ରେଢାଖୋଲ: ଆଜିକାଲି ଅନେକ ଲୋକ ବିନା ପରିଶ୍ରମରେ ଲକ୍ଷପତି ବା କୋଟିପତି ହେବାକୁ ଚାହୁଁଛନ୍ତି। ସତ୍ ଉପାୟରେ କମ ପରିଶ୍ରମରେ ବହୁତ କମ ସମୟରେ ଧନୀ ହେବା ସହଜ ନୁହେଁ। ତେଣୁ ଅନେକ ଲୋକ ଅସାଧୁ ତଥା ବିକଳ୍ପ ଚିନ୍ତା କରନ୍ତି। ନିଶା ବେପାର ହେଉ କି ଅନ୍ୟ କିଛି ଅସାଧୁ କାମ କରି ଟଙ୍କା ରୋଜଗାର କରିବାକୁ ପଛାଉ ନାହାନ୍ତି କିଛି ଲୋକ। ଅନେକ ସ୍ଥାନରେ ଯୁବପିଢ଼ି ପ୍ରାଚୀନ ମୁଦ୍ରା ଓ ହନୁମାନ ପଇସା ସଂଗ୍ରହ କରି ଏଗୁଡ଼ିକୁ ବିକ୍ରି କରି ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି। ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅଧୀନ ଚାରବାଟୀ ଛକ ଅଞ୍ଚଳରେ ହନୁମାନ ପଇସା ଡିଲ୍ ସମୟରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଧରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସଚିନ୍ଦ୍ର କୁମାର ପଟେଲ (୩୮), ସତ୍ୟରଂଜନ ଜେନା (୪୦) ଓ କାର୍ତ୍ତିକ ମିଶ୍ର (୫୪)। ପ୍ରଥମ ୨ ଅଭିଯୁକ୍ତ ଓଡ଼ିଶାର ହୋଇଥିବା ବେଳେ ତୃତୀୟ ବ୍ୟକ୍ତି ପଶ୍ଚିମବଙ୍ଗର ବୋଲି ପୁଲିସ କହିଛି। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ୩ଟି ହନୁମାନ ପଇସା, ୩ଟି ପୁରାତନ ମୁଦ୍ରା, ୧ ବିଦେଶୀ ମୁଦ୍ରା, ପ୍ରେସକାର୍ଡ ଏବଂ ୱେବ୍ ଚ୍ୟାନେଲ ବୁମ୍ ସହ କାର ମଧ୍ୟ ଜବତ କରିଛି।ଏସ୍ଆଇ ଅସିମା ଏକ୍କାଙ୍କ ନେତୃତ୍ବରେ ପୁଲିସ ଟିମ୍ ୧୬ ତାରିଖ (ବୁଧବାର) ସନ୍ଧ୍ୟା ୫ଟାରେ ରେଢ଼ାଖୋଲ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ଅଂଚଳରେ ପାଟ୍ରୋଲିଂ କରୁଥିଲେ। ପ୍ରାୟ ୬ଟା ୨୦ରେ ବିଶ୍ବସ୍ତ ସୂତ୍ରରୁ ପୁଲିସକୁ ସୂଚନା ମିଳିଥିଲା ଯେ, ଚାରବାଟୀ ଛକ ନିକଟରେ ହନୁମାନ ମୁଦ୍ରା କାରବାର ଚାଲିଛି। ଏହି କିଣାବିକା କାମରେ କିଛି ଦଲାଲ କାମ କରୁଛନ୍ତି। ସୂଚନା ଆଧାରରେ ପୁଲିସ ଘଟଣାସ୍ଥଳରେ ଅତର୍କିତ ଚଢ଼ାଉ କରିଥିଲା।ଚଢ଼ଉ ସମୟରେ ପୁଲିସ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଧୀନ ଶଙ୍କରାପୋଷର ସଚିନ୍ଦ୍ର କୁମାର ପଟେଲ, ଖୋର୍ଦ୍ଧା ଜିଲ୍ଲା ତମାଣ୍ଡୋ ଥାନା ଅଧୀନ କଳିଙ୍ଗବିହାର ଗାଁର ସତ୍ୟରଂଜନ ଜେନା ଓ ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲା ଦନ୍ତାନ ଥାନା ଅଧୀନ ପାଣିତେଣ୍ଡା ଗାଁର କାର୍ତ୍ତିକ ମିଶ୍ରକୁ ଧରିଥିଲା। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ପୁରୁଣା ହନୁମାନ ମୁଦ୍ରା ୨ଟି (୧୮୧୮ ଓ ୧୯୦୮ ମସିହାରେ ଇଷ୍ଟ ଇଣ୍ଡିଆ କଂପାନି ଦ୍ବାରା ପ୍ରଚଳିତ), ଅନ୍ୟ ଏକ ହନୁମାନ ମୁଦ୍ରା (ଗୋଟିଏ ପଟେ ଇଷ୍ଟ ଇଣ୍ଡିଆ କଂପାନିର ଲଗୋ ଓ ଅନ୍ୟପାର୍ଶ୍ବରେ ସିଂହ ସହିତ ପତାକା ଚିହ୍ନ), ଇଷ୍ଟ ଇଣ୍ଡିଆ କଂପାନି ଦ୍ବାରା ପ୍ରଚଳିତ ପୁରୁଣା ଟଙ୍କା, ୫ଟି ମୋବାଇଲ ଫୋନ, ଗୋଟିଏ ବିଦେଶୀ ମୁଦ୍ରା, ଗୋଟିଏ ୫ଟଙ୍କିଆ ପୁରୁଣା ମୁଦ୍ରା, ଗୋଟିଏ କାର (ଓଡି ୦୨ ଆର ୩୫୮୧), ନଗଦ ୩୮,୭୦୦ ଟଙ୍କା ଆଦି ଜବତ କରିଥିବା ନେଇ ପୁଲିସ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛି।
Sign in
Sign in
Recover your password.
A password will be e-mailed to you.
Comments are closed.