ଅଧ୍ୟାପକଙ୍କୁ ୟୁଜିସି ହାରରେ ଦରମା ପ୍ରଦାନ ପାଇଁ ରାଜ୍ୟ ଶିକ୍ଷା ନିର୍ଦେଶକ ବିଧିବଦ୍ଧ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।

 ନୂଆଦିଲ୍ଲୀ : ଅଧ୍ୟାପକଙ୍କୁ ୟୁଜିସି ହାରରେ ଦରମା ପ୍ରଦାନ ପାଇଁ ରାଜ୍ୟ ଶିକ୍ଷା ନିର୍ଦେଶକ ବିଧିବଦ୍ଧ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ବିଚାରପତି ଜେ.କେ ମାହେଶ୍ବରୀ ଓ ଅତୁଲ ଏସ ଚନ୍ଦୁର୍କରଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଓଡ଼ିଶା ହାଇକୋର୍ଟଙ୍କ ୧୧ ଡିସେମ୍ବର ୨୦୧୭ ଆଦେଶନାମା ଆଧାରରେ ତିନିମାସ ମଧ୍ୟରେ ଅଧ୍ୟାପକଙ୍କ ଆବେଦନ ଉପରେ ରାଜ୍ୟ ଶିକ୍ଷା ନିର୍ଦେଶକ ନିଷ୍ପତ୍ତି ନେବାକୁ ଖଣ୍ଡପୀଠ ରାୟରେ ଉଲ୍ଲେଖ କରିଛନ୍ତି। ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ଓ ଅନ୍ୟମାନେ ସୁପ୍ରିମକୋର୍ଟରେ ଅନେକ ସିଭିଲ୍ ଅପିଲ୍ ଦାଖଲ କରିଥିଲେ।
ପ୍ରକାଶ ଯେ ହାଇକୋର୍ଟ ପୂର୍ବରୁ ଶିକ୍ଷା ନିର୍ଦେଶକଙ୍କୁ ଅଧ୍ୟାପକମାନଙ୍କ ଆବେଦନ ବିଚାର କରି ୟୁଜିସି ବେତନ ଦାବି ଉପରେ ନୂତନ ଆଦେଶ ଜାରି କରିବାକୁ ନିର୍ଦେଶ ଦେଇଥିଲେ। ଏହି ଆଦେଶକୁ ବିରୋଧ କରି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ କହିଛନ୍ତି ଯେ, ହାଇକୋର୍ଟଙ୍କ ଆଦେଶ କେବଳ ମାମଲାକୁ ପୁନଃବିଚାର ପାଇଁ ପଠାଇବା ସହ ସମ୍ବନ୍ଧିତ ଥିଲା ଏବଂ ଏହାରେ ସର୍ବଶେଷ ନିଷ୍ପତ୍ତି ହୋଇ ନ ଥିଲା। ଏହି ପରିସ୍ଥିତିରେ ସୁପ୍ରିମକୋର୍ଟ ଆପିଲଗୁଡ଼ିକୁ ଗ୍ରହଣ କରି ବିସ୍ତୃତ ଭାବେ ଶୁଣାଣି କରିବାର ଆବଶ୍ୟକତା ନାହିଁ ବୋଲି କହି ଶିକ୍ଷା ନିର୍ଦେଶକଙ୍କୁ ୩ ମାସ ମଧ୍ୟରେ ନିୟମାନୁସାରେ ନିଷ୍ପତ୍ତି ନେବାକୁ କହିଛନ୍ତି। ଏହାସହ ନିଷ୍ପତ୍ତି ପରେ ଯେକୌଣସି ପକ୍ଷ ଆଇନଅନୁସାରେ ଆବଶ୍ୟକ ପଦକ୍ଷେପ ନେଇପାରିବେ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି।

Comments are closed.