ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଶିକ୍ଷା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ତଥା ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟର ୪୩ତମ ବୈଠକରେ ରାଜ୍ୟର ବିକାଶ ପାଇଁ ମୋଟ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି। ତେବେ ଏହା ମଧ୍ୟରୁ ସବୁଠାରୁ ବଡ଼ ନିଷ୍ପତ୍ତି ହେଉଛି “ଜ୍ଞାନୋଦୟ- ଶିକ୍ଷାରୁ ସମୃଦ୍ଧି” ଯୋଜନାର ଅନୁମୋଦନ।
ବୈଠକ ପରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଏହି ଯୋଜନା ମାଧ୍ୟମରେ ରାଜ୍ୟର କେ.ଜି (KG) ରୁ ପି.ଜି (PG) ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ମାଗଣା ଶିକ୍ଷା ପ୍ରଦାନ କରାଯିବ।
-
ସମ୍ପୂର୍ଣ୍ଣ ଫି’ ଛାଡ଼: ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ (Aided) ଅନୁଷ୍ଠାନଗୁଡ଼ିକରେ ପଢୁଥିବା ନିୟମିତ (Regular) ଛାତ୍ରଛାତ୍ରୀଙ୍କ ନାମଲେଖା ଫି’ ସମ୍ପୂର୍ଣ୍ଣ ଛାଡ଼ କରାଯିବ।
-
କେବେଠାରୁ ଲାଗୁ? : ଏହି ଯୋଜନା ଚଳିତ ଶିକ୍ଷାବର୍ଷ (୨୦୨୬-୨୭) ରୁ ହିଁ କାର୍ଯ୍ୟକାରୀ ହେବ।
-
କିଏ ପାଇବେ ସୁବିଧା? : ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ପିଲା, ସରକାରୀ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ନିୟମିତ ସ୍ନାତକ (Graduation) ଏବଂ ସ୍ନାତକୋତ୍ତର (PG) କରୁଥିବା ଛାତ୍ରଛାତ୍ରୀ ଏହାର ସିଧାସଳଖ ଲାଭ ପାଇବେ। (ସୂଚନାଯୋଗ୍ୟ ଯେ, ଓଡ଼ିଶାରେ କେଜିରୁ ଅଷ୍ଟମ ପର୍ଯ୍ୟନ୍ତ ଶିକ୍ଷା ପୂର୍ବରୁ ହିଁ ମାଗଣା ରହିଛି।)
ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଏହି ଯୋଜନା କେବଳ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ଅନୁଷ୍ଠାନ ପାଇଁ ଲାଗୁ ହେବ।
ସେଲ୍ଫ-ଫାଇନାନ୍ସିଙ୍ଗ୍ (Self-financing) କୋର୍ସ, ବେସରକାରୀ ବା ପ୍ରାଇଭେଟ୍ କଲେଜ୍, ପିପିପି (PPP) ମୋଡ୍ର ଅନୁଷ୍ଠାନ ଏବଂ ପ୍ରଫେସନାଲ୍ ବା ବୈଷୟିକ (Technical/Professional) ପାଠ୍ୟକ୍ରମଗୁଡ଼ିକୁ ଏହି ଯୋଜନାରେ ସାମିଲ କରାଯାଇ ନାହିଁ।
ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଦ୍ୱାରା ଏହା ଏକ ସର୍ବବୃହତ୍ ପୁଞ୍ଜିନିବେଶ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆର୍ଥିକ ଅଭାବ କାରଣରୁ ଯେପରି କୌଣସି ପିଲା ପାଠପଢ଼ାରୁ ବଞ୍ଚିତ ନହୁଅନ୍ତି, ତାହା ନିଶ୍ଚିତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ପ୍ରଥମ ବର୍ଷ ୮୯୫.୫୭ କୋଟି ଟଙ୍କା ଏବଂ ଆଗାମୀ ୫ ବର୍ଷ ମଧ୍ୟରେ ମୋଟ ୫,୪୬୭.୫୫ କୋଟି ଟଙ୍କା ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି।
ଏହାଦ୍ୱାରା ପ୍ରତିବର୍ଷ ରାଜ୍ୟର ପ୍ରାୟ ୩୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। “ଜ୍ଞାନୋଦୟ – ଶିକ୍ଷାରୁ ସମୃଦ୍ଧି କେବଳ ଏକ ଫି’ ଛାଡ଼ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ବିକଶିତ ଓଡ଼ିଶା ଗଠନ ଦିଗରେ ଏକ ଦୃଢ଼ ପଦକ୍ଷେପ,” ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।