ବୃନ୍ଦାବନରେ ତପସ୍ଵିନୀ ମହାଲକ୍ଷ୍ମୀ

ଅର୍ଜୁନୀ ଚରଣ ବେହେରା

ଦ୍ୱାପର ଯୁଗର କଥା l ଵର୍ଷା ଋତୁ ଯାଇ ଧରାରେ ପ୍ରବେଶ କରି ଥାଏ ଶରତ ଋତୁ l ନିର୍ମଳ ଶୋଭା ଧାରଣ କରି ଥାଏ ସମଗ୍ର ବୃନ୍ଦାବନର ବନ ଭୂମି l
ନିର୍ମଳ ଶରତ ଚନ୍ଦ୍ରାଲୋକରେ ଉଦ୍ଭାସିତ, ସମଗ୍ର ବ୍ରଜଭୂମି l ଭାଗବତରେ ଅତିବଡ଼ି ଜଗନ୍ନାଥ ଦାସ ଲେଖିଲେ,” ଶରଦ ଭୟେ ମେଘ ଗଲା l ଆକାଶ ନିର୍ମଳ ଦିଶିଲା l ଗଗନେ ପ୍ରକାଶଇ ଶଶି l ନିର୍ମଳ ବିରାଜଇ ନିଶି l”
ସେହି ଶରତ ଚନ୍ଦ୍ରାଲୋକିତ ରଜନୀରେ ବୃନ୍ଦାବନ କେଳି କୁଞ୍ଜରେ ଭଗବାନ ଶ୍ରୀକୃଷ୍ଣ ଗୋପୀମାନଙ୍କ ସହିତ ରାସକ୍ରୀଡ଼ା ରଚନାକଲେ l ତାଙ୍କ ମୋହନ ମୁରଲୀରୁ ମଧୁ ମୂର୍ଚ୍ଛନା ଭାଷି ଆସୁ ଥାଏ l ସମଗ୍ର ଜଗତ, ପ୍ରକୃତି ଉଲ୍ଲସିତ l ସ୍ୱର୍ଗରୁ ପାରିଜାତ ବୃଷ୍ଟି ହେଉଥାଏ l କୃଷ୍ଣ ପ୍ରେମରେ ଉନ୍ମତ୍ତ ବୈଷ୍ଣବ ଗଣ ସଂକୀର୍ତ୍ତନର ଉଦ୍ଦଣ୍ଡ ରାଗିଣୀ ତୋଳିଥାନ୍ତି :-
କୃଷ୍ଣ ନାଚେ ରାଧା ନାଚେ ନାଚେ ଗୋପୀଗନ l
ମଧୁରମଧୁର ବଂଶୀ ବାଜେ ଏଇତ ବୃନ୍ଦାବନ ll
ଭଗବାନଙ୍କର ସେହି ମୋହନମୁରଲୀର ସୁମଧୁର ଧ୍ୱନୀ ତ୍ରିପୁରରେ ଗୁଞ୍ଜରିତ ହେଉଥାଏ l ମଧୁମୟ ସେହି ଧ୍ୱନୀ ଯାଇ ପହଞ୍ଚିଲା ବୈକୁଣ୍ଠପୁରରେ ମା’ ଲକ୍ଷ୍ମୀଙ୍କ ନିକଟରେ l ସେହି ଦିବ୍ୟ ଧ୍ୱନୀକୁ ଶ୍ରବଣ କରି ମହାଲକ୍ଷ୍ମୀ ନାରଦଙ୍କୁ ପଚାରିଲେ, ଦେବର୍ଷି ! କୁହନ୍ତୁ ତ ବଂଶୀର ଏ ମଧୁର ମୂର୍ଚ୍ଛନା କେଉଁଠାରୁ ଭାସି ଆସୁଛି l ଏ ମଧୁର ଧ୍ଵନୀ ଶୁଣି, ମୁଁ କାହିଁକି ସ୍ଥିର ହୋଇ ରହିପାରୁ ନାହିଁ l
ଦେବର୍ଷି କହିଲେ,’ମାଆ,ଭଗବାନ ଶ୍ରୀକୃଷ୍ଣ ମର୍ତ୍ତ୍ୟ ପୁରରେ ଗୋପୀ ମାନଙ୍କ ସହ ରାସକ୍ରୀଡ଼ା ରଚନା କରିଛନ୍ତି l ବୃନ୍ଦାରଣ୍ୟର କେଳିକୁଞ୍ଜରେ ଭଗଵାନ ତାଙ୍କର ମୋହନ ବଂଶୀ ବାଦନ କରୁଛନ୍ତି l ଏହା ସେହି ବଂଶୀର ମଧୁର ମୂର୍ଚ୍ଛନା’ l
ଏକଥା ଶୁଣି ମାଆ ଲକ୍ଷ୍ମୀ ଶ୍ରୀକୃଷ୍ଣଙ୍କ ରାସଲୀଳା ଦର୍ଶନର ଇଛା ପ୍ରକଟ କଲେ ଓ ସିଧା ଆସି ବ୍ରଜ ଭୂମିରେ ପହଞ୍ଚି ଗଲେ l ଗୋପୀମାନଙ୍କ ବ୍ୟତୀତ ସେହି ଦିବ୍ୟ ଲୀଳା ଦେଖିବା ପାଇଁ ଅନ୍ୟ କାହାକୁ ଅନୁମତି ନଥିଲା l ଲକ୍ଷ୍ମୀଙ୍କୁ ଶ୍ରୀମତି ରାଧାଙ୍କ ପ୍ରିୟ ସଖୀ, ଲଳିତା ଏ କଥା କହି ରାସଲୀଳା ଦେଖିବା ପାଇଁ ବାରଣକଲେ l ଲଳିତା ପୁଣି ତାଙ୍କୁ କହିଲେ ଆପଣଙ୍କ ସମ୍ପର୍କ ତ ଐଶ୍ୱର୍ଯ୍ୟଲୀଳା ସହ ରହିଛି l ଏହି ବୃନ୍ଦାବନ ହେଉଛି, ମାଧୁର୍ଯ୍ୟ ଲୀଳାର ସ୍ଥାନ l ତେଣୁ, ଆପଣ ଏହା ଦର୍ଶନ କରି ପାରିବେ ନାହିଁ l
ମା’ ଲକ୍ଷ୍ମୀ ଏକଥା ଶୁଣି କ୍ଷୁବ୍ଧ ହୋଇ ସେହିଠାରେ ବସି ରହିଲେ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କୁ ତପସ୍ୟା କଲେ l ଶ୍ରୀକୃଷ୍ଣଙ୍କୁ ରାସଲୀଳା ପରିସମାପ୍ତି ପରେ ଖୁବ ଭୋକ ଲାଗୁଥାଏ l ମାଆ ଲକ୍ଷ୍ମୀ ଅନ୍ନଦାତ୍ରୀ l କ୍ଷୁଧିତକୁ ସେ ଅନ୍ନଦାନ କରିଥାନ୍ତି l ଏକଥା ଜାଣି ପାରି, ମାଆ କୃଷ୍ଣଙ୍କ ପାଇଁ ଖେଚୁଡ଼ି ପ୍ରସ୍ତୁତ କଲେ ଓ ଭଗବାନ ତାହା ଖାଇ ଅତି ଆନନ୍ଦିତ ହେଲେ l ଶ୍ରୀକୃଷ୍ଣଙ୍କୁ ପ୍ରସନ୍ନ ଦେଖି ଲକ୍ଷ୍ମୀ ବ୍ରଜଭୁମିରେ ରହି ଦିବ୍ୟ ରାସ ଲୀଳା ଦେଖିବା ପାଇଁ ତାଙ୍କୁ ଅନୁମତି ମାଗିଲେ l ଶ୍ରୀକୃଷ୍ଣ କହିଲେ,ମହାଲକ୍ଷ୍ମୀ ଏ ଯେଉଁ ଗୋପୀମାନଙ୍କୁ ଦେଖୁଛ ନା ସେମାନେ ସାଧାରଣ ମନୁଷ୍ୟ ନୁହଁନ୍ତି l ଏମାନେ ଯୁଗ ଯୁଗର ତପସ୍ୟା କରି ମୋ ରାସଲୀଳାର ସାନ୍ନିଧ୍ୟ ଲାଭ କରିଛନ୍ତି l ଯଦି ତୁମେ ଏହି ରାସ ଲୀଳାର ରସ ଆସ୍ଵାଦନ କରିବାପାଇଁ ଇଚ୍ଛା କରୁଛ, ତେବେ ତୁମକୁ ସେହି ଗୋପୀ ମାନଙ୍କ ପରି କେତେ ଯୁଗ ଧରି ତପସ୍ୟା କରିବାକୁ ପଡ଼ିବ ଓ ତପସ୍ୟାରେ ମୋ’ର ସାନ୍ନିଧ୍ୟ ପ୍ରାପ୍ତ ସେହି ଗୋପୀମାନଙ୍କୁ ସର୍ବ ପ୍ରଥମେ ସନ୍ତୁଷ୍ଟ କରିବାକୁ ପଡ଼ିବ l
ଭଗବାନ ଶ୍ରୀକୃଷ୍ଣଙ୍କ ଠାରୁ ଏହା ଶୁଣି ମା’ ଲକ୍ଷ୍ମୀ ସେହି ଠାରେ କଠୋର ତପସ୍ୟାରେ ମଗ୍ନ ହୋଇ ବସି ରହିଲେ l ଆଜି ମଧ୍ୟ ମାଆ ମହାଲକ୍ଷ୍ମୀ ଏଠି ତପସ୍ୟା ରତା l ଏହି ସ୍ଥାନଟି ରହିଛି ବୃନ୍ଦାବନର ପୁଣ୍ୟତୋୟା ଯମୁନା ତୀରରେ ଜାହାଙ୍ଗୀର ପୁର ଗ୍ରାମରେ l ଗ୍ରାମ ସ୍ଥିତ ବିଲ୍ଵ ବନରେ ରହିଛି ମାଆ ଲକ୍ଷ୍ମୀଙ୍କ ଭବ୍ୟମନ୍ଦିର l ଏହା ମାଆ ମହାଲକ୍ଷ୍ମୀଙ୍କ ତପସ୍ୟା ସ୍ଥଳୀ ଭାବେ ଖ୍ୟାତ l ଏଠାକୁ ଭାରତର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ଆସି ମାଆଙ୍କୁ ସୁଖ ସମୃଦ୍ଧି ନିମନ୍ତେ, ପ୍ରାର୍ଥନା କରିଥାନ୍ତି l ବିଶେଷତଃ ଏଠାରେ ପ୍ରତି ରବିବାର ଦିନ ଅଧିକା ଭିଡ଼ ହେବା ଦେଖାଯାଇଥାଏ l ସ୍ଥାନଟି ବିଲ୍ଵବୃକ୍ଷ ପରିବେଷ୍ଟିତ ହୋଇ ରହିଥିବା ହେତୁ ଏହା ବେଲବନ ନାମରେ ମଧ୍ୟ ବିଦିତ l ବେଲ ବନରେ ଅବସ୍ଥିତ ମନ୍ଦିରରେ ମହାଲକ୍ଷ୍ମୀ ବୃନ୍ଦାବନ ଆଡେ଼ ହାତଯୋଡ଼ି ତପସ୍ୟା ମୁଦ୍ରାରେ ବସି ରହିଛନ୍ତି l
ଏବେ ମଧ୍ୟ ବୃନ୍ଦାବନ ନିଧି ବନରେ ନିତ୍ୟ ରାହାସ ଲାଗିରହିଛି l ଯେଉଁ ଦିବ୍ୟ ରାହାସକୁ ଦର୍ଶନପାଇଁ ବୈକୁଣ୍ଠ ବାସିନୀ ସ୍ୱୟଂ ମହାଲକ୍ଷ୍ମୀ ସମର୍ଥ ହୋଇ ନଥିଲେ ତାହା ଏବେ ସମସ୍ତଙ୍କ ପାଇଁ ବର୍ଜିତ l
ନମସ୍ତେ ମା’ ମହାଲକ୍ଷ୍ମୀ ନମସ୍ତେ ଚଞ୍ଚଳା l
କେ ବର୍ଣ୍ଣିପାରିବ ମାଆ ତୋର ଯେତେ ଲୀଳା ll
🙏🙏🙏
ଅର୍ଜୁନୀ
————–
ଅର୍ଜୁନୀ ଚରଣ ବେହେରା

Comments are closed.