ସିଆଇଆଇ ଶିଳ୍ପ କାର୍ନିଭାଲ ୨୦୨୫ : ଓଡ଼ିଶାରେ ଆସିବ ୩୦ ଲକ୍ଷ କୋଟିର ନିବେଶ

ଭୁବନେଶ୍ୱର :  ରାଜ୍ୟରେ ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ସମାବେଶୀ ଆର୍ଥିକ ଅଭିବୃଦ୍ଧି ହାସଲ କରିବା ଦିଗରେ ସରକାର ଏବଂ ଶିଳ୍ପସଂସ୍ଥା ମଧ୍ୟରେ ଦୃଢ଼ ସହଭାଗୀତା ରହିବା ନିତାନ୍ତ ଆବଶ୍ୟକ। ଆଜି ଭୁବନେଶ୍ୱରଠାରେ ସିଆଇଆଇ (CII) ଓଡ଼ିଶା ପକ୍ଷରୁ ଆୟୋଜିତ ବାର୍ଷିକ ବୈଠକରେ ଯୋଗଦେଇ ରାଜ୍ୟ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏହି ମତ ରଖିଛନ୍ତି।

ଏହି ବୈଠକର ମୁଖ୍ୟ ବିଷୟବସ୍ତୁ ଥିଲା “ଓଡ଼ିଶା ଲିଡିଙ୍ଗ: ସ୍ଥାୟୀ ଏବଂ ସମାବେଶୀ ବିକାଶ ପାଇଁ ସହଭାଗୀତା”

ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିଜ ଉଦଘାଟନୀ ଅଭିଭାଷଣରେ ବୃହତ ଉଦ୍ୟୋଗ ଏବଂ ଏମଏସଏମଇ (MSME) ମଧ୍ୟରେ ସମନ୍ୱୟ ରଖିବା ଉପରେ ଜୋର୍ ଦେଇଥିଲେ। ସେ କହିଥିଲେ ଯେ ସାମାଜିକ ଦାୟିତ୍ୱବୋଧ ସହ ଆର୍ଥିକ ଅଭିବୃଦ୍ଧିର ତାଳମେଳ ରହିଲେ ହିଁ ପ୍ରକୃତ ସମାବେଶୀ ବିକାଶ ସମ୍ଭବ। ରାଜ୍ୟ ସରକାର ବୟନଶିଳ୍ପ (Textiles), ଔଷଧ ନିର୍ମାଣ, ଲଜିଷ୍ଟିକ୍ସ ଏବଂ ଉନ୍ନତ ଉତ୍ପାଦନ କ୍ଷେତ୍ରରେ ପୁଞ୍ଜିନିବେଶ ଆକର୍ଷିତ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଆଗାମୀ ଦିନରେ ସମଗ୍ର ଓଡ଼ିଶାରେ ‘ଶିଳ୍ପ ପାର୍କ ମଡେଲ’ ଏବଂ ‘ଆଞ୍ଚଳିକ ଶିଳ୍ପ କରିଡର’ ବିକାଶ କରାଯିବ। ରାଜ୍ୟର କର୍ମଶକ୍ତିରେ ମହିଳାମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବାକୁ ସରକାର ପ୍ରାଥମିକତା ଦେଉଛନ୍ତି।

ଏହି ଅଧିବେଶନରେ ମୁଖ୍ୟ ସଚିବ ଶ୍ରୀମତୀ ଅନୁ ଗର୍ଗ ଯୋଗଦେଇ କହିଥିଲେ ଯେ, ଓଡ଼ିଶାର ଜିଡିପି (GDP) ଏବେ ୧୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ନୀତି ଆୟୋଗ ମଧ୍ୟ ଓଡ଼ିଶାକୁ ଆର୍ଥିକ ସ୍ୱାସ୍ଥ୍ୟ ସୂଚକାଙ୍କରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ସ୍ୱୀକୃତି ଦେଇଛି। ସେ “ଥିଙ୍କ ଇଣ୍ଡିଆ, ଥିଙ୍କ ଓଡ଼ିଶା” ଆହ୍ୱାନ ସହ ନିବେଶକମାନଙ୍କୁ ପର୍ଯ୍ୟଟନ ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ମିଶନରେ ନିବେଶ ପାଇଁ ଉତ୍ସାହିତ କରିଥିଲେ।

ସେହିପରି ଗୃହ ଓ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ହେମନ୍ତ ଶର୍ମା ‘ଭିଜନ ୨୦୩୬’ ଏବଂ ‘ଭିଜନ ୨୦୪୭’ର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ। ତାଙ୍କ ମତରେ ଆଗାମୀ ୧୫-୨୦ ବର୍ଷ ମଧ୍ୟରେ ଓଡ଼ିଶାକୁ ପ୍ରାୟ ୩୦ ଲକ୍ଷ କୋଟି ଟଙ୍କାର ନିବେଶ ଆବଶ୍ୟକ ହେବ, ଯାହା ମୁଖ୍ୟତଃ ପେଟ୍ରୋକେମିକାଲ୍ସ, ମହାକାଶ ଏବଂ ପ୍ରତିରକ୍ଷା ଭଳି ନୂତନ କ୍ଷେତ୍ରକୁ ଆସିବ।

ସିଆଇଆଇ ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ ଅନିଲ କୁମାର ସିଂହ ଓଡ଼ିଶାରେ ଆଇଟି, ନବୀକରଣୀୟ ଶକ୍ତି ଓ ଉନ୍ନତ ଉତ୍ପାଦନ କ୍ଷେତ୍ରରେ ଥିବା ସୁଯୋଗ ବିଷୟରେ ଆଲୋକପାତ କରିଥିଲେ। ସିଆଇଆଇ ପୂର୍ବାଞ୍ଚଳର ଉପାଧ୍ୟକ୍ଷ ମେହୁଲ ମୋହନକା ଏବଂ ଓଡ଼ିଶା ରାଜ୍ୟ ପରିଷଦର ଉପାଧ୍ୟକ୍ଷ ମଣିକାନ୍ତ ନାଏକ ମଧ୍ୟ ରାଜ୍ୟର ଅର୍ଥନୈତିକ ପରିବର୍ତ୍ତନକୁ ପ୍ରଶଂସା କରିଥିଲେ।

ଏହି ଅବସରରେ ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଓ ନବସୃଜନ ପାଇଁ ‘ସିଆଇଆଇ ଶିଳ୍ପ କାର୍ନିଭାଲ ୨୦୨୫ ପୁରସ୍କାର’ ପ୍ରଦାନ କରାଯାଇଥିଲା। ଏହାବ୍ୟତୀତ ଯୁବ ଉଦ୍ୟୋଗୀମାନଙ୍କୁ ନେଇ ଷ୍ଟାର୍ଟଅପ୍ ଏବଂ ଇନୋଭେସନ୍ ଉପରେ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବହୁ ବରିଷ୍ଠ ଅଧିକାରୀ ଏବଂ ଶିଳ୍ପପତି ଅଂଶଗ୍ରହଣ କରିଥିଲେ।

Comments are closed.