ପାଟିରେ ପଶିଗଲା ଜୀବନ୍ତ କଉ ମାଛ,ଚାଲିଗଲା ଯୁବକଙ୍କ ଜୀବନ

ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ କରି ସ୍ଥାନୀୟ ଅଞ୍ଚଳରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା

0

ବାଙ୍ଗିରିପୋଷି :ମାଛ ଧରିବା ଖୁସି ଶେଷରେ ପାଲଟିଲା ମରଣ ଯନ୍ତା। ପାଟିରେ ଜୀବନ୍ତ କଉ ମାଛ ପଶିଯିବାରୁ ଚାଲିଗଲା ଯୁବକଙ୍କ ଜୀବନ। ଏହି ହୃଦୟବିଦାରକ ଘଟଣାରେ ମୟୂରଭଞ୍ଜ ବାଙ୍ଗିରିପୋଷି ଥାନା ଦିଘି ଗ୍ରାମରେ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ଅବିନାଶ ବିଜୁଳି। ଅବିନାଶ ବନ୍ଧରେ ମାଛ ଧରିବା ସମୟରେ ଏକ ଜୀବନ୍ତ କୋଉ ମାଛକୁ ପାଟିରେ କାମୁଡ଼ି ମାରିବାକୁ ଚେଷ୍ଟା କରୁଥିଲେ। ହେଲେ ଅସାବଧାନତା ରୁ ମାଛଟି ତାଙ୍କ ପାଟି ଭିତରକୁ ଗଳି ପଡ଼ିଥିଲା ଏବଂ ଶ୍ୱାସନଳୀରେ ଅଟକି ଯାଇଥିଲା। ଗୁରୁତର ଅବସ୍ଥାରେ ଅବିନାଶଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। କିନ୍ତୁ ସେଠାରେ ଡାକ୍ତରଙ୍କ ଅବହେଳା କାରଣରୁ ଅବିନାଶଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକଙ୍କ ଅଭିଯୋଗ।

ମୃତକଙ୍କ ଦଦା ତଥା ଦିଘି ଗ୍ରାମର ପୂର୍ବତନ ସରପଞ୍ଚ ବଙ୍କିମ ଚନ୍ଦ୍ର ବିଜୁଳିଙ୍କ କହିବା ଅନୁସାରେ, ବାରମ୍ବାର ଅନୁରୋଧ ସତ୍ତ୍ୱେ ଡାକ୍ତର ରୋଗୀଙ୍କ ପାଖକୁ ଆସିନଥିଲେ। କେବଳ ସେତିକି ନୁହେଁ, ଡାକ୍ତର ଜଣକ ଅସୌଜନ୍ୟମୂଳକ ବ୍ୟବହାର କରିବା ସହ ଜାତିଗତ ଆକ୍ଷେପ କରିଥିବା ମଧ୍ୟ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଚିକିତ୍ସା କରିବା ପରିବର୍ତ୍ତେ ତୁରନ୍ତ ବାରିପଦା ରେଫର କରିଦେଇଥିଲେ ଡାକ୍ତର। ଯେଉଁଥିପାଇଁ ଠିକ୍ ସମୟରେ ଚିକିତ୍ସା ନପାଇ ଅବିନାଶଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା।

Leave A Reply

Your email address will not be published.