କୋଲକାତା (୨୦/୪):ଐତିହ୍ୟ ମଣ୍ଡିତ ଭାରତ ସଭାଗୃହରେ ନୀଳଚକ୍ର ପଶ୍ଚିମବଙ୍ଗ ଆୟୋଜିତ ଓଡ଼ିଆ ଓ ବଙ୍ଗଳା ଶିଶୁ ସାହିତ୍ୟ ଆଲୋଚନା ଚକ୍ର ଏବଂ ପ୍ରଫେସର ଡଃ ମନୋରମା ବିଶ୍ୱାଳ ମହାପାତ୍ର ରଚିତ, ଭାରତୀ ନନ୍ଦୀ ଦ୍ୱାରା ବଙ୍ଗଳାରେ ଅନୁବାଦିତ ‘ଧଉଳି ପାହାଡ଼େ ଦୀକ୍ଷା, ମରିଶାସେ ଦୀକ୍ଷା ଓ ଠାକୁମା ଏବଂ ଚାନ୍ଦିପୁର ଭ୍ରମଣ’ ପୁସ୍ତକର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅତିଥି ମାନେ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ର ସୂଚନା କରିଥିଲେ। କୋଲକତା ର ବୟୋଜ୍ୟେଷ୍ଠ କଥାକାର ଏବଂ ପ୍ରାବନ୍ଧିକ ରବୀନ୍ଦ୍ର ପଣ୍ଡାଙ୍କ ବିୟୋଗରେ ତାଙ୍କର ଆତ୍ମାର ଶାନ୍ତି କାମନା କରି ଏକ ନିରବ ପ୍ରାର୍ଥନା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କବିୟତ୍ରୀ ପ୍ରଫେସର ଡଃ ମନୋରମା ବିଶ୍ୱାଳ ମହାପାତ୍ର ମୁଖ୍ୟ ଅତିଥି ଭାବରେ, ସାହିତ୍ୟ ଅକାଦେମୀ ପୂର୍ବାଞ୍ଚଳ କାର୍ଯ୍ୟାଳୟ ର ମୁଖ୍ୟ ଶ୍ରୀ କ୍ଷେତ୍ରବାସୀ ନାୟକ ମୁଖ୍ୟ ବକ୍ତା ଭାବରେ, ବିଶିଷ୍ଟ ସାହିତ୍ୟିକ ଡଃ କୃଷ୍ଣଚନ୍ଦ୍ର ଭୂୟାଁ, ସତ୍ୟଜିତ ରାୟଙ୍କ ସମ୍ପାଦିତ ଶିଶୁ ପତ୍ରିକା ‘ସନ୍ଦେଶ’ ର ପୂର୍ବତନ କାର୍ଯ୍ୟକାରୀ ସମ୍ପାଦକ ରୂପକ ଚଟ୍ଟରାଜ ଏବଂ ବିଶିଷ୍ଟ କଥାଶିଳ୍ପୀ ଏବଂ ସାହିତ୍ୟ ଅକାଦେମୀ ଅନୁବାଦ ପୁରସ୍କାରରେ ସମ୍ମାନିତ ଶ୍ରୀ ଶ୍ୟାମଳ ଭଟ୍ଟାଚାର୍ଯ୍ୟ ପ୍ରମୁଖ ସମ୍ମାନିତ ଅତିଥିଭାବେ ଏବଂ ସାହିତ୍ୟ ଅକାଦେମୀ ଅନୁବାଦ ପୁରସ୍କାରରେ ସମ୍ମାନିତା ଭାରତୀ ନନ୍ଦୀ ନିମନ୍ତ୍ରିତ ଅତିଥି ଭାବରେ ଉପସ୍ଥିତ ରହି ଓଡ଼ିଆ ଓ ବଙ୍ଗଳା ଶିଶୁ ସାହିତ୍ୟ, ସାହିତ୍ୟିକ ଏବଂ. ସାମ୍ପ୍ରତିକ ପରିସ୍ଥିତିରେ ସଚେତନ ନାଗରିକ ତଥା ଏକ ଆଦର୍ଶ ସମାଜ ଗଠନରେ ଶିଶୁ ସାହିତ୍ୟର ଆବଶ୍ୟକତା ପ୍ରଭୃତି ବିଷୟରେ ଏକ ମନୋରମ ଆଲୋଚନା ଉପସ୍ଥାପିତ କରିଥିଲେ। ଲୋକାର୍ପିତ ପୁସ୍ତକ ବିଷୟରେ ମୁଖ୍ୟବକ୍ତା ଏବଂ ଆଜିର ଆଲୋଚନା ଚକ୍ରର ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀ ନାରାୟଣ ମଲ୍ଲିକ କହିବାକୁ ଯାଇ ଏହି ବହିଟିରେ ଚିତ୍ର ଓ କଥା ମାଧ୍ୟମରେ ପିଲାମାନଙ୍କ ପାଇଁ ଓଡ଼ିଶାର ଭୂଗୋଳ, ଇତିହାସ, ଦର୍ଶନୀୟ ସ୍ଥାନ ସମ୍ପର୍କରେ ଏକ ସୁନ୍ଦର ଚିତ୍ର ପ୍ରଦାନ କରା ହୋଇଛି ଯାହା ଆମର ଶିଶୁ ମାନଙ୍କୁ ଓଡ଼ିଶାକୁ ଚିହ୍ନେଇବାରେ ସହାୟକ ହେବ। ପୁସ୍ତକଟିକୁ ଗବେଷକ ଡଃ କୃଷ୍ଣଚନ୍ଦ୍ର ଭୂୟାଁ ଲୋକାର୍ପଣ କରିଥିଲେ।ଏହି ଅବସରରେ କୋଲକତାର ବିଶିଷ୍ଟ ଶିଶୁ ସାହିତ୍ୟିକ ଶ୍ରୀ ସୁଧାଂଶୁ ଦ୍ବିବେଦୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନୀଳଚକ୍ରର ଉପଦେଷ୍ଟା ଏବଂ ଜାତୀୟ ଗ୍ରନ୍ଥାଗାରର ଅବସର ପ୍ରାପ୍ତ ଗ୍ରନ୍ଥାଗାରିକ ସାଫଲ୍ୟ କୁମାର ନନ୍ଦୀ ସ୍ବାଗତ ଭାଷଣ ଦେବା ସହିତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ସଞ୍ଚାଳନ କରିଥିଲେ। ନୀଳଚକ୍ର ପଶ୍ଚିମବଙ୍ଗର ସମ୍ପାଦକ ଶ୍ରୀ ଶେଷଦେବ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅସମୀୟା ସାହିତ୍ୟିକ ଶ୍ରୀ ଓ ଶ୍ରୀମତୀ କରୁଣାକାନ୍ତି ଡେକା, ବିଶିଷ୍ଟ ସାହିତ୍ୟିକ ଭୁପେଶ ମିଶ୍ର, ସୁଧାଂଶୁ ଶେଖର ଦ୍ବିବେଦୀ,ପ୍ରଶାନ୍ତ ନାଥ, ନରେଶ ଚନ୍ଦ୍ର ସାହୁ, ସମାଜସେବୀ ଗଜେନ୍ଦ୍ର ସ୍ବାଇଁ, ଶ୍ରୀମତୀ ନିର୍ମଳା ଭୂୟାଁ, ପରିବେଶବିତ୍ କୃତ୍ତିବାସ ମହାପାତ୍ର, ନୀଳଚକ୍ର ପଶ୍ଚିମବଙ୍ଗର ବହୁ
ସଦସ୍ୟ ସଦସ୍ୟା ଯୋଗଦାନ କରିଥିଲେ।
ରିପୋର୍ଟ-ସନାତନ ମହାକୁଡ଼ ।