ୨୦ ହଜାର ଯାତ୍ରୀ ଆସନ୍ତି।  ଆନ୍ତଃରାଜ୍ୟ ଓ ଅନ୍ତଃଜିଲ୍ଲା ରୁଟ୍ ଗୁଡ଼ିକୁ ମଧ୍ୟ ଏଇଠୁ ପରିଚାଳନା କରାଯାଏ। ଏହି କେନ୍ଦ୍ର ଖୋଲାଯିବା ଦ୍ୱାରା ଲୋକଙ୍କୁ ଭିସା ପାଇଁ ଆଉ ହଇରାଣ ହରକତ ହେବାକୁ ପଡିବ ନାହିଁ ।

Comments are closed.