ରୁଷର ଭୟଙ୍କର କ୍ଷେପଣାସ୍ତ୍ର ଆକ୍ରମଣ ସମୟରେ ବଙ୍କରରେ ରହିଥିଲେ ୟୁକ୍ରେନ ରାଷ୍ଟ୍ରପତି ଜଲେନସ୍କି

ନୂଆଦିଲ୍ଲୀ: ନିକଟରେ ରୁଷ୍ ୟୁକ୍ରେନ ଉପରେ ସବୁଠୁ ବଡ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା । କ୍ବିଭ୍ ଏବଂ ଲଭିଭ୍ ସମେତ ଅନେକ ସହର ଏହି କ୍ଷେପଣାସ୍ତ୍ର ଆକ୍ରମଣରେ ଦୋହଲି ଉଠିଥିଲା । ଏହି ଆକ୍ରମଣରେ ଶହ ଶହ ଲୋକ ପ୍ରାଣ ହରାଇଥିବା ବେଳେ ୨୪ ଜଣରୁ ଅଧିକ ଆହତ ହୋଇଥିଲେ । ଏହି ଆକ୍ରମଣ ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ବିଭରେ ହୋଇଥିବା କ୍ଷୟକ୍ଷତିର ଫଟୋ ସେୟାର କରିଥିଲେ । ତେବେ ସବୁଠାରୁ ବଡ ପ୍ରଶ୍ନ ହେଉଛି ଏହି ଭୟଙ୍କର ଆକ୍ରମଣ ମଧ୍ୟରେ ରାଷ୍ଟ୍ରପତି ଜେଲେନସ୍କି କେଉଁଠାରେ ଆଶ୍ରୟ ନେଇଥିଲେ ? ରୁଷର ଏହି କ୍ଷେପଣାସ୍ତ୍ର ଆକ୍ରମଣ ସମୟରେ ଜେଲେନସ୍କି କ୍ବିଭର ମଧ୍ୟଭାଗରେ ଥିବା ଏକ ସୁରକ୍ଷିତ ବଙ୍କରରେ ଆଶ୍ରୟ ନେଇଥିବା କୁହାଯାଉଛି । ରୁଷ୍ ସେନା ଯେତେବେଳେ ନିଜ ଆକ୍ରମଣ ଆରମ୍ଭରୁ ୟୁକ୍ରେନର ରାଜଧାନୀ କ୍ବିଭ୍ ନିକଟରେ ପହଞ୍ଚିଥିଲେ, ସେହି ସମୟରେ ଗୁଜବ ବ୍ୟାପିଗଲା ଯେ, ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଦେଶ ଛାଡି ପଳାଇଛନ୍ତି କିନ୍ତୁ ଜେଲେନସ୍କି କ୍ବିଭ୍ରେ ରାଷ୍ଟ୍ରପତି ଭବନ ନିକଟରେ ଥିବା ଏକ ବଙ୍କରରେ ଆଶ୍ରୟ ନେଇଥିଲେ ଏବଂ ଯୁଦ୍ଧର ନେତୃତ୍ୱ ନେଇଥିଲେ । ତେବେ ଜେଲେନସ୍କିଙ୍କ ବଙ୍କରରେ ରହିବା ଖବରକୁ ପୂର୍ବରୁ ଆଶଙ୍କା ଜତାଇଥିଲେ ୟୁକ୍ରେନର ପୂର୍ବତନ ପ୍ରଧାନମନ୍ତ୍ରୀ ଅଜାରୋବ୍ । କୁହାଯାଉଛି କି, ଏହି ବଙ୍କର ଏତେ ଶକ୍ତିଶାଳୀ ଯେ ପରମାଣୁ ଆକ୍ରମଣ ହେଲେ ମଧ୍ୟ ଏହାର ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ବର୍ତ୍ତମାନ, କ୍ବିଭରେ ହଜାର ହଜାର ଲୋକ ନିଜ ଜୀବନ ବଞ୍ଚାଇବା ପାଇଁ ବଙ୍କରରେ ଲୁଚି ରହିଛନ୍ତି ।

Comments are closed.