ନୂଆଦିଲ୍ଲୀ ଗସ୍ତରେ ୟୁଏଇ ରାଷ୍ଟ୍ରପତି

ନୂଆଦିଲ୍ଲୀ : ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନ ସୋମବାର ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରୋଟୋକଲ ଭାଙ୍ଗିବା ପୂର୍ବକ ବିମାନବନ୍ଦରରେ ଉପସ୍ଥିତ ରହି ଶେଖ ମହମ୍ମଦଙ୍କୁ ସ୍ବାଗତ କରିଥିଲେ। ବିମାନବନ୍ଦର ପରିସରରେ ଦୁଇ ନେତା ପରସ୍ପରକୁ ଆଲିଙ୍ଗନ କରିଥିଲେ। ପରେ ମୋଦୀ ତାଙ୍କ କାର୍‌ରେ ଶେଖ ମହମ୍ମଦଙ୍କୁ ବସାଇ ତାଙ୍କ ବାସଭବନକୁ ଆଣିଥିଲେ। ବାସଭବନରେ ମଧ୍ୟ ମୋଦୀ ତାଙ୍କୁ ସ୍ବାଗତ କରିଥିଲେ। ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଶେଖ ମହମ୍ମଦ ମାତ୍ର ୨ ଘଣ୍ଟା ପାଇଁ ନୂଆଦିଲ୍ଲୀ ଗସ୍ତ କରିଥିଲେ।

ଶେଖ ମହମ୍ମଦଙ୍କ ଗସ୍ତ କମ୍ ସମୟ ପାଇଁ ହୋଇଥିଲେ ମଧ୍ୟ ଏହା କୂଟନୈତିକ ଦୃଷ୍ଟିକୋଣରୁ ବେଶ୍‌ ଗୁରୁତ୍ବପୂର୍ଣ୍ଣ ମନେ ହୋଇଛି। ଉଭୟଙ୍କ ମଧ୍ୟରେ ହୋଇଥିବା ଦ୍ବିପାକ୍ଷିକ ଆଲୋଚନା କାଳରେ ଦୁଇ ନେତା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏବଂ ନୂତନ ଉଦ୍ଭାବନ, ବିଶେଷକରି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗକୁ ମଜବୁତ କରିବାକୁ ନିଷ୍ପତ୍ତି ନେଇଥିଲେ। ରାଷ୍ଟ୍ରପତି ଶେଖ୍ ମହମ୍ମଦ ଫେବୃଆରୀ ୨୦୨୬ରେ ଭାରତରେ ଆୟୋଜିତ ହେବାକୁ ଥିବା ଏଆଇ ପ୍ରଭାବ ସମ୍ମିଳନୀକୁ ସମର୍ଥନ ଜଣାଇଥିଲେ। ଦୁଇ ନେତା ସୀମାପାର ଆତଙ୍କବାଦ ସମେତ ସମସ୍ତ ସ୍ୱରୂପ ଏବଂ ଅଭିବ୍ୟକ୍ତିରେ ଆତଙ୍କବାଦକୁ ଦୃଢ଼ ନିନ୍ଦା କରିଛନ୍ତି। ସେମାନେ କହିଛନ୍ତି ଯେ କୌଣସି ଦେଶ ଆତଙ୍କବାଦୀ କାର୍ଯ୍ୟକୁ ଆର୍ଥିକ ସହାୟତା, ଯୋଜନା, ସମର୍ଥନ କିମ୍ବା ସଂପାଦନ କରୁଥିବା ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳ ଯୋଗାଇବା ଉଚିତ୍ ନୁହେଁ।

ଆତଙ୍କବାଦ ପାଣ୍ଠି ଯୋଗାଣକୁ ମୁକାବିଲା କରିବା ଏବଂ ମନି ଲଣ୍ଡରିଂ ବିରୋଧୀ ପ୍ରୟାସକୁ ସୁଦୃଢ଼ କରିବା ପାଇଁ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ)ର ଢାଞ୍ଚା ମଧ୍ୟରେ ସହଯୋଗ ଜାରି ରଖିବାକୁ ସେମାନେ ସହମତ ହୋଇଛନ୍ତି। ୟୁଏଇର ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବ ପରେ ଶେଖ ମହମ୍ମଦଙ୍କ ଏହା ତୃତୀୟ ଭାରତ ଗସ୍ତ। ପ୍ରଧାନମନ୍ତ୍ରୀ ମୋଦୀ ୟୁଏଇ ରାଷ୍ଟ୍ରପତିଙ୍କୁ ଗୁଜରାଟ ନିର୍ମିତ କାଠର ଝୁଲା ଓ କାଶ୍ମୀରର ପଶମିନା ଶାଲ୍‌ ଉପହାର ଦେଇଥିଲେ।

Comments are closed.