ବଜେଟ ଅଧିବେଶନ ସମୟରେ ଭିଜିଟରଙ୍କୁ ଯାଞ୍ଚ କରିବେ ସିଆଇଏସଏଫ ଯବାନ

ନୂଆଦିଲ୍ଲୀ: ସଂସଦ ଗୃହରେ ଭିଜିଟର ଏବଂ ସେମାନେ ଆଣୁଥିବା ସାମଗ୍ରୀ ଯାଞ୍ଚ କରିବା ପାଇଁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍ଏଫ୍) ଯବାନଙ୍କୁ ନିୟୋଜିତ କରାଯାଇଛି। ଗତ ବର୍ଷ ଡିସେମ୍ବର ୧୩ ରେ ଦୁଇଜଣ ବ୍ୟକ୍ତି ଶୂନ୍ୟକାଳରେ ପବ୍ଲିକ ଗ୍ୟାଲେରୀରୁ ଲୋକସଭା ଚାମ୍ବରକୁ ଡେଇଁ କାନିଷ୍ଟରରୁ ହଳଦିଆ ଧୂଆଁ ଛାଡିଥିଲେ। ଏହି ସମୟରେ ସଂସଦ ବାହାରେ ଆଉ ଦୁଇଜଣ ସ୍ଲୋଗାନ ଦେବା ସହ କାନିଷ୍ଟରରୁ ରଙ୍ଗୀନ ଧୂଆଁ ଛାଡ଼ିଥିଲେ। ଏହାକୁ ନେଇ ସଂସଦର ସୁରକ୍ଷାକୁ ଅଭେଦ୍ୟ କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି | ସରକାରୀ ସୂତ୍ରରୁ ପ୍ରକାଶ ଯେ ଜାନୁଆରୀ ୩୧ରୁ ବଜେଟ୍ ଅଧିବେଶନ ସମୟରେ ଭିଜିଟରଙ୍କୁ ଯାଞ୍ଚ କରିବା ପାଇଁ ୧୪୦ ଜଣ ସିଆଇଏସ୍ଏଫ୍ ଯବାନ ନିୟୋଜିତ ହୋଇଛନ୍ତି।

ସଂସଦ ଗୃହରେ ଥିବା ଅନ୍ୟ ସୁରକ୍ଷା ଏଜେନ୍ସି ସହିତ ମିଶି ସିଆଇଏସଏଫ ଯବାନମାନେ, ନୂତନ ତଥା ପୁରୁଣା ସଂସଦ ଗୃହକୁ ବିମାନବନ୍ଦର ଭଳି ସୁରକ୍ଷା ଯୋଗାଇବେ । ଏହା ସହିତ ସଂସଦକୁ ଆସୁଥିବା ଲୋକ ଏବଂ ସେମାନଙ୍କର ଲଗେଜ୍ ଏକ୍ସ-ରେ ମେସିନ୍ ଏବଂ ହାତରେ ଧରିଥିବା ଡିଟେକ୍ଟର ସହିତ ଯାଞ୍ଚ କରାଯିବ। ଏହା ବ୍ୟତୀତ ଜୋତା ମଧ୍ୟ ସ୍କାନ କରାଯିବ। ଉଲ୍ଲେଖ ଥାଉ କି ଯେ ସିଆଇଏସ୍‌ଏଫ୍‌ ହେଉଛି ଏକ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍) ଯାହା ବର୍ତ୍ତମାନ ଦିଲ୍ଲୀରେ ଅନେକ କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ କୋଠା ବ୍ୟତୀତ ପରମାଣୁ ଏବଂ ଏରୋସ୍ପେସ୍ ଡୋମେନ୍, ବେସାମରିକ ବିମାନ ବନ୍ଦର ଏବଂ ଦିଲ୍ଲୀ ମେଟ୍ରୋରେ ପ୍ରତିଷ୍ଠାନଗୁଡିକର ସୁରକ୍ଷା କରୁଛି।

Comments are closed.