ଅଗ୍ରପୂଜ୍ୟ ଶ୍ରୀଗଣେଶ

ଅର୍ଜୁନୀ ଚରଣ ବେହେରା

ଭାଦ୍ରବ ଶୁକ୍ଳ ଚତୁର୍ଥୀକୁ ଆମେ ଗଣେଶ ଚତୁର୍ଥୀ ଭାବେ ପାଳନ କରୁ l ଶ୍ରୀ ଗଣେଶ ଭାଦ୍ରବ ଶୁକ୍ଳ ଚତୁର୍ଥୀ,ମଧ୍ୟାହ୍ନ,ସୋମବାର,ସ୍ୱାତୀ ନକ୍ଷତ୍ରଯୋଗ ଓ ତୁଳା ରାଶିରେ ଶଙ୍କର ଭବାନୀଙ୍କ ପୁତ୍ର ରୂପେ ପ୍ରକଟ ହୋଇଥିଲେ l ତାଙ୍କର ଏହି ଜନ୍ମଦିବସକୁ ଆମେ ଗଣେଶ ଚତୁର୍ଥୀ ରୂପେ ପାଳନ କରି ସିଦ୍ଧି ଦାତା ଶ୍ରୀଗଣେଶଙ୍କୁ ପୂଜା କରିଥାଉଁ l ତାଙ୍କୁ ସ୍ତୁତି କରି ବୋଲାଯାଇ ଥାଏ :-
ବକ୍ର ତୁଣ୍ଡ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭଃ l ନିର୍ବିଘ୍ନଂ କୁରୁମେ ଦେବଃ ସର୍ବକାର୍ଯ୍ୟେଷୁ ସର୍ବଦା ll
ଏହି ସ୍ତୁତିରେ ମଧ୍ୟ ଶ୍ରୀଗଣେଶଙ୍କ ରୂପ ବର୍ଣ୍ଣନା ଦେଖାଯାଏ :-
ଖର୍ବଂ ସ୍ଥୁଳତନୁମ୍ ଗଜେନ୍ଦ୍ର
ବଦନଂ ଲମ୍ବୋଦରଂ ସୁନ୍ଦରଂ l
ପ୍ରସ୍ୟନ୍ଦନ ମଧୁଗନ୍ଧ ଲୁବ୍ଧ ମଧୁପ
ବ୍ୟାଲୋଳ ଗଣ୍ଡସ୍ଥଳଂ ll
ଦନ୍ତାଘାତ ବିଦାରିତାରି ରୁଧିରୈ
ସିନ୍ଦୁର ଶୋଭାକରଂ l
ବନ୍ଦେ ଶୈଳସୁତା ସୁତଂ ଗଣପତିଂ
ସିଦ୍ଧିପ୍ରଦଂ କାମଦମ୍ ll
ଏହି ଦିନ ଶ୍ରୀଗଣେଶଙ୍କ ପୂଜା,ଧ୍ୟାନ ସହ ତାଙ୍କର ଅଷ୍ଟ ନାମ ବିନାୟକ,ବିଘ୍ନରାଜ,ଦ୍ୱୟମାତୁର,ଏକ ଦନ୍ତ, ରଣାଧିପ, ହେରମ, ଲମ୍ବୋଦର, ଗଜାନନ ଆଦିକୁ ଚିନ୍ତନ,ମନନ କଲେ ଅଶେଷ ଫଳ ମିଳି ଥାଏ ବୋଲି ବିଶ୍ୱାସ ରହିଛି l ଶ୍ରୀଗଣେଶଙ୍କ ଜନ୍ମ ଗାଥା ଶ୍ରୀଗଣେଶପୁରାଣରୁ ଜାଣିବାକୁ ମିଳିଥାଏ l ପର୍ଶୁରାମଙ୍କ ଦ୍ୱାରା ଗଜାନନଙ୍କର ଗୋଟିଏ ଦାନ୍ତ ଭାଙ୍ଗିଯାଇ ସେ ହେଲେ ଏକଦନ୍ତ l ଶ୍ରୀମନ୍ଦିରରେ ଏହି ଦିନ ବିଘ୍ନେଶଙ୍କର ବିଶେଷ ପୂଜାଵିଧି ପାଳନ କରାଯାଏ l ସନ୍ଧ୍ୟା ଧୂପ ପରେ ବଟ ଗଣେଶ ଓ କାଞ୍ଚି ଗଣେଶଙ୍କ ନିକଟରେ ଶୀତଳ ଭୋଗ ଏବଂ ବନ୍ଦାପନା ସମାପନ ହୋଇ ସରସ୍ବତୀଙ୍କ ମନ୍ଦିର ଶ୍ରୀଭୁବନେଶ୍ୱରୀଙ୍କ ନିକଟରେ ଶୀତଳ ଭୋଗ ଓ ବନ୍ଦାପନା ହୋଇଥାଏ l
ଗଣେଶଙ୍କ ବିଷୟରେ କେତୋଟି କଥା :-
୧. ଥରେ ଗଣେଶଙ୍କ ଜନ୍ମ ଦିନରେ ମାଆ ପାର୍ବତୀ ଏକୋଇଶି ପ୍ରକାର ବ୍ୟଞ୍ଜନ ଓ ମିଠାଖିରୀ ପ୍ରସ୍ତୁତ କଲେ l ଲୋଭି ଲମ୍ବୋଦର ବହୁତ ଖାଇ ଦେଲେ ଓ ତାଙ୍କ ମୂଷିକ ବାହନରେ ବୁଲି ବାହାରି ଗଲେ l ମୂଷା ବାଟରେ ଗୋଟିଏ ସାପକୁ ଦେଖି ଭୟାତୁର ହୋଇ ଇଆଡ଼େସିଆଡ଼େ ଧାଇଁଲା l ଏଥିରେ ମୂଷା ପୃଷ୍ଠରୁ ଗଣେଶ ତଳେ ପଡ଼ି ଗଲେ l ରାଗି ଯାଇ ସେ ସାପଟିକୁ ଧରି ଆଣିଲେ ଓ ନିଜ କମରରେ କଟି ସୂତ୍ର ପରି ବାନ୍ଧି ଦେଲେ l ଆକାଶରେ ଚନ୍ଦ୍ର ଏହାକୁ ଦେଖି ଟିକିଏ ହସି ଦେଲେ l ଅପମାନିତ ଗଣେଶ ତାଙ୍କ ଦାନ୍ତରୁ ଗୋଟିଏ ଉପାଡ଼ି ଚନ୍ଦ୍ରଙ୍କ ଉପରକୁ ଫିଙ୍ଗିଲେ l ଏଥିରୁ ରକ୍ଷା ପାଇବା ପାଇଁ ଚନ୍ଦ୍ର ମେଘ ଆଢୁଆଳରେ ଲୁଚିଗଲେ l ଗଣେଶ ତାଙ୍କୁ ଅଭିଶାପ ଦେଇ କହିଲେ,” ମୋ ଜନ୍ମ ତିଥି ଦିନ ତୁମକୁ ଯିଏ ଚାହିଁବ,ସିଏ ଭୁଲ ବୁଝାମଣା ଓ ମିଥ୍ୟା କଳଙ୍କରେ ଭାଗୀ ହେବ “l ଏଣୁ ଗଣେଶ ଚତୁର୍ଥୀ ଦିନ ଚନ୍ଦ୍ର ଦର୍ଶନ ନିଷେଧ କରା ଯାଇଛି l ଏହି କାରଣରୁ ଗଣେଶ ଏକ ଦନ୍ତ ହୋଇଛନ୍ତି l
୨. ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ଶନି ମହା ଗ୍ରହଙ୍କ କୋପ ଦୃଷ୍ଟିରୁ ଗଣେଶଙ୍କ ମୁଣ୍ଡ କଟି ଯାଇ ଥିଲା l ପରେ ଗଜମୁଣ୍ଡ ଲଗାଇ ତାଙ୍କୁ ଜୀବନ୍ୟାସ ଦିଆଯାଇଛି l
୩ .ଆଉ ଗୋଟିଏ ମତରେ ମାଆ ପାର୍ବତୀ ମାନସ ପୁତ୍ର ଗଣେଶଙ୍କୁ ଗୁମ୍ଫା ଦ୍ୱାରରେ ଜଗାଇ ତପସ୍ୟା କରୁଥିଲେ l ମହାଦେବ ଆସି ଭିତରକୁ ଯିବାପାଇଁ ଚାହିଁବାରୁ ଗଣେଶ ଦ୍ୱାର ଛାଡ଼ିଲେ ନାହିଁ l ଶିବ ଓ ଗଣେଶଙ୍କ ମଧ୍ୟରେ ଯୁଦ୍ଧ ଲାଗିଲା l ଏଥିରେ ଶିବ ଗଣେଶଙ୍କ ମୁଣ୍ଡ କାଟିଦେଲେ l ପରେ ମା’ପାର୍ବତୀ ଆସି ପୁତ୍ରର ପରିଚୟ ଦେଲେ ଓ ତାକୁ ବଞ୍ଚାଇବା ପାଇଁ ଶିବଙ୍କୁ ପ୍ରାର୍ଥନା କଲେ l ମହାଦେବ ତାଙ୍କ ଅନୁଚର ମାନଙ୍କୁ ଏକ ମୁଣ୍ଡ ଘେନି ଆସିବା ପାଇଁ ପଠାଇଲେ l ସେମାନେ ବହୁ ସ୍ଥାନ ବୁଲି ଶେଷକୁ ପଶ୍ଚିମ ଦିଗକୁ ମୁଣ୍ଡକରି ଶୋଇଥିବା ଏକ ହାତୀର ମୁଣ୍ଡକୁ କାଟିଆଣିଲେ lସେହି ମୁଣ୍ଡକୁ ଲଗାଇ ଶିବ ଗଣେଶଙ୍କୁ ଜୀବଦାନ କଲେ ଓ ଗଣେଶ ହେଲେ ଗଜାନନ l
୪.ଗଣେଶ ଏକଦା ଆଜୀବନ ଧ୍ୟାନ,ପ୍ରାର୍ଥନାରେ କଟାଇବା ଇଚ୍ଛାରେ ତପସ୍ୟା ରତ ଥିଲେ l ସେହି ସମୟରେ ମଧ୍ୟ ମିଥିଳା ରାଜା, ଧର୍ମଧ୍ୱଜଙ୍କ କନ୍ୟା ତୁଳସୀ ଉତ୍ତମ ପତିପ୍ରାପ୍ତି ଆଶାରେ ତପସ୍ୟା କରୁ ଥିଲେ l ସେ ଦିନେ ଗଣେଶଙ୍କ ନିକଟରେ ପହଞ୍ଚି ତାଙ୍କୁ ବିବାହ କରିବା ପାଇଁ କହିଲେ l ଗଣେଶ ଏହା ପ୍ରତ୍ୟାଖ୍ୟାନ କଲେ l ଏହା ଅପମାନ ମନେ କରି ତୁଳସୀ କହିଲେ, ତୁମେ ନିଶ୍ଚୟ ବୈବାହିକ ଜୀବନ ଯାପନ କରିବ l ଏଥିରେ ଗଣେଶ କ୍ରୁଦ୍ଧ ହୋଇ ତାଙ୍କୁ ଅଭିଶାପ ଦେଲେ ଯେ ସେ ନିଶ୍ଚୟ ଜଣେ ରାକ୍ଷସର ପତ୍ନୀ ହେବେ l ଶ୍ରୀଗଣେଶ ପୁଣି କହିଲେ ତାଙ୍କର ପୂଜାରେ ତୁଳସୀ ଲାଗି ହେବ ନାହିଁ l କାଳକ୍ରମେ ଉଭୟଙ୍କ ଅଭିଶାପ ଫଳବତୀ ହୋଇଥିଲା,ଗଣେଶ ସିଦ୍ଧି ଓ ବୁଦ୍ଧି ନାମରେ ଦୁଇ ପତ୍ନୀ ଗ୍ରହଣକରି ବୈବାହିକ ଜୀବନ ଅତିବାହିତ କରିଥିଲେ ଏବଂ ବୃନ୍ଦାବତୀ ଦୈତ୍ୟ ଜଳନ୍ଧରର ପତ୍ନୀ ହୋଇଥିଲେ l ଏଥିପାଇଁ ତୁଳସୀ ଗଣେଶ ପୂଜାରେ ବ୍ୟବହୃତ ହୁଏ ନାହିଁ l ଏହି ଆଖ୍ୟାନଟି ବ୍ରହ୍ମବୈବର୍ତ୍ତ ପୁରାଣର l ପଦ୍ମ ପୁରାଣରେ ତୁଳସୀ ବା ବୃନ୍ଦାବତୀ ଉପାଖ୍ୟାନ ବିଶଦ ଭାବେ ବର୍ଣ୍ଣିତ ହୋଇଛି l
ଗଣେଶ ଅଗ୍ରପୂଜ୍ୟ l ଏଥିପାଇଁ ବୈଦିକମନ୍ତ୍ର ପଞ୍ଚ ଦେବ ସ୍ତୁତିରେ ଗଣେଶଙ୍କୁ ସର୍ବାଗ୍ରେ ରଖାଯାଇ ମନ୍ତ୍ରପାଠ କରାଯାଇଥାଏ :-
‘ଗଣେନାରାୟଣେ,ରୁଦ୍ରେ,ଅମ୍ବିକେ ଭାସ୍କରେ ତଥା ଭିନ୍ନା ଭିନ୍ନ ନ କର୍ତ୍ତବ୍ୟଂ ପଞ୍ଚ ଦେବ ନମସ୍ତୁତେ ‘l
ସ୍କନ୍ଧପୁରାଣ ବର୍ଣ୍ଣନା ଅନୁଯାୟୀ ମା’ ପାର୍ବତୀ ନିଜ ଶରୀରର ମଳିରୁ ଏକ ଶିଶୁ ପ୍ରତିମା ତିଆରି କରି ତାକୁ ଜୀବନ୍ନ୍ୟାସ ଦେଇ ନିଜ ପୁତ୍ର ଭାବେ ଗ୍ରହଣ କରିଥିଲେ l ବ୍ରହ୍ମବୈବର୍ତ୍ତ ପୁରାଣରେ କୁହାଯାଇଛି ମାଆ ଅପର୍ଣ୍ଣାଙ୍କ ତପସ୍ୟାରେ ସନ୍ତୁଷ୍ଟହୋଇ ସ୍ଵୟଂ ବିଷ୍ଣୁ ଗଣପତି ରୂପେ ଆବିର୍ଭାବ ହୋଇ ଥିଲେ l ଶ୍ରୀଗଣେଶ ତାଙ୍କର କ୍ଷୀପ୍ରଲେଖନୀ ଦ୍ୱାରା ସମସ୍ତ ବେଦ,ପୁରାଣ,ଶାସ୍ତ୍ର ଆଦିକୁ ବେଦବ୍ୟାସଙ୍କ ଠାରୁ ଶ୍ରବଣ କରି ଲିପିବଦ୍ଧ କରିଥିଲେ l ଶ୍ରୀଗଣେଶଙ୍କ ଯୋଗୁଁହିଁ ମନୁଷ୍ୟ ସମାଜ ଏ ସମସ୍ତ ଶାସ୍ତ୍ର ଲିଖିତ ଆକାରରେ ଲାଭ କରି ପାରିଛି l ସେ ହେଉଛନ୍ତି ବିଦ୍ୟାର ଭଣ୍ଡାର, ବିଦ୍ୟା ଦାତା, ସିଦ୍ଧିଦାତା, ସର୍ବ ବିଘ୍ନ ବିନାଶ କାରୀ l ଗଣେଶ ଚତୁର୍ଥୀର ପବିତ୍ର ଦିନରେ ସିଦ୍ଧିଦାତାଙ୍କ ପଦ ପଙ୍କଜରେ ଶତ ଶତ ନମସ୍କାର l
ଓଁ ନମଃ ଗଣେଶ ବିଘ୍ନେଶ ଗିରିଜାନନ୍ଦନଂ ପ୍ରଭୁ l
ମମବିଘ୍ନଂ ନିହତ୍ୟାଶୁ ସର୍ବ ସିଦ୍ଧିପ୍ରଦ ଭଵଃ ll
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ
ଚରଣ ବେହେରାମୋ -୭୬୯୩୦୯୧୯୭୧

Comments are closed.