ଶାମ୍ବ ଦଶମୀ କଥା

ଅର୍ଜୁନୀ ଚରଣ ବେହେରା

ଶାମ୍ବ ଦଶମୀ କଥା
============
ଆଜି ପବିତ୍ର ପୌଷ ଶୁକ୍ଳଦଶମୀ ଯାହା ଆମ ହିନ୍ଦୁ ପରମ୍ପରାରେ,ଶାମ୍ବ ଦଶମୀ ଭାବେ ସର୍ବତ୍ର ପାଳିତ ହୋଇଥାଏ l ଆସନ୍ତୁ ଜାଣିବା ପବିତ୍ର ଶାମ୍ବଦଶମୀ ପଛରେ ଥିବା କଥା l
ଭଗବାନ୍ ଶ୍ରୀକୃଷ୍ଣଙ୍କ ପୁତ୍ର ଥିଲେ ଶାମ୍ବ l ସେ ତାଙ୍କ ଅଷ୍ଟ ପାଟବଂଶୀଙ୍କ ମଧ୍ୟରୁ ଅନ୍ୟତମା ଜାମ୍ବବତୀଙ୍କ ପୁତ୍ର ଥିଲେ l ଶାମ୍ବ ଥିଲେ ଅତ୍ୟନ୍ତ ରୂପବାନ l କିନ୍ତୁ
ଆଚରଣରେ ଅତ୍ୟନ୍ତ ଉଚ୍ଛୃଙ୍ଖଳ ଓ କାମୁକ l ସେହି ଶାମ୍ବ ମୁନିମାନଙ୍କୁ ଉଦରରେ ଲୁହାମୁଷଳ ଭର୍ତ୍ତିକରି ଉପହାସ କରିବାରୁ ଶେଷରେ ମୁନିଙ୍କ ଅଭିଶାପରେ ଯଦୁବଂଶ ଧ୍ଵଂସ ହେଲା l
ଦିନକର କଥା, ଶାମ୍ବଙ୍କ ଚରିତ୍ର ସୁଧାର ପାଇଁ ତାଙ୍କୁ ଦେବର୍ଷି ନାରଦ ବହୁ ଉପଦେଶଦେଲେ l ତା ସତ୍ତ୍ୱେ
ମଧ୍ୟ ତାଙ୍କ ଚରିତ୍ରର କିଛି ପରିବର୍ତ୍ତନ ହେଲାନାହିଁ l
ତାଙ୍କୁ ଶିକ୍ଷା ଦେବା ପାଇଁ ଦେବର୍ଷି ନାରଦ ଗୋଟିଏ ଉପାୟ ଚିନ୍ତା କଲେ l ବିହାର ପାଇଁ ଦିନେ ଶ୍ରୀକୃଷ୍ଣ ରୈବତକ ପର୍ବତକୁ ଯାଇଥାନ୍ତି l ସେଠାକୁ ଦେବର୍ଷି ଶାମ୍ବଙ୍କୁ ଡାକିନେଲେ l ପର୍ବତ ନିକଟରେ ଥିବା ଏକ ପୁଷ୍କରିଣୀରେ ଗୋପାଙ୍ଗନା ମାନେ ଜଳକ୍ରୀଡା କରୁ ଥାନ୍ତି l ଶାମ୍ବ ସେହି ରମଣୀ ମାନଙ୍କ ଆଡ଼କୁ କାମୁକ ଦୃଷ୍ଟିରେ ଚାହିଁରହି ପ୍ରେମାଳାପ କରିବାକୁ ଲାଗିଲେ l ଗୋପାଙ୍ଗନା ମାନେ ମଧ୍ୟ ଶାମ୍ବଙ୍କ ସୁନ୍ଦର ରୂପ ପ୍ରତି ଆକୃଷ୍ଠ ହୋଇ ପଡ଼ିଲେ l ଶାମ୍ବଙ୍କ ଏପରି ଆଚରଣ ଦେଖି ନାରଦ ଯାଇ ଏହା କୃଷ୍ଣଙ୍କୁ ଜଣାଇଦେଲେ l ଶ୍ରୀକୃଷ୍ଣ ସେଠାରେ ପହଞ୍ଚି ପୂତ୍ରର ଏ ଆପତ୍ତିଜନକ ଆଚରଣ ଦେଖି କ୍ଷୁବ୍ଧହୋଇ ଶାପଦେଲେ ତୁ ଯେଉଁ ରୂପ ପାଇଁ ଏତେ ଗର୍ବିତ, ତାହା କୁଷ୍ଠ ରୋଗରେ କୁ ରୂପ ହୋଇଯାଉ l ଶାମ୍ବ କୁଷ୍ଠ ପୀଡ଼ିତ ହୋଇ, ମୁକ୍ତି ନିମନ୍ତେ ନାରଦଙ୍କୁ ପ୍ରାର୍ଥନାକଲେ l ଦେବର୍ଷି ନାରଦ ତାଙ୍କୁ ପରାମର୍ଶ ଦେଲେ, ଭାରତ ପୂର୍ବ ଉପ କୂଳରେ ଅବସ୍ଥିତ ମୈତ୍ରେୟ ବନରେ ସୂର୍ଯ୍ୟଉପାସନା କଲେ ଏ ବ୍ୟାଧିରୁ ମୁକ୍ତି ମିଳିବ l ଶାମ୍ବ ଆସି କୋଣାର୍କରେ ବାରବର୍ଷ ତପସ୍ୟାରେ ମଗ୍ନ ରହି, ସୂର୍ଯ୍ୟ ଉପାସନା କଲେ l ସୂର୍ଯ୍ୟ, ଶାମ୍ବଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ତାଙ୍କୁ ଏହି ଦୁରାରୋଗ୍ୟ କୁଷ୍ଠ ବ୍ୟାଧିରୁ ମୁକ୍ତ କଲେ ଏବଂ ସେ ତାଙ୍କ ପୂର୍ବ ସୌନ୍ଦର୍ଯ୍ୟ ଫେରି ପାଇଲେ l
ଶାକ ଦ୍ଵୀପରୁ ବ୍ରାହ୍ମଣମାନଙ୍କୁ ଆଣି ଶାମ୍ବ ମୈତ୍ରେୟ ବନରେ ସୂର୍ଯ୍ୟଦେବଙ୍କ ପୂଜାବେଦୀ ସ୍ଥାପନକଲେ l ଯେଉଁଦିନ ସେ ସୂର୍ଯ୍ୟଙ୍କୁ ସ୍ଥାପନା କରିଥିଲେ ସେହି ଦିନ ଥିଲା ପୌଷ ଶୁକ୍ଳଦଶମୀ ଯାହା ଶାମ୍ବ ଦଶମୀ ଭାବେ ଅଦ୍ୟାବଧି ପାଳିତ ହୋଇ ଆସୁଛି l
ଅନ୍ୟ ଏକ ପୌରାଣିକ ଗାଥାରୁ ଜ୍ଞାତ ହୋଇ ଥାଏ
ଦିନେ ସତ୍ୟଭାମାଙ୍କ ସହିତ ଶ୍ରୀକୃଷ୍ଣ ଏକାନ୍ତ ଥିଲା ବେଳେ, ଶାମ୍ବ ସେଠାରେ ଉପସ୍ଥିତ ହୋଇ, ଏହାକୁ ଅଵଲୋକନ କଲେ l ପୁତ୍ରର ଏ ଅନୁଚିତ ଆଚରଣ ଦେଖି ଶ୍ରୀକୃଷ୍ଣ ପୁତ୍ର ଶାମ୍ବଙ୍କୁ କୁଷ୍ଠ ରୋଗ ଗ୍ରସ୍ତ ହୁଅ ବୋଲି ଅଭିଶାପଦେଲେ l ପରେ ଅନୁତପ୍ତ ଶ୍ରୀକୃଷ୍ଣ ଦେବର୍ଷି ନାରଦଙ୍କ ପରାମର୍ଶରେ ଶାମ୍ବଙ୍କୁ କୋଣାର୍କ ମୈତ୍ରେୟ ବନକୁ ଯାଇ ସୂର୍ଯ୍ୟଦେବତାଙ୍କ ପୂଜାକର ବୋଲି ଉପଦେଶଦେଲେ l କୋଣାର୍କକୁ ଆସି ଶାମ୍ବ ଚନ୍ଦ୍ରଭାଗାନଦୀର ବାଲୁକା ରାଶିରେ ରବିନାରାୟଣ ପ୍ରତିମା ପୂଜାକରି, ଦୁରାରୋଗ୍ୟ କୁଷ୍ଠବ୍ୟାଧିରୁ ମୁକ୍ତି ଲାଭ କଲେ l ସେଦିନ ଥିଲା ପୌଷ ଶୁକ୍ଳ ଦଶମୀ ଯାହା ଶାମ୍ବ ଦଶମୀ ରୂପେ ପାଳିତ ହେଉଛି l
ବ୍ରହ୍ମାଣ୍ଡ ପୁରାଣର ବର୍ଣ୍ଣନା ଅନୁଯାୟୀ ଏକଦା ଅର୍କ କ୍ଷେତ୍ର, କୋଣାର୍କରେ ଗୌତମ ନାମକ ଜଣେ ବିପ୍ର ବାସ କରୁଥିଲେ l ସେହି ବିପ୍ର ପତ୍ନୀଙ୍କ ନାମ ଥିଲା ପଦ୍ମମୁଖୀ l ତାଙ୍କର ଯେତେ ଗୁଡ଼ିଏ ସନ୍ତାନ ଜାତ ହେଉଥିଲେ, ସମସ୍ତେ ମରି ଯାଉ ଥିଲେ l ତାଙ୍କର ଏମିତି ତିନି ପୁତ୍ର ଜନ୍ମ ହୋଇ, ମରି ଗଲେ l ପତ୍ନୀ ଦୁଃଖରେ ଭାଙ୍ଗି ପଡ଼ିଲେ l ବିପ୍ର ଗୌତମ ପତ୍ନୀଙ୍କୁ ସୂର୍ଯ୍ୟ ପୂଜା କରିବାକୁ ପରାମର୍ଶ ଦେଲେ l ତେଣୁ ପଦ୍ମମୁଖୀ ନିତ୍ୟ ସୂର୍ଯ୍ୟପୂଜା କରିବାକୁ ଲାଗିଲେ l ତାଙ୍କ ପୂଜାରେ ସନ୍ତୁଷ୍ଟ ହୋଇ, ଦିନେ ସୂର୍ଯ୍ୟ ଦେବ ଆବିର୍ଭାବ ହୋଇ ତାଙ୍କୁ କହିଲେ ପୌଷମାସ ଶୁକ୍ଳ ଦଶମୀ ତିଥିରେ, ଆମ୍ଭର ବ୍ରତ ଆଚରଣ କର l ଏ ବ୍ରତର ସମସ୍ତ ଵିଧି ବିଧାନ ମଧ୍ୟ ସେ ତାଙ୍କୁ ବତାଇ ଦେଲେ l ସୂର୍ଯ୍ୟ ପୁଣି କହିଲେ, ଏ ବ୍ରତ ଆଚରଣ କଲେ ପରିବାରର ମଙ୍ଗଳହେବ,ନିଃସନ୍ତାନ ବ୍ୟକ୍ତି ସନ୍ତାନ ଲାଭ କରିବ, କୌଣସି ସନ୍ତାନର ଅକାଳ ମୃତ୍ୟୁ ହେବ ନାହିଁ l ବିପ୍ର ପତ୍ନୀ ଏ ବ୍ରତ ଆଚରଣ କରି ପୁନଃ ଦୀର୍ଘାୟୁ ସନ୍ତାନ ପ୍ରାପ୍ତ ହେଲେ l ଏହି କଥା ନାରଦ ରୁକ୍ମିଣୀଙ୍କୁ କହିଥିଲେ l ଦେବୀ ଏହି ବ୍ରତ କରିବା ଦ୍ୱାରା ସମ୍ବରାସୁର ସହିତ ବାରମ୍ବାର ତୁମୁଳ ସଂଗ୍ରାମ କରି ପରାସ୍ତ, ତ୍ରସ୍ତ, ପୁତ୍ର ପ୍ରଦ୍ୟୁମ୍ନ ସମ୍ବରାସୁରକୁ ବଧକରିବାକୁ ସମର୍ଥ ହୋଇଥିଲେ l ସମ୍ବର ଅସୁର ପୌଷ ଶୁକ୍ଳ ଦଶମୀ ତିଥିରେ ନିଧନ ହୋଇଥିଲା l ଏଣୁ ପୌଷମାସ ଶୁକ୍ଳଦଶମୀ ସମ୍ବର ଦଶମୀ ଭାବେ ମଧ୍ୟ ପାଳିତ ହୁଏ l
ଗଣେ ନାରାୟଣେ ରୁଦ୍ରେ, ଅମ୍ବିକେ ଭାସ୍କରେ ଯଥା, ଭିନ୍ନାଭିନ୍ନ ନ କର୍ତ୍ତବ୍ୟ, ପଞ୍ଚଦେବ ନମସ୍ତୁତେ l ଏହି ମନ୍ତ୍ର ଅନୁଯାୟୀ ଆମ ହିନ୍ଦୁସମାଜରେ ପଞ୍ଚଦେବଙ୍କ ଉପାସନାଵିଧି ପ୍ରଚଳିତ l ଏହି ପଞ୍ଚଦେବତା ମାନେ ହେଉଛନ୍ତି ଆଦିଦେବ l ଏଣୁ ରବିନାରାୟଣଙ୍କୁ ଆଦି ଦେବତା ଭାବେ ଷୋଡଶ ଉପଚାରରେ ପୂଜା କରା ଯାଏ l ବହୁ ପ୍ରାଚୀନକାଳରୁ ଆମ ମହା ଭାରତୀୟ ଦର୍ଶନରେ, ସୂର୍ଯ୍ୟ ଉପାସନାର ପ୍ରଚଳନ ହୋଇଛି l ସୂର୍ଯ୍ୟ ସୃଷ୍ଟିସ୍ଥିତି ପ୍ରଳୟର ନିୟନ୍ତା ଓ ସମଗ୍ର ବିଶ୍ୱର ଚକ୍ଷୁ ସ୍ୱରୂପ l ତେଣୁ ସୂର୍ଯ୍ୟ ତର୍ପଣରେ ମନ୍ତ୍ର ବୋଲା ଯାଇଥାଏ:-
ନମଃ ସବିତ୍ରେ ଜଗଦ୍ଧେକ ଚକ୍ଷୁସେ l
ଜଗତ ପ୍ରସୂତି ସ୍ଥିତି ନାଶ ହେତବେ ll
ତ୍ରୟୀ ମୟାୟ ତ୍ରିଗୁଣାତ୍ମ ଧାରୀଣେ l
ବିରଞ୍ଚିନାରାୟଣ ଶଙ୍କରାତ୍ମନେ ନମଃ ll
ଦ୍ୱାଦଶ ଆଦିତ୍ୟଙ୍କ ମଧ୍ୟରେ ଶ୍ରୀବିଷ୍ଣୁ ହେଉଛି ଏକ ଆଦିତ୍ୟଙ୍କ ନାମ, ଆଦିତ୍ୟହୃଦୟ ସ୍ତୋତ୍ରରେ ପ୍ରାତ କାଳୀନ ସୂର୍ଯ୍ୟଙ୍କୁ ବ୍ରହ୍ମା l ମଧ୍ୟାହ୍ନ ସୂର୍ଯ୍ୟଙ୍କୁ ଶଙ୍କର l ଏବଂ ସାୟଂ କାଳୀନ ସୂର୍ଯ୍ୟଙ୍କୁ ବିଷ୍ଣୁ ରୂପେ ପୂଜା କରାଯାଏ l
ଉଦୟେ ବ୍ରହ୍ମଣୋପେତଂ,ମଧ୍ୟାହ୍ନେ ତୁ ମହେଶ୍ୱରଂ
ଅସ୍ତକାଳେ ଭଵେତ ବିଷ୍ଣୁ ତ୍ରିମୂର୍ତିଶ୍ଚ ଦିଵାକରଃ ll
ଶ୍ରୀମଦ୍ଭଗତ ଗୀତାରେ ସ୍ୱୟଂ ଭଗବାନ କହିଛନ୍ତି ଆଦିତ୍ୟ ମାନଙ୍କ ଭିତରେ ମୁଁ ବିଷ୍ଣୁ ଓ ଜ୍ୟୋତିଷ୍କ ମାନଙ୍କ ମଧ୍ୟରେ ମୁଁ ଅଂଶୁମାନ,ରବି :-
” ଆଦିତ୍ୟାନାହମ୍ ବିଷ୍ଣୁ
ଜ୍ୟୋତିଷାମ୍ ରବିରଂଶୁମାନ l”
ସେ ତେଜୀୟାନ, ନୟନ ଦେବ, ସର୍ବ ପାପହାରୀ, ସର୍ବ ଦେଵାତ୍ମା,ଏଣୁ କୁହାଯାଇଛି :-
” ତ୍ଵଂ ଭାନୋ ଜଗତଶ୍ଚକ୍ଷୁସ୍ତମାତ୍ମା
ସର୍ବ ଦେହିନାମ୍” l
ସୂର୍ଯ୍ୟ ପୂଜା ଵିଧି ଏବଂ ଶାମ୍ବ ଦଶମୀ ଉପାଖ୍ୟାନ ସୂର୍ଯ୍ୟ ପୁରାଣ ଓ ଏହା ଅନ୍ତର୍ଗତ ଶାମ୍ବ ପୁରାଣରେ ବର୍ଣ୍ଣିତ ହୋଇଛି l ଏଥିସହ ଏହା ଭବିଷ୍ୟ ପୁରାଣ, ସ୍କନ୍ଧ ପୁରାଣ, ବ୍ରହ୍ମ ପୁରାଣ, ମହାଭାରତ, କପିଳ ସଂହିତା ଆଦି ଗ୍ରନ୍ଥ ମାନଙ୍କରେ ବର୍ଣ୍ଣିତ ହୋଇଛି l ରାମାୟଣରେ ବର୍ଣ୍ଣିତ ହୋଇଛି, ଶ୍ରୀରାମ ଆଦିତ୍ୟ ହୃଦୟ ସ୍ତବ ପାଠରେ ସିଦ୍ଧିପ୍ରାପ୍ତ ହୋଇ ଲଙ୍କପତି ରାବଣକୁ ନିଧନ କରିବାକୁ ସମର୍ଥ ହୋଇ ଥିଲେ l ମହାଭାରତ ବନପର୍ବରେ ଉଲ୍ଲେଖ ରହିଛି ଯୁଧିଷ୍ଠିର ବନ ଗମନ କାଳରେ, ପୁରୋହିତ ମୁନୀ ଧୌମ୍ୟଙ୍କ ଉପଦେଶରେ ସୂର୍ଯ୍ୟଙ୍କ ଅଷ୍ଟୋତ୍ତର ଶତନାମ ପାଠ ପୂର୍ବକ ତାଙ୍କୁ ପ୍ରସନ୍ନ କରି, ତାଙ୍କଠାରୁ ଅକ୍ଷୟ ପାତ୍ର ପ୍ରାପ୍ତ ହୋଇଥିଲେ l
ଶାମ୍ବ ଦଶମୀ, ରବି ନାରାୟଣ ଉପାସନାର ପ୍ରକୃଷ୍ଠ ଅବସର l ସୌରଶକ୍ତି ଏ ସମସ୍ତ ଜୀବଜଗତ ପାଇଁ ଅପରିହାର୍ଯ୍ୟ l ସମସ୍ତ ସୃଷ୍ଟିକୁ ସୂର୍ଯ୍ୟ ହିଁ ଚଳ ଚଞ୍ଚଳ କରିଥାନ୍ତି, ସେ ସମସ୍ତ ଜୀବଜଗତର ପ୍ରାଣ, ସକଳ ଶକ୍ତିର ଆଧାର l ଆମର ଜ୍ୟୋତିଷ ଶାସ୍ତ୍ର ସୂର୍ଯ୍ୟଙ୍କୁ ହିଁ କେନ୍ଦ୍ର କରି ଗଢ଼ି ଉଠିଛି l ବାଳ ସୂର୍ଯ୍ୟଙ୍କ କିରଣ ଚିକିତ୍ସା ଶାସ୍ତ୍ର ମତେ ସ୍ୱାସ୍ଥ୍ୟପ୍ରଦ l ସୂର୍ଯ୍ୟଙ୍କ ରଶ୍ମିରେ ରହିଛି ବହୁ ଉପକାରୀ ତତ୍ତ୍ୱସମୂହ l ବାଳସୂର୍ଯ୍ୟଙ୍କୁ ଚାହିଁଲେ ଦୃଷ୍ଟିଶକ୍ତି ବଢ଼େ l ଅକ୍ଷୟ ଶକ୍ତିର ଭଣ୍ଡାର ହେଉଛନ୍ତି ସୁର୍ଯ୍ୟ l ସୂର୍ଯ୍ୟଙ୍କ ବିନା ଏ ଜଗତର ସ୍ଥିତି ଅସମ୍ଭବ l ଏଣୁ ସର୍ବ ଶକ୍ତିମାନ ସୂର୍ଯ୍ୟଙ୍କୁ ଆମ ପୂର୍ବ ସୁରୀମାନେ ପୌରାଣିକ ଗାଥା, କିମ୍ବଦନ୍ତୀ, ଧର୍ମୀୟ ଭାବନା ସହ ଯୋଡ଼ି ଦେଇ ଆମକୁ ସୃଷ୍ଟିର ମହାନ ଦାନର ମହତ୍ୱ ବୁଝିବା ନିମନ୍ତେ ସୂଚାଇ ଦେଇଛନ୍ତି l ଜୀବଶ୍ରେଷ୍ଠ ମନୁଷ୍ୟ, ଏହି ସୂର୍ଯ୍ୟପୂଜା ପାଇଁ ପ୍ରକୃଷ୍ଠ ଅବସର ଶାମ୍ବ ଦଶମୀକୁ ବାଛି ନେଇଛି l
ନିତ୍ୟ ସୂର୍ଯ୍ୟ ଉପାସନା କଲେ, ମନୁଷ୍ୟର କୌଣସି ଆଧି ବ୍ୟାଧି ଶୋକ ସନ୍ତାପ ଓ ଦାରିଦ୍ର୍ୟ ରହେ ନାହିଁ ଓ ଅନ୍ତଃ କାଳରେ ମନୁଷ୍ୟକୁ ଆଦିତ୍ୟଲୋକ ପ୍ରାପ୍ତ ହୋଇଥାଏ l ଏଣୁ ଶାସ୍ତ୍ରରେ କୁହା ଯାଇଛି :-
ଆଦିତ୍ୟସ୍ୟ ନମସ୍କାରଂ ଯେ କୁର୍ବନ୍ତି ଦିନେ ଦିନେ l
ନ ବ୍ୟାଧି ଶୋକ ଦାରିଦ୍ର୍ୟମ୍
ସୂର୍ଯ୍ୟ ଲୋକଂ ସ ଗଛତି ll
🙏🙏🙏
ଅର୍ଜୁନୀ
—————–
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.