ବାଜ ଓ କପୋତ ଉପାଖ୍ୟାନ

ଅର୍ଜୁନୀ ଚରଣ ବେହେରା

ବହୁଦିନ ତଳର କଥା,କାଶୀରେ ବୃଷଧର୍ଭ ବୋଲି ଜଣେ ରାଜା ରାଜ ପଣ କରୁଥିଲେ l ସେ ଶିବି ଓ ଉଶୀନର ନାମରେ ମଧ୍ୟ ପରିଚିତ ଥିଲେ l ରାଜା ଶିବି ଥିଲେ ଖୁବ ଧର୍ମ ପରାୟଣ ଓ ପ୍ରଜା ବତ୍ସଳ l ତାଙ୍କ ସୁଶାସନରେ ପ୍ରଜାମାନେ ଆନନ୍ଦରେ କାଳ କଟାଉ ଥିଲେ l ସେ ମଧ୍ୟ ଖୁବ ଦାନଶୀଳ ଥିଲେ l ଦିନେ ରାଜା ଶିବି ରାଜସଭାରେ ବସିଥିବାବେଳେ କେଉଁ ଆଡ଼ୁ ଗୋଟିଏ କ୍ଷତ ବୀକ୍ଷତ ରକ୍ତ ଜୁଡୁବୁଡୁ କପୋତ ଆସି ତାଙ୍କ କୋଳରେ ବସି ଗଲା l ଶିବି କପୋତଟିକୁ ହାତରେ ତୋଳି ଧରି ଆଉଁସି ଦେଉ ଥାନ୍ତି,ଏହି ସମୟରେ କପୋତ ମନୁଷ୍ୟ ସ୍ୱରରେ କହିଲା, ହେ ଧର୍ମାତ୍ମା ! ମୋ ଜୀବନ ସଙ୍କଟରେ, ମୋତେ ଆପଣ ରକ୍ଷା କରନ୍ତୁ l ଶିବି କହିଲେ,ହେ ପକ୍ଷୀବର ଆପଣ ନିର୍ଭୟରେ ରୁହନ୍ତୁ,ମୋ ଜୀବନ ବିନିମୟରେ ମୁଁ ଆପଣଙ୍କୁ ସୁରକ୍ଷାପ୍ରଦାନ କରିବି, ଆପଣ କୁହନ୍ତୁ, କିଏ ଆପଣଙ୍କର ଏପରି ଅବସ୍ଥା କରିଛି l କପୋତଟି କିଛି କହିବାକୁ ଯାଉଛି ଏହି ସମୟରେ ଏକ ବାଜ ପକ୍ଷୀ ପକ୍ଷ ବାଡ଼େଇ ଆସି ସେଠାରେ ଉପସ୍ଥିତ ହେଲା l
ବାଜପକ୍ଷୀ କହିଲା ହେ ରାଜା,ଏ କପୋତ ମୋର ଖାଦ୍ୟ, ମୁଁ ତାକୁ ଖାଇବା ପାଇଁ ଗୋଡ଼ାଇ ଥିଲି ଓ ମୋର ଚଞ୍ଚୁ ଓ ନଖାଘାତରେ ତାକୁ କ୍ଷତ ବୀକ୍ଷତ କରିଛି l ବର୍ତ୍ତମାନ ସେ ଆସି ଆପଣଙ୍କ ଆଶ୍ରୟ ନେଇଛି l ତାକୁ ଆଶ୍ରୟ ଦେଇ ମୋତେ ଖାଦ୍ୟରୁ ବଞ୍ଚିତ କରି ଅଧର୍ମ କରନ୍ତୁନାହିଁ l ମୁଁ ଖୁବ କ୍ଷୁଧିତ, ଆପଣ ସେ କପୋତକୁ ମୋତେ ଅର୍ପଣ କରନ୍ତୁ l ରାଜା କହିଲେ, ଆଶ୍ରିତଙ୍କର ପ୍ରାଣ ରକ୍ଷା କରିବା ରାଜାର ଧର୍ମ,ଏଣୁ ମୋର ଆଶ୍ରୟରେ ଥିବା ଏହି କପୋତଟିକୁ ଦେବାକୁ ମୁଁ ଅସମର୍ଥ l ବାଜପକ୍ଷୀ କହିଲା, ହେ ରାଜନ୍ ! ସମସ୍ତ ପ୍ରାଣୀ ଆହାରରୁ ଜନ୍ମ l ଆହାର ବିନା କେହି ବି ବଞ୍ଚିପାରିବ ନାହିଁ l ମୋତେ ଆପଣ ମୋ ଏ ଆହାରରୁ ବଞ୍ଚିତକଲେ ମୋର ପ୍ରାଣ ହାନି ହେବ l ମୋ ବିହୁନେ ମୋର ପିଲାକୁଟୁମ୍ବ ମଧ୍ୟ ମୃତ୍ୟୁ ମୁଖରେ ପଡ଼ିବେ,ଏଭଳି ଅଧର୍ମ ଆପଣ କାହିଁକି କରୁଛନ୍ତି,କ୍ଷୁଧାର୍ତ୍ତକୁ ଖାଦ୍ୟ ପ୍ରଦାନ କରିବା ମଧ୍ୟ ରାଜାର କର୍ତ୍ତବ୍ୟ l
ରାଜା ଶିବି କହିଲେ,ହେ ବିହଙ୍ଗରାଜ ଯେଉଁକଥା ଆପଣ କହିଲେ ତାହା ଯଥାର୍ଥ, କିନ୍ତୁ ଶରଣାଗତ ଏ କପୋତକୁ ମୁଁ ପରିତ୍ୟାଗ କରି ପାରିବି ନାହିଁ l ତୁମର ଖାଦ୍ୟ ଲୋଡ଼ା, ଏଣୁ ମୁଁ ତାହା ଯୋଗାଡ଼ କରିଦେଉଛି l ଛଞ୍ଚାଣ କହିଲା, ଏହି କପୋତ ହିଁ ମୋର ଵିଧି ନିର୍ଦ୍ଦିଷ୍ଟ ଖାଦ୍ୟ,ଏହାକୁ ଛାଡ଼ି ମୁଁ ଅନ୍ୟ କୌଣସି ଖାଦ୍ୟ ଗ୍ରହଣ କରି ପାରିବିନାହିଁ l ଖାଦ୍ୟ ଓ ଖାଦକର ଯେଉଁ ଚକ୍ର ସୃଷ୍ଟିକର୍ତ୍ତା ବିଧେୟ କରି ଅଛନ୍ତି ସେଥିରେ କପୋତ ମୋର ଖାଦ୍ୟ l
‘ଯସ୍ତୁ ଯେ ବିହିତୋ ଭକ୍ଷ ସ୍ୱୟଂ ଦେବ ସନାତନ,
ଶ୍ୱେନା କପୋତାନ୍ ଖାଦନ୍ତି ସ୍ଥିତିରେଖା ସନାତିନି ‘
ସେ ପୁଣି କହିଲା,ହେ ରାଜନ୍ ! ଯଦି ତୁମର ସେ କପୋତଟି ପ୍ରତି ଏତେ ଦୟା ତେବେ ଏକ କାମ କର, ତୁମ ଶରୀରରୁ କପୋତ ସମାନ ଓଜନର ମାଂସ କାଟି ମୋତେ ଭୋଜନ କରାଅ l ଯଦିଓ ଏହା ମୋର ପ୍ରକୃଷ୍ଟଖାଦ୍ୟ ନୁହଁ,ତଥାପି ପରିସ୍ଥିତି ଦେଖି ମୁଁ ଏହି ନିର୍ଣ୍ଣୟ ନେଉଛି l ଏହାଶୁଣି ରାଜା କହିଲେ, ମୁଁ ଏହା ସ୍ଵୀକାର କରୁଛି l
ଏହାକହି ରାଜା ଏକ ତରାଜୁ ଆଣି ଏକ ପଟରେ କପୋତକୁ ବସାଇଲେ ଏବଂ ଅନ୍ୟ ପଟରେ ନିଜ ଶରୀରରୁ ମାଂସ କାଟି ରଖିଲେ l କିନ୍ତୁ ଆଶ୍ଚର୍ଯ୍ୟର କଥା, ଯେତେ ମାଂସ ରଖିଲେ ବି ତାହା କପୋତ ଓଜନ ସହିତ ସମ ତୁଲ ହେଲା ନାହିଁ l ଶେଷରେ ରାଜା ନିଜେ ଯାଇ ତରାଜୁରେ ବସି ପଡ଼ିଲେ l
ରାଜାଙ୍କର ଏହି କଠୋର ସତ୍ୟ ଓ ଧର୍ମ ରକ୍ଷାର ସଂକଳ୍ପ, ଦେଖି ସଙ୍ଗେ ସଙ୍ଗେ ବାଜ ଓ କପୋତ ନିଜର ପ୍ରକୃତ ରୂପ ଇନ୍ଦ୍ର ଓ ଅଗ୍ନି ଦେବଙ୍କ ରୂପେ ପ୍ରକଟ ହୋଇ ସାଧୁ, ସାଧୁ କହିଲେ l ସେମାନେ ପୁଣି କହିଲେ, ହେ ସତ୍ୟ ସନ୍ଧ,ହେ ଧର୍ମଜ୍ଞ ରାଜା, ତୁମର ଆଜି ସମସ୍ତ ପରୀକ୍ଷା ସମାପ୍ତ ହୋଇଛି l ତୁମ ପରୀକ୍ଷା ନେବା ପାଇଁ ଆମେ ଏହି କପୋତ ଓ ବାଜ ରୂପ ଧାରଣ କରିଥିଲୁ l ତୁମେ ଯଥାର୍ଥ ପରୀକ୍ଷା ଦେଇ ସଂସାରରେ ଅକ୍ଷୟ କିର୍ତ୍ତୀ ଅର୍ଜନ କରିଛ l ଆମେ ଏବେ ଆଶୀର୍ବାଦ କରୁଛୁ, ତୁମର ସୁନ୍ଦର ରୁପକୁ ଧାରଣ କର l ରାଜା ଶିବି ଇନ୍ଦ୍ର ଓ ଅଗ୍ନି ଦେବଙ୍କ ଆଶୀର୍ବାଦରୁ ତାଙ୍କ ସୁନ୍ଦର ଶରୀର ଫେରି ପାଇଲେ l ସଙ୍ଗେ ସଙ୍ଗେ ସ୍ୱର୍ଗରୁ ଗୋଟିଏ ଦିବ୍ୟ ବିମାନ ଆସି ପହଞ୍ଚିଲା l ରାଜା ସେଥିରେ ଆରୋହଣ କରି ସ୍ୱର୍ଗ ଗମନ କଲେ l ନିଜର ସୁ କର୍ମ ପାଇଁ ରାଜା ଶିବି ତିନି ଭୁବନରେ ବିଖ୍ୟାତ ହୋଇ ରହିଲେ l
‘ସ ରାଜର୍ଷିର୍ଗତ ସ୍ୱର୍ଗେ କର୍ମଣା ତେନ ଶାଶ୍ୱତମ୍ l’
ସେବା ଏବଂ ତ୍ୟାଗ ହିଁ ଶ୍ରେଷ୍ଠ ଧର୍ମ, ଏହି କଥାକୁ ବୁଝାଇ ଲୋମଶ ମୁନି ପାଣ୍ଡଵ ମାନଙ୍କୁ ବନବାସ କାଳରେ ଯମୁନାକୂଳ ଏକ ପର୍ଣ୍ଣ ଆଶ୍ରମରେ ଏହି ଉପାଖ୍ୟାନ ଶୁଣାଇଥିଲେ l ଉତ୍କଳମଣି ଧର୍ମପଦ କାବ୍ୟରେ ତ୍ୟାଗର ମହତ୍ୱକୁ ଗୁରୁତ୍ୱ ଦେଇ ଏହି କାହାଣୀକୁ ଉଦାହରଣ ଦେଇ କହିଛନ୍ତି :-
କପୋତର ହିତେ ଶିବି ଶୁଦ୍ଧ ଚିତ୍ତେ
କରି ଏ ଆତ୍ମ ଉତ୍ସର୍ଗ l
ଇହ ପରଲୋକେ ଲଭିଲେ ଅକ୍ଷୟ
ଧର୍ମ ଆଦି ଚାରି ବର୍ଗ ll
🙏🙏🙏
ଅର୍ଜୁନୀ
———–
ମୋ -7693091971

Comments are closed.