ବାଲେଶ୍ୱର, ୧/୪ (କୃଷ୍ଣ କୁମାର ମହାନ୍ତି): ବସ୍ତା ନିର୍ବାଚନ ମଣ୍ଡଳୀର ପ୍ରସିଦ୍ଧ ଶୈବପୀଠ ବାବା ଲଙ୍ଗଳେଶ୍ୱର ମନ୍ଦିରର ସମନ୍ୱିତ ବିକାଶ ତଥା ଏହାକୁ ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ବସ୍ତା ବିଧାୟିକା ସୁବାସିନୀ ଜେନା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ସାକ୍ଷାତ୍ କରି ଏକ ଦାବିପତ୍ର ପ୍ରଦାନ କରିବା ସହ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି।
ଏହି ସାକ୍ଷାତକାର ସମୟରେ ବିଧାୟିକା ଜେନା ଲଙ୍ଗଳେଶ୍ୱର ପୀଠର ଐତିହାସିକ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ପୁରାତନ ମନ୍ଦିରର ସୁରକ୍ଷା, ସ୍ଥାୟୀତ୍ୱ ଏବଂ ଏହାର ଅଖଣ୍ଡତାକୁ ବଜାୟ ରଖିବା ସହିତ ନୂତନ ଭାବେ ନବୀକରଣ କାର୍ଯ୍ୟ କରିବା ପାଇଁ ସେ ଗୁରୁତ୍ୱାରୋପ କରିଛନ୍ତି। ବିଶେଷ କରି ମନ୍ଦିର ପାର୍ଶ୍ୱବର୍ତ୍ତୀ ପାର୍ବତୀ ନଦୀକୂଳର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ କରି ସମଗ୍ର ଅଞ୍ଚଳକୁ ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣୀୟ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ତେଣୁ ମନ୍ଦିରର ସାମଗ୍ରିକ ଉନ୍ନତି ଓ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ୨୫ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ଘୋଷଣା କରିବାକୁ ସେ ଦାବି କରିଥିଲେ।
ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତାଙ୍କ ଦାବିକୁ ଗୁରୁତ୍ୱର ସହ ଶୁଣିବା ସଙ୍ଗେ ସଙ୍ଗେ ଏହି ପ୍ରାଚୀନ ପୀଠର ଉନ୍ନତି ପାଇଁ ସକାରାତ୍ମକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
Comments are closed.