ଭୁବନେଶ୍ୱର, ଅକ୍ଟୋବର ୬(କୃଷ୍ଣ କୁମାର ମହାନ୍ତି): ମହିଳାମାନଙ୍କୁ ଉଦ୍ୟୋଗ କ୍ଷେତ୍ରରେ ସଶକ୍ତ ଓ ଆତ୍ମନିର୍ଭର କରିବା ସହ ଉଦ୍ୟୋଗିତାର ନୂଆ ସୁଯୋଗ ଓ ଆହ୍ୱାନ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ମହିଳା ଉଦ୍ୟୋଗିତା: ସୁଯୋଗ, ଆହ୍ୱାନ ଏବଂ ଭବିଷ୍ୟତର ରାସ୍ତା’ ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ଉତ୍କଳ ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ ଓମେନ୍ସ ଷ୍ଟଡିଜ୍, ପର୍ସନାଲ୍ ମ୍ୟାନେଜମେଣ୍ଟ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିଲେସନ୍ସ ବିଭାଗ ଏବଂ ଅହମ୍ମଦାବାଦସ୍ଥିତ ଏଣ୍ଟରପ୍ରେନ୍ୟୋରସିପ୍ ଡେଭଲପମେଣ୍ଟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (EDII)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କର୍ମଶାଳାକୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ଉଦ୍ଘାଟନ କରିଥିଲେ।
ମହିଳାମାନେ ଆତ୍ମନିର୍ଭର ହେବା ସହ ଉଦ୍ୟୋଗ କ୍ଷେତ୍ରରେ ଅଧିକ ସଂଖ୍ୟାରେ ଆଗକୁ ଆସିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।
କର୍ମଶାଳାରେ ଶିକ୍ଷାବିତ୍, ବୃତ୍ତିଗତ ବିଶେଷଜ୍ଞ, ମହିଳା ଉଦ୍ୟୋଗୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ମହିଳା ଉଦ୍ୟୋଗିତାର ବିଭିନ୍ନ ସମ୍ଭାବନା, ସମସ୍ୟା ଓ ଆହ୍ୱାନ ଉପରେ ମତ ବିନିମୟ କରିଥିଲେ।
କାର୍ଯ୍ୟକ୍ରମରେ ପିଜି କାଉନସିଲ୍ର ଅଧ୍ୟକ୍ଷ ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ, ସ୍କୁଲ୍ ଅଫ୍ ଓମେନ୍ସ ଷ୍ଟଡିଜ୍ର ନିର୍ଦ୍ଦେଶିକା ଡ. ସୀମା ମଲ୍ଲିକ, ଦକ୍ଷତା ବିକାଶ ନିର୍ଦ୍ଦେଶକ ପ୍ରଫେସର ବିଜୟ ସୁନ୍ଦରରାୟ, ଇନୋଭେସନ୍, ଇନକ୍ୟୁବେସନ୍, ଉଦ୍ୟୋଗିତା ଓ ଷ୍ଟାର୍ଟଅପ୍ ନିର୍ଦ୍ଦେଶକ ପ୍ରଫେସର ଶ୍ରୀରୂପ ଗୋସ୍ୱାମୀ, ୟୁଏନ୍ଡିପିର ପୂର୍ବତନ ରାଜ୍ୟ ମୁଖ୍ୟ ଡ. ଆଭା ମିଶ୍ର ଏବଂ ଇଡିଆଇଆଇ (ପୂର୍ବାଞ୍ଚଳ)ର ଅଧ୍ୟାପକ ଡ. ସୁବ୍ରତ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ଇଡିଆଇଆଇ, ଅହମ୍ମଦାବାଦର ମହାନିର୍ଦ୍ଦେଶକ ଡ. ସୁନୀଲ ଶୁକ୍ଳା ଅନଲାଇନ୍ ମାଧ୍ୟମରେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ।
ଟେକ୍ନିକାଲ୍ ଅଧିବେଶନରେ ଡ. ନିବେଦିତା ଜେନା ଓ ଜୟନ୍ତୀ ମହାପାତ୍ର ମହିଳା ଉଦ୍ୟୋଗିତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସେହିପରି ଡ. ଜ୍ୟୋତ୍ସ୍ନାରାଣୀ ପ୍ରଧାନ ଓ ଡ. ପ୍ରିୟଙ୍କା ଖୁରାନା ଇଡିଆଇଆଇ, ଅହମ୍ମଦାବାଦରେ ଅନୁଷ୍ଠିତ ଫ୍ୟାକଲ୍ଟି ମେଣ୍ଟର ଡେଭଲପମେଣ୍ଟ ପ୍ରୋଗ୍ରାମ୍ରେ ହାସଲ କରିଥିବା ଅଭିଜ୍ଞତା ବାଣ୍ଟିଥିଲେ।
ମହିଳା ଉଦ୍ୟୋଗୀମାନଙ୍କୁ ପ୍ରତିଷ୍ଠାନଗତ ସହଯୋଗ, ଦକ୍ଷତା ବିକାଶ ଓ ଜ୍ଞାନ ଆଦାନପ୍ରଦାନର ସୁଯୋଗ ପ୍ରଦାନ କରିବା ଦିଗରେ ଏହି କର୍ମଶାଳା ଏକ ସକାରାତ୍ମକ ପଦକ୍ଷେପ ଭାବେ ପରିଗଣିତ ହୋଇଛି। କର୍ମଶାଳାଟି ସଫଳତାର ସହ ସମାପ୍ତ ହୋଇଥିଲା।