ଅର୍ଜୁନଙ୍କୁ ଯୁଧିଷ୍ଠିରଙ୍କ ଭର୍ତ୍ସନା

ଅର୍ଜୁନୀ ଚରଣ ବେହେରା

ଅର୍ଜୁନଙ୍କୁ ଯୁଧିଷ୍ଠିରଙ୍କ ଭର୍ତ୍ସନା
================
ମହାଭାରତରେ କର୍ଣ୍ଣ ଓ ଅର୍ଜ୍ଜୁନ ବୀରତ୍ୱରେ କେହି କାହାକୁ ଉଣା ନ ଥିଲେ l ଦୁହେଁ ସମକକ୍ଷ ଯୋଦ୍ଧା ଥିଲେ ଏବଂ ଦୁହେଁ ଅଭିଳାଷ ରଖିଥିଲେ ଦିନେ ନା ଦିନେ, ଯୁଦ୍ଧରେ ସେମାନେ ପରସ୍ପରକୁ ଭେଟିବେ l ଘଟଣାକ୍ରମେ ମହାଭାରତ ଯୁଦ୍ଧ ସଂଘଟିତ ହେଲା l ସେଦିନ ଥାଏ ଷୋଡଶ ଦିବସ ଯୁଦ୍ଧ l ଭୀଷ୍ମ ଦ୍ରୋଣ ଓ ଜୟଦ୍ରଥଙ୍କ ପତନପରେ କୌରବଙ୍କ ସେନାପତି ରୂପେ କୁରୁକ୍ଷେତ୍ର ରଣଭୂମିରେ ଅବତୀର୍ଣ୍ଣ ହୋଇଛନ୍ତି ମହାବୀର କର୍ଣ୍ଣ l ଦୁଇସେନାଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗିଗଲା l
କର୍ଣ୍ଣ ତ ଅର୍ଜୁନଙ୍କସହ ଲଢ଼ିବାକୁ ଚାହୁଁଥିଲେ l କିନ୍ତୁ ତାଙ୍କର ରଣ କୌଶକ ଥିଲା, ସେ ଅର୍ଜୁନଙ୍କ ସହିତ ପ୍ରଥମରୁ ନ ଲଢ଼ି, ପ୍ରଥମେ ପାଣ୍ଡବ ମାନଙ୍କ ପ୍ରଧାନ ପ୍ରଧାନ ବୀରଙ୍କୁ ନାଶ କରିବେ l ଏହି ଅବସରରେ ଦୁର୍ଯ୍ୟୋଧନ ସଂଶପ୍ତକ ସୈନ୍ୟ ମାନଂଙ୍କୁ ଅର୍ଜୁନଙ୍କ ବଳ କ୍ଷୟ ପାଇଁ, ଲଗାଇ ଦେବେ l ଏହି ଯୋଜନା ଅନୁଯାୟୀ ସେଦିନ ଯୁଦ୍ଧ ଆଗେଇ ଚାଲିଲା l କର୍ଣ୍ଣ ଉଗ୍ରରୂପ ଧାରଣ ପୂର୍ବକ ପାଣ୍ତବ ସେନାଙ୍କୁ ସଂହାର କରିବାକୁ ଲାଗିଲେ l ପାଣ୍ଡବ ପକ୍ଷର କେହି ଯୋଦ୍ଧା ତାଙ୍କ ସାମ୍ନାରେ ତିଷ୍ଠି ପାରୁ ନଥାନ୍ତି l ନକୁଳ କର୍ଣ୍ଣଙ୍କ ସହ ଲଢ଼ିବା ପାଇଁ ଆସି ନୀରସ୍ତ୍ର ହୋଇ ପଳାୟନ କଲେ l କର୍ଣ୍ଣ ତାଙ୍କୁ ତାତ୍ସଲ୍ୟ କରି କହିଲେ, ଶୀଘ୍ର ଏଠାରୁ ପଳାଇ ଯାଇ, ମାତାଙ୍କ କୋଳରେ ଆଶ୍ରୟ ନିଅ l ଯୁଧିଷ୍ଠିର ଅସିଲେ କର୍ଣ୍ଣଙ୍କସହ ଲଢ଼ିବା ପାଇଁ l ତାଙ୍କର ମଧ୍ଯ ସେଇ ଦଶା ହେଲା l ତାଙ୍କ ଶରାସନ କାଟି, କର୍ଣ୍ଣ ତାଙ୍କ ଅଶ୍ଵ ଓ ସାରଥିକୁ ନିହତ କଲେ l ଯୁଧିଷ୍ଠିରଙ୍କ ଶରୀର ରୁଧିରମୟ ହୋଇଗଲା l କର୍ଣ୍ଣ ପଛରେ ଗୋଡ଼ାଇଯାଇ ଧରିବାକୁ ଚେଷ୍ଟା କରୁଛନ୍ତି ଏହି ସମୟରେ, ସାରଥି ଶଲ୍ୟ ତାଙ୍କୁ ବାରଣ କରି କହିଲେ, ତୁମେ ତ ଅର୍ଜୁନଙ୍କୁ ନିହତ କରିବ ବୋଲି ପ୍ରତିଜ୍ଞା କରିଛ l ପୁଣି ଏହାଙ୍କୁ କାହିଁକି ଗୋଡ଼ାଉଛ l କର୍ଣ୍ଣ କୁନ୍ତିଙ୍କୁ ଦେଇଥିବା କଥାକୁ ସ୍ମରଣ କରି ତାଙ୍କୁ ଛାଡ଼ି ଦେଇ କହିଲେ,” ତୁମେ ବନଚାରୀ, ବନରେ ରହିବା ଯୋଗ୍ୟ,ତୁମ ପକ୍ଷରେ ଯୁଦ୍ଧକରିବା ଆଦୌ ଶୋଭା ପାଉନାହିଁ ” l
କ୍ଷତବିକ୍ଷତ ଯୁଧିଷ୍ଠିର ଦୁଃଖ ଓ ଅପମାନରେ ଆସି ଶିବିର ଭିତରେ ଶୋଇ ରହିଲେ l ଅର୍ଜୁନ ଭୀମଙ୍କ ଠାରୁ ଶୁଣିବାକୁ ପାଇଲେ କର୍ଣ୍ଣଙ୍କ ବାଣରେ ଜ୍ୟେଷ୍ଠ ଭ୍ରାତା କ୍ଷତ ବିକ୍ଷତ ହୋଇ, ଶିବିରରେ ଶୋଇଛନ୍ତି l ଭୀମ ତାଙ୍କୁ କହିଲେ, ମୁଁ ଶତ୍ରୁଙ୍କୁ ମୁକାବିଲା କରୁଛି ତୁମେ ଶୀଘ୍ର ଯାଇ ତାଙ୍କ ଖବର ବୁଝି ଆସ l ଅର୍ଜୁନ କୃଷ୍ଣଙ୍କୁ ଶିବିର ଆଡେ଼ ରଥ ନେଇଯିବାକୁ କହିଲେ l ଉଭୟ ଯାଇ ଯୁଧିଷ୍ଠିରଙ୍କ ପାଖରେ ପହଁଚିଲେ l
କର୍ଣ୍ଣଙ୍କୁ ବଧକରି ଅର୍ଜୁନ ଫେରିଆସିଛନ୍ତି ମନେକରି ଯୁଧିଷ୍ଠିର ଅର୍ଜୁନଙ୍କୁ ଅଭିବାଦନ କରି କହିଲେ, ତୁମ ସଫଳତାରେ ମୁଁ ବହୁତ ଖୁସି l ଜ୍ୟେଷ୍ଠଭ୍ରାତା ଏପରି କାହିଁକି କହୁଛନ୍ତି ଅର୍ଜ୍ଜୁନ କିଛି ବୁଝି ପାରିଲେ ନାହିଁ l ଅର୍ଜୁନ କହିଲେ ମୁଁ ଅଶ୍ୱତ୍ଥାମା ଶର ବର୍ଷଣରେ ଅଳ୍ପ ଆଘାତ ପ୍ରାପ୍ତ ହୋଇ ତାହା ସହିତ ଯୁଦ୍ଧ କରୁଥିଲି l ଏହି ସମୟରେ, ମୋତେ ଆକ୍ରମଣ କରିବାକୁ କର୍ଣ୍ଣ ଆସିଲା l କିନ୍ତୁ ମୁଁ ଭୀମଙ୍କ ଠାରୁ ଆପଣଙ୍କ କ୍ଷତାକ୍ତ ହେବା ଖବର ପାଇ ତା’ ସହିତ ଯୁଦ୍ଧ ନକରି ଏଠିକି ବାସୁଦେବଙ୍କୁ ନେଇ ଧାଇଁଆସିଛି l ଆପଣ ମୋତେ କର୍ଣ୍ଣଙ୍କ ସହ ଲଢ଼ିବା ପାଇଁ ଆଦେଶ ଦିଅନ୍ତୁ l
ଯୁଧିଷ୍ଠିର କ୍ରୋଧିତହୋଇ କହିଲେ, ତୁମେ ବନବାସ କାଳରେ ଦ୍ବୈତ ବନରେ କର୍ଣ୍ଣକୁ ଏକା ବଧ କରିବ ବୋଲି ପ୍ରତିଜ୍ଞା କରିଥିଲ,କୁଆଡେ଼ ଗଲା ତୁମର ସେ ପ୍ରତିଜ୍ଞା l ଆଜି ଅଭିମନ୍ୟୁ କିମ୍ୱା ଘଟୋତ୍କଚ ଜୀବିତ ଥିଲେ, ମୋର ଏହି ଅବସ୍ଥା ହୋଇ ନଥାନ୍ତା l ତୁମେ ସ୍ଵୟଂ ବିଶ୍ଵକର୍ମାଙ୍କ ନିର୍ମିତ ଦିବ୍ୟ ରଥ ଏବଂ ବହୁତ ଶିଦ୍ଧାସ୍ତ୍ରର ଅଧିକାରୀ l ପୁଣି ଭଗଵାନ ଶ୍ରୀକୃଷ୍ଣ ତୁମ ସାରଥି l ତୁମ ଭୁଜବଳ, ଗାଣ୍ଡୀବଧନୁ, ସମସ୍ତ ଅସ୍ତ୍ର ଶସ୍ତ୍ର ଓ ଅସ୍ତ୍ର ବିଦ୍ୟାକୁ ଧିକ୍ l ତୁମେ କର୍ଣ୍ଣକୁ ନମାରି ରଣକ୍ଷେତ୍ରରୁ ପଳାୟନ କରିଛ l
ଯୁଧିଷ୍ଠିରଙ୍କ ଏପରି ଭର୍ତ୍ସନା ଶୁଣି ଅର୍ଜୁନଙ୍କ ଶରୀର କମ୍ପିବାରେ ଲାଗିଲା l ସେ ଉତ୍ତେଜିତ ହୋଇ ଖଡ୍ଗ ଉତ୍ତୋଳନ କରି କିଛି କହିବାକୁ ଯାଉଥିଲେ l ଏହି ସମୟରେ ଭଗଵାନ ତାଙ୍କୁ ଶାନ୍ତ କରାଇ କହିଲେ, ବର୍ତ୍ତମାନ୍ ଯୁଧିଷ୍ଠିର ବହୁ କ୍ଳାନ୍ତ l ସେ ତୁମକୁ ଯାହା ନକହିବା କଥା କହି ଦେଲେ l କିନ୍ତୁ ଭଲ ଭାବରେ ସେ ଜାଣନ୍ତି ତୁମେ ହିଁ କେବଳ କର୍ଣ୍ଣକୁ ବଧ କରିବା ପାଇଁ ସମର୍ଥ l ସବୁଭୁଲି, ଏବେ ତାଙ୍କର ଆଶୀର୍ବାଦ ଭିକ୍ଷାକର l ଅର୍ଜୁନ ନିଜ ଭୁଲ ବୁଝିପାରି ଯୁଧିଷ୍ଠିରଙ୍କୁ କ୍ଷମାମାଗିଲେ l ଯୁଧିଷ୍ଠିର ଅର୍ଜୁନଙ୍କୁ ଆଲିଙ୍ଗନ କରି କହିଲେ, ” ଏ ପାପୀ କର୍ଣ୍ଣ ସେ ଦିନ କୁରୁ ସଭାରେ ପାଞ୍ଚାଳୀଙ୍କୁ ଦାସୀ ବୋଲି କହିଥିଲା, ଦୁର୍ଯ୍ୟୋଧନକୁ ତାଙ୍କ ବସ୍ତ୍ରହରଣକର ବୋଲି ପ୍ରରୋଚିତ କରିଥିଲା l ସେହି ଦୁରାତ୍ମାକୁ ତୁମେ ଶୀଘ୍ର ବିନାଶ କର l ଅର୍ଜୁନ ଜ୍ୟେଷ୍ଠ ଭ୍ରାତାଙ୍କ ଆଜ୍ଞା ଘେନି, ପୁନଃ ଯୁଦ୍ଧ କ୍ଷେତ୍ରକୁ ପ୍ରସ୍ଥାନ କଲେ l ସେଦିନର ଯୁଦ୍ଧ କିନ୍ତୁ ଅମୀମାଂସିତ ରହିଲା l ପରଦିନ ସପ୍ତଦଶ ଦିବସ ଦିନ ସଂଘଟିତ ହେଲା ଭୟଂକର କର୍ଣ୍ଣାର୍ଜୁନ ସମର l
🙏🙏🙏
ଅର୍ଜ୍ଜୁନୀ
—————
ଅର୍ଜୁନୀ ଚରଣ ବେହେରା
ମୋ – ୭୬୯୩୦୯୧୯୭୧

Comments are closed.