ବୌଦ୍ଧରେ ୭୭ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ।

ପତାକା ଉତ୍ତୋଳନ କଲେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ

ବୌଦ୍ଧ :  ୨୬।୧ – ବୌଦ୍ଧରେ ୭୭ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସହରର ଜିଲ୍ଲା ଷ୍ଟାଡିୟମଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ପରେଡ୍‌ର ମୁଖ୍ୟଅତିଥି ଭାବରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ ଓ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ । ମନ୍ତ୍ରୀ ଶ୍ରୀ ସ୍ୱାଇଁ ବୌଦ୍ଧ ଜିଲ୍ଲାର ବିକାଶ ପାଇଁ ସରକାର ସବୁବେଳେ ତତ୍ପର ବୋଲି ମତବ୍ୟକ୍ତ କରିବା ସହ ଜିଲ୍ଲାର ଏୌତିହ୍ୟ, କଳାର ବିକାଶ ନେଇ ମଧ୍ୟ ମତ ବ୍ୟକ୍ତ କରିଥିଲେ । ଉତ୍ସବରେ ଅନ୍ୟତମ ଅତିଥି ଭାବରେ ଜିଲ୍ଲାପାଳ ବିଭୁତିଭୁଷଣ ନାୟକ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଗୋୟଲ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପ୍ୟାରେଡ୍‌ରେ ମଧ୍ୟ ଅଭିବାଦନ ଗ୍ରହଣ କରିଥିଲେ ।

ଏହି ଜାତୀୟ ଉତ୍ସବ ଅବସରରେ ଆଇଆରବି ୫ମ ବାଟାଲିୟନ, ଜିଲ୍ଲା ପୋଲିସ ଓ ଗୃହରକ୍ଷୀ ବାହିନୀଙ୍କ ସମେତ ବିଭିନ୍ନ ଶିକ୍ଷା ଅନୁଷ୍ଠାନଗୁଡ଼ିକ ପକ୍ଷରୁ ଅଂଶଗ୍ରହଣ କରି ଜାତୀୟ ପତାକାକୁ ଅଭିଭାଦନ ଜଣାଇଥିଲେ । ପରେ ୩୪ଟି ଦଳ ଭାଗ ନେଇଥିଲେ । ରିଜର୍ଭ ଇନିସପେକ୍ଟର ପ୍ରଦୀପ ଓରାମ ପ୍ୟାରେଡ୍‌କୁ ପରିଚାଳନା କରିଥିଲେ । ସର୍ଜେଣ୍ଟ ଖଗେଶ୍ୱର ବିଶ୍ୱାଳ ପରିଚାଳନାରେ ସହଯୋଗ କରିଥିଲେ । ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସହରରେ ରାମଧୂନ ପ୍ରଚାର କରାଯିବା ପରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାସଚନ୍ଦ୍ର ଦଣ୍ଡସନା, ଉପଜିଲ୍ଲା ପାଳ ବିନୟ କୁମାର ଭୋଇ ସମତେ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ଉତ୍ସବର ସମସ୍ତ କାର୍ଯ୍ୟକ୍ରମରେ ବିଭାଗୀୟ କର୍ମଚାରୀମାନେ ସହଯୋଗ କରିଥିଲେ ।

Comments are closed.