ଅସ୍ତମିତ ଶତାବ୍ଦୀର ସୂର୍ଯ୍ୟ

ଅର୍ଜୁନୀ ଚରଣ ବେହେରା

ଅସ୍ତମିତ ଶତାବ୍ଦୀର ସୂର୍ଯ୍ୟ
===============
ସେଦିନ ଥିଲା 1934 ମସିହା,ଫେବୃଆରୀ ମାସ 3 ତାରିଖ l ସମୟ ଥିଲା ରାତି ଘ 1.20 ମିନିଟ୍ l ଏକ ଅତି ଦୁଃଖଦ ଖବର ସାରା ଉତ୍କଳର ଜନ ମାନସକୁ ଚହଲାଇ ଦେଲା l ଓଡିଶା ନବ ଜାଗରଣର ଆଦି ରୂପକାର, ବିନ୍ଧାଣି, କୁଳବୃଦ୍ଧ ମଧୁସୂଦନଙ୍କ ଜୀବନ ପ୍ରଦୀପ ନିର୍ବାପିତ ହୋଇ ଗଲା l ଅସ୍ତ ହୋଇଗଲା ଶତାବ୍ଦୀର ସୂର୍ଯ୍ୟ l
ପ୍ରତ୍ୟୁଷରୁ ତାଙ୍କ ବାସଭବନ ଆଗରେ ଲାଗିଯାଇ ଥିଲା ସହସ୍ର ସହସ୍ର ଶୋକସନ୍ତପ୍ତ ଜନତାର ଭିଡ଼ l ଆଶା,କୁଳବୃଦ୍ଧଙ୍କ ଶେଷ ଦର୍ଶନ l ବୈଠକ ଖାନା ପଲ୍ୟଙ୍କ ଉପରେ ଚିର ନିଦ୍ରାରେ ଶୋଇ ରହିଥାନ୍ତି ଶତାବ୍ଦୀର ସୂର୍ଯ୍ୟ l ଶବ ପିଣ୍ଡ ଉପରେ ପଡୁ ଥିଲା ଅଜସ୍ର ଶୋକାପ୍ଲୁତ ଜନତାର ଶ୍ରଦ୍ଧାସୁମନ l ତାଙ୍କ ଦେହ ଉପରେ ଢଙ୍କା ହୋଇ ଥାଏ ଏକ ସ୍ଵଦେଶୀ ଆନ୍ଦୋଳନର ପ୍ରାକ୍ କାଳରେ ମଧୁସୂଦନ ଯେଉଁ ତନ୍ତଶିଳ୍ପ ଆରମ୍ଭ କରିଥିଲେ ସେହି କପଡ଼ା କୋଟ୍ ସ୍ଵଦେଶୀ ଚାଦର ଓ ଧୋତି l ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ହଜାର ହଜାର ନର ନାରୀ ସେଠି ରୁଣ୍ଡ ହୋଇଥାନ୍ତି କୁଳବୃଦ୍ଧଙ୍କୁ ଶେଷ ପ୍ରଣତି ପାଇଁ l
ତାଙ୍କ କନିଷ୍ଠ ଭ୍ରାତା ସ୍ଵର୍ଗୀୟ ଗୋପାଳ ବଲ୍ଲଭଙ୍କ ପତ୍ନୀ ବସନ୍ତକୁମାରୀଙ୍କ ଏକାନ୍ତ ଇଛା, ହିନ୍ଦୁରୀତି ଅନୁଯାୟୀ ମଧୁସୂଦନଙ୍କ ଶବ ସତ୍କାର କରାଯିବ l କିନ୍ତୁ ମଧୁବାବୁ ଖ୍ରୀଷ୍ଟିଆନ ଧର୍ମରେ ବିଶ୍ୱାସୀ ଥିବା ହେତୁ ସେହି ରୀତିରେ ତାଙ୍କ ଶବ ସତ୍କାର ହେଉ, ଏହା ପରାମର୍ଶ ଦେଲେ ବ୍ରଜସୁନ୍ଦର ଓ ଚିନ୍ତାମଣି ଆଚାର୍ଯ୍ୟ l
ଅନେକ ବିତର୍କ ପରେ, ଶେଷରେ ଦିନ ଗୋଟାଏକୁ ବାହାରିଲା ଶବ ଯାତ୍ରା l ପୁଷ୍ପାଚ୍ଛାଦିତ କୁଳବୃଦ୍ଧଙ୍କ ଶବ ରଖାଯାଇଥାଏ ଏକ ଖୋଲାକଫିନ୍ ଉପରେ ଓ ସାଥିରେ ଚାଲି ଥାନ୍ତି, ପ୍ରାୟ ଦଶ ହଜାରରୁ ଉର୍ଦ୍ଧ୍ବ ଜନତା l କଫିନ୍ ଉପରେ ଲେଖା ଯାଇଥାଏ :-
“ଅମର ଜୀବନ ଆଣିଥିଲ ବୀର ସାଥେ l
ଦେଇ ଚାଲିଗଲ ଉତ୍କଳ ଜନନୀ ହାତେ ll”
ହାତ ଦୁଇଟି ବାହାରକୁ ବାହାରି ଥାଏ କିଛି ନେଇ ନାହିଁ ମୁଦ୍ରାରେ l କୁଳବୃଦ୍ଧଙ୍କ ବାସଭବନ ହତାରେ ବାହାରେ,ରାସ୍ତା ଉପରେ ଅଗଣିତ ଜନ ସମୁହଙ୍କ ଭିଡ଼ l ଜନତାଙ୍କ ଇଚ୍ଛା, ତାଙ୍କ ସତ୍କାର ହେଉ ହିନ୍ଦୁ ରୀତିରେ l କିଛି ସମୟ କୋଳାହଳ ପରେ ପୂର୍ଣ୍ଣ ନୀରବତା ଛାଇ ଯାଇଥାଏ l ଏତିକିବେଳେ ବ୍ରଜ ସୁନ୍ଦର ସମ୍ବୋଧନ କରି କହିଲେ,’ମଧୁବାବୁ ଖ୍ରୀଷ୍ଟ ଧର୍ମ ବିଶ୍ୱାସି ଥିଲେ l ତାଙ୍କ ଶବ କଫିନ୍ ମଧ୍ୟରେ ବନ୍ଦ କରି ନେବା କଥା l କିନ୍ତୁ ମଧୁବାବୁ ଜାତିଧର୍ମ ନିର୍ବିଶେଷରେ ସମସ୍ତଙ୍କ କୁଳ ବୃଦ୍ଧ l ସେଥି ପାଇଁ ଆମେ ତାଙ୍କୁ ଉନ୍ମୁକ୍ତ ଭାବେ ପଟୁଆରରେ ନେବା ପାଇଁ ବାହାରିଛୁ l ସମସ୍ତଙ୍କୁ ଅନୁରୋଧ, ତାଙ୍କର ବିଶ୍ବାସକୁ ଆମେ ସମ୍ମାନ ଜଣାଇବା, କେହି ହରି ବୋଲ କିମ୍ବା ରାମନାମ ଉଚ୍ଚାରଣ କରିବେ ନାହିଁ l’
ଜାତି ପ୍ରାଣର କ’ଣ କୌଣସି ନିର୍ଦ୍ଦିଷ୍ଟ ଧର୍ମ ହୋଇ ପାରେ ! ସିଏ ପରା ଦିନେ ହିନ୍ଦୁ ଜଗତର ମଉଡ଼ ମଣୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମାନ ରକ୍ଷାପାଇଁ କରିଥିଲେ ଆପ୍ରାଣ ସଂଗ୍ରାମ, ଜୟୀ ହୋଇଥିଲେ ମଧ୍ୟ l କଟକରେ ଗୋହତ୍ୟା ନିମନ୍ତେ କିଲଖାନା ଖୋଲା ଯିବାବେଳେ ତାର ପ୍ରତିରୋଧ ପାଇଁ ସେ ପ୍ରଥମେ କରିଥିଲେ ନିଜ ରକ୍ତଦାନ ଦେବା ନିଷ୍କମ୍ପ ଘୋଷଣା l ସେ ପୁଣି ଜାତିକୁ ଡ଼ାକ ଦେଇଥିଲେ :-
“କୋଟିଏ ଓଡ଼ିଆ ଗୋଟିଏ
ସ୍ୱରରେ ଡାକ ତ୍ରାହି ଜଗନ୍ନାଥ l
ଅନ୍ଧାର ଘୁଞ୍ଚିବ ନିଶ୍ଚୟ ଦେଖିବ
ଜାତିର ଉନ୍ନତି ପଥ ll”
ତାଙ୍କ ବିଶ୍ୱାସକୁ ସମ୍ମାନ ଜଣାଇ ରୁଣ୍ଡିଭୁତ ଜନତା ମଧ୍ୟରେ ହରି ବୋଲ ବା ରାମ ନାମର ଉଚ୍ଚାରଣ ନଥିଲା l ଧିରେ ଧିରେ ଜନସମୁଦ୍ର ବଢ଼ିବଢ଼ି ଚାଲି ଥାଏ l ଶୈଳବାଳା ପ୍ରମୁଖ ବ୍ୟସ୍ତ, ଡେରି ହୋଇ ଯାଉଛି,କ୍ରମେ ସନ୍ଧ୍ୟା ନଇଁ ଆସୁଥାଏ l ଖ୍ରୀଷ୍ଟିଆନ ପ୍ରଥା ଅନୁସାରେ ସନ୍ଧ୍ୟା ପୂର୍ବରୁ କବର ଦିଆଯିବା କଥା l ତାହା କେହି ଶୁଣିବା ଅବସ୍ଥାରେ ନଥାନ୍ତି l ଜନତାଙ୍କ ଗୋଟିଏ କଥା ଶବଶୋଭାଯାତ୍ରା ପୁରା ସହର ପରିକ୍ରମା କରିବ l ପଟୁଆର କ୍ରମେ ମିସନ ରୋଡ, ବକ୍ସି ବଜାର ହୋଇ ଚଉଧୁରୀ ବଜାରକୁ ଆସିଲା l ବୁକୁଫଟା କ୍ରନ୍ଦନ ରତ ସମଗ୍ର ସହର l ଏହି ଜାତିଟା ଅନାଥ ହୋଇଗଲା l ଲୁହ ଝରାଉଛି କଇଁ କଇଁ ହୋଇ ଉତ୍କଳ ଜନନୀ l ରାସ୍ତାରେ ଦୁଇ ପାଖ କୋଠା ମାନଙ୍କ ଛାତରୁ ଶବାଧାର ଉପରେ ପୁଷ୍ପବୃଷ୍ଟି ହେଉଛି l ପୁର ଭାଗରେ ଚାଲିଛନ୍ତି ଶହ ଶହ ତରୁଣ ଛାତ୍ର l ତାଙ୍କର କଣ୍ଠରେ କୁଳବୃଦ୍ଧଙ୍କ ରଚିତ କବିତାର ଝଙ୍କାର :-
“ଜାତି ପ୍ରେମବହ୍ନି ପ୍ରଜ୍ବଳିତ କର,
ସ୍ଵାର୍ଥକୁ ଦିଅ ଆହୁତି,
ସ୍ଵାର୍ଥମେଧ ଯଜ୍ଞେ ଚାରିଆଡ଼େ ନାଚ,
ଛାତିକୁ ମିଶାଇ ଛାତି।”
କିଛି ସମୟ ନୀରବତା ପରେ,ଶତ କଣ୍ଠରେ ପୁଣି ନିନାଦିତ ହୋଇ ଉଠୁ ଥାଏ ମଧୁ ବାବୁଙ୍କ ଜାତିକୁ ଉଦବୋଧନ :-
” କୋଟିଏ ସନ୍ତାନ ଗୋଟିଏ ସ୍ବରରେ,
ଜନନୀ ଜନନୀ ଡାକ,
ତୃଷ୍ଣାରେ କାତର ଗଗନକୁ ଚାହିଁ,
ଯେସନେ ଡାକେ ଚାତକ l”
ପୁଣି କିଛି ସମୟ ନୀରବତା l ହଠାତ୍ ନୀରବତା ଭଙ୍ଗ କରି ତରୁଣ ନିମାଇଁ ଚରଣ ହରି ଚନ୍ଦନଙ୍କ କଣ୍ଠରୁ ଭାସି ଆସିଲା ସଦ୍ୟ ରଚିତ କବି ନିକୁଞ୍ଜ କିଶୋର ଦାସଙ୍କ କବିତା :-
“ସୁମେରୁ ଶୃଙ୍ଗ ପଡିଲାରେ ଟଳି,
ଲୁଚିଗଲା ଅଂଶୁମାଳି ହେ,
ଗମ୍ଭିରୀ ଘରର ସୁନା ଦୀପ ଆଜି,
ଲିଭିଗଲା ଶେଷେ ଜଳି ହେ l”
ଯିଏ ଦେଶ ଓ ଜାତି ପାଇଁ,ନିଜକୁ ନିଃଶେଷ କରି ଥିଲା,ଦେଶ ଓ ଜାତି ଆଜି ତାପାଇଁ କରୁଛି ସଞ୍ଚିତ ଶ୍ରଦ୍ଧାର ନିଃଶେଷ, ଅବାରିତ ସେହି ଅଶ୍ରୁର ବାରି ଧାରାରେ l କଟକ ସହର ପ୍ରଦକ୍ଷିଣ କରି ଶୋଭା ଯାତ୍ରା ବାରବାଟୀ ନିକଟରେ ଅଟକି ଗଲା l ଭଗ୍ନ ବାରବାଟୀ l ତାର ଦକ୍ଷିଣରେ ଜନଶୂନ୍ୟ ପରିଖା l ସେ ଅତୀତର କୀର୍ତ୍ତିବିମଣ୍ଡିତ ଉତ୍କଳର ଶୂନ୍ୟଗର୍ଭ କଫିନ୍ :-
“ଐତିହାସିକ ଏ ଦୂର୍ଗ ବାରବାଟୀ,
ବୀର ରକ୍ତ ପିଣ୍ଡେ ଗଢ଼ା ଯାର ମାଟି l”
ଜନ ସମୁଦ୍ର ଅଟକିଗଲା l କଫିନ୍ ପହଞ୍ଚିଲା ଯାଇ ଗୋରାକବର ନିକଟରେ l ଗଭୀରଶୋକ ଉଛ୍ଵାସ ମଧ୍ୟରେ କୁଳବୃଦ୍ଧଙ୍କ ଶବକୁ କଫିନ୍ ମଧ୍ୟରେ ରଖି ପଟା ବନ୍ଦ କରାଗଲା l ବାରୁଣୀ ଆକାଶରେ ଅସ୍ତ ଯାଉ ଥାନ୍ତି ଦିନକର l ସବୁ ଶେଷ ! ଆଜି ଉତ୍କଳ ଇତିହାସର ଶତାବ୍ଦୀର ସୂର୍ଯ୍ୟ ଅସ୍ତମିତ l କବର ଭିତରକୁ କଫିନ୍ ଓଲ୍ହାଇଲା,ପାଷ୍ଟର ମନ୍ଦ୍ର ଗମ୍ଭୀର କଣ୍ଠରେ ଗାନ କଲେ :-
“Lay down Thou weary one, lay down Thy head upon my breast.” ସେଦିନ ସନ୍ଧ୍ୟା ଖବରକାଗଜ ମାନଙ୍କରେ ପ୍ରକାଶ ପାଇଥିଲା ଦୀର୍ଘ ସ୍ତମ୍ଭରେ କୁଳବୃଦ୍ଧଙ୍କ ସ୍ମୃତି ଏବଂ ମହା ପ୍ରୟାଣର ସମ୍ବାଦ l ଦୈନିକ ସମାଜ ତାଙ୍କ ଶିରୋନାମାରେ ଲେଖିଥିଲେ :-
“ପ୍ରାଣୀର ଭଲ ମନ୍ଦ ବାଣୀ l
ମରଣ କାଳେ ତାହା ଜାଣି ll”
ଏ ଥିଲେ ଏ ଜାତିର ପ୍ରାଣ ଜାତିପ୍ରାଣ ମଧୁସୂଦନ, ଜାତିର ମାର୍ଗଦର୍ଶକ କୁଳବୃଦ୍ଧ ମଧୁସୂଦନ, ଉତ୍କଳ ଗର୍ବ, ଉତ୍କଳ ଗୌରବ ମଧୁସୂଦନ ଓ ସର୍ବୋ ପରି ଜାତି ପ୍ରାଣକୁ ଆଲୋକିତ କରି ରଖି ଥିବା ସେହି ଶତାବ୍ଦୀର ସୂର୍ଯ୍ୟ l ଯଥାର୍ଥରେ ପଲ୍ଲୀ କବି ନନ୍ଦ କିଶୋର ବଳ ଲେଖିଥିଲେ :-
ଦୁଃଖିନୀ ଓଡିଶା ସୁଯୋଗ୍ୟ ସୁତ ମଧୁସୂଦନ l
ଦେଖ ତୁମ୍ଭ ଲାଗି ପ୍ରଫୁଲ୍ଲ ଜନ୍ମ ଭୂମି ବଦନ ll
ମାତୃ ଭୂମି କୁଳ ପାବନ ସୁ ସନ୍ତାନ ରତନ l
କୋଟି ସୁତ ଏଡ଼ି ଚାହାଁନ୍ତି ମାତା ତୁମ୍ଭ ବଦନ ll
ନିର୍ଭୀକ ଚତୁର ପଣ୍ଡିତ ବକ୍ତା ଉଦ୍ୟମୀ ଦାତା l
ବିପନ୍ନ ଦରିଦ୍ର ସହାୟ ଜନ ଶୁଭାନୁଷ୍ଠାତା ll
+++
ଯେତେକାଳ ଥିବ ଓଡ଼ିଆ ଜାତି ଇତିହାସରେ l
ଥିବ ତୁମ୍ଭ ନାମ ଅଙ୍କିତ ହେମ ମୟ ଅକ୍ଷରେ ll
ଚାଲିଯିବେ ସର୍ବେ ରହିବେନାହିଁ କେହି ମହୀରେ l
ଯଶୋଦେହେ ବଞ୍ଚି ରହିବେ
ମାତ୍ର ନିଃସ୍ଵାର୍ଥ ବୀରେ ll
🙏🙏🙏
ଅର୍ଜୁନୀ
——————–
ତଥ୍ୟ ସଂଗ୍ରହ-ସୁରେନ୍ଦ୍ର ମହାନ୍ତି,ଶତାବ୍ଦୀର ସୂର୍ଯ୍ୟ
ଓ ନନ୍ଦକିଶୋର ଗ୍ରନ୍ଥାବଳୀ ll
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.