କଟକ : ଓଡ଼ିଶାର କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ଼ ଖବର। କଟକର ଐତିହାସିକ ବାରବାଟୀ ଷ୍ଟାଡିୟମକୁ ଫେରିବାକୁ ଯାଉଛି ଆନ୍ତର୍ଜାତୀୟ କ୍ରିକେଟ୍ ରୋମାଞ୍ଚ। ବିସିସିଆଇ ପକ୍ଷରୁ ଆସନ୍ତା ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ସୂଚୀ ଜାରି କରାଯାଇଛି। ଆସନ୍ତା ୨୪ ଡିସେମ୍ବର ୨୦୨୬ (ଗୁରୁବାର) ବାରବାଟୀରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବ।
ବିସିସିଆଇ ସୂଚନା ଅନୁଯାୟୀ, ୨୦୨୬-୨୭ ଘରୋଇ ସିଜିନ୍ ରେ ଭାରତ ମୋଟ ୨୨ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ। ଏଥିମଧ୍ୟରେ ୫ଟି ଟେଷ୍ଟ, ୯ଟି ଦିନିକିଆ ଏବଂ ୮ଟି ଟି-୨୦ ମ୍ୟାଚ୍ ସାମିଲ ରହିଛି। ଦେଶର ୧୭ଟି ଭେନ୍ୟୁ ମଧ୍ୟରୁ ହାଇଦ୍ରାବାଦ, ବେଙ୍ଗାଲୁରୁ, ଗୁଆହାଟୀ, ଅହମ୍ମଦାବାଦ ଏବଂ ରାଞ୍ଚିକୁ ଦୁଇଟି ଲେଖାଏଁ ମ୍ୟାଚ୍ ମିଳିଛି।
ଘରୋଇ ସିଜିନ୍ର ଶୁଭାରମ୍ଭ ହେବ ୱେଷ୍ଟଇଣ୍ଡିଜ୍ ସହ। ଏଥିରେ ୫ଟି ଦିନିକିଆ ଏବଂ ୩ଟି ଟି-୨୦ ଖେଳାଯିବ। ତିରୁଅନନ୍ତପୁରମ, ଗୁଆହାଟୀ ଏବଂ ନୂଆ ଚଣ୍ଡିଗଡ଼ରେ ଦିନିକିଆ ଖେଳାଯିବାକୁ ଥିବାବେଳେ ଲକ୍ଷ୍ନୌ, ରାଞ୍ଚି, ଇନ୍ଦୋର, ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁରେ ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହେବ।
ଡିସେମ୍ବର ୧୩ରୁ ୨୭ ମଧ୍ୟରେ ଶ୍ରୀଲଙ୍କା ବିପକ୍ଷରେ ୩ଟି ଦିନିକିଆ ଓ ୩ଟି ଟି-୨୦ ଖେଳାଯିବ। ଏହାପରେ ଜାନୁୟାରୀରେ ଜିମ୍ବାୱେ ବିପକ୍ଷରେ ୩ଟି ଦିନିକିଆ କୋଲକାତା, ହାଇଦ୍ରାବାଦ ଓ ମୁମ୍ବାଇରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।
ସିଜିନ୍ର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍। ନାଗପୁର, ଚେନ୍ନାଇ, ଗୁଆହାଟୀ, ରାଞ୍ଚି ଏବଂ ଅହମ୍ମଦାବାଦରେ ଏହି ସମ୍ମାନଜନକ ଲଢ଼େଇ ଦେଖିବାକୁ ମିଳିବ।
ଶେଷଥର ପାଇଁ ୯ ଡିସେମ୍ବର ୨୦୨୫ରେ ବାରବାଟୀରେ ଦକ୍ଷିଣ ଆଫ୍ରିକାରେ ଟି-୨୦ ମ୍ୟାଚ ଖେଳିଥିଲା ଟିମ୍ ଇଣ୍ଡିଆ। ଏଥିରେ ଭାରତ, ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଥିଲା। ଟସ୍ ହାରିବା ପରେ ମଧ୍ୟ ପ୍ରତିକୂଳ ପରିସ୍ଥିତିରେ ଭାରତ ଯେଉଁଭଳି ପ୍ରଦର୍ଶନ କରିଥିଲା, ତାହା ବିଶ୍ୱ କ୍ରିକେଟକୁ ଚକିତ କରିଥିଲା।
ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୨୮ ବଲ୍ରେ ୫୯ ରନ୍ର ଏକ ବିସ୍ଫୋରକ ଇନିଂସ ଖେଳି ସେ ଭାରତକୁ ୧୭୫ ରନ୍ର ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଏହି ଇନିଂସରେ ସେ ଟି-୨୦ ଆନ୍ତର୍ଜାତୀୟରେ ନିଜର ୧୦୦ତମ ଛକା ମାରିଥିଲେ।
୧୭୬ ରନ୍ର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଦଳ ଭାରତୀୟ ବୋଲରଙ୍କ ଆଗରେ ଆଣ୍ଠୁ ମାଡ଼ିଥିଲା। ଅର୍ଶଦୀପ ସିଂ, ଜସପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ ଏବଂ ଅକ୍ଷର ପଟେଲଙ୍କ ସାଣିତ ବୋଲିଂ ଯୋଗୁଁ ଭ୍ରମଣକାରୀ ଦଳ ମାତ୍ର ୭୪ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଭାରତ ୧୦୧ ରନ୍ର ଏକ ବୃହତ ବିଜୟ ହାସଲ କରିଥିଲା।