ସଡ଼କ ସୁରକ୍ଷାରେ ଓଡ଼ିଶାକୁ ୬୭% ମାର୍କ

ଭୁବନେଶ୍ବର : ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟିର ସଚିବ ସଞ୍ଜୟ ମିତ୍ତଲଙ୍କ ନେତୃତ୍ବରେ ଏକ ଟିମ୍ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ଆଜି ଲୋକସେବା ଭବନରେ ମୁଖ୍ୟସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଜ୍ୟ ସରକାର ସଡ଼କ ସୁରକ୍ଷା ନେଇ କି କି ପଦକ୍ଷେପ ନେଇଛନ୍ତି ସେନେଇ ସବିଶେଷ ସୂଚନା ଦେଇଥିଲେ। ସଡ଼କ ସୁରକ୍ଷା, ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ, ଆହତ ବ୍ୟକ୍ତିମାନଙ୍କୁ ତୁରନ୍ତ ଚିକିତ୍ସା ଓ ସହାୟତା ପ୍ରଦାନ ଉପରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ନେଇ ସୁପ୍ରିମକୋର୍ଟ କମିଟି ସନ୍ତୋଷ ପ୍ରକାଶ କରିବା ସହ ରାଜ୍ୟ ସରକାର ଆଉ କ’ଣ କ’ଣ କରିବା ଦରକାର ସେନେଇ ପରାମର୍ଶ ଦେଇଛନ୍ତି।

ଶ୍ରୀ ମିତ୍ତଲ ରାଜ୍ୟ ସରକାର ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ତୁରନ୍ତ ରାଜପଥରୁ ଅବରୋଧ ହଟିବା ଦରକାର। ଏହାସହ ଜାତୀୟ ସଡ଼କ କଂଗ୍ରେସର ନିୟମ ଅନୁଯାୟୀ ରାସ୍ତାରେ ମିଡିଆନ୍ ନିର୍ମାଣ, ଦୁର୍ଘଟଣା ଆଶଙ୍କା ଥିବା ସ୍ଥାନ ଚିହ୍ନଟ ଏବଂ ଆବଶ୍ୟକୀୟ ସୂଚନା ଫଳକ ଲଗାଇ‌େବ। ସଡ଼କ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ସବୁ ଦୃଷ୍ଟିରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ବିଭିନ୍ନ ବ୍ୟବସ୍ଥାକୁ ନେଇ ୬୭% ମାର୍କ ରଖିଛନ୍ତି। ତେଣୁ ସଡ଼କ ସୁରକ୍ଷା ଦିଗରେ ଭିତ୍ତିଭୂମିକୁ ଅଧିକ ସୁଦୃଢ କରିବାକୁ ‌ହେବ।

ସେହିପରି ରାଜପଥକୁ ସଂଲଗ୍ନ କରୁଥିବା ରାସ୍ତାରେ ସ୍ପିଡବ୍ରେକର ଲଗାଇବା, ଯାନବାହାନ ଯାଞ୍ଚ ଏବଂ ନିଶା ସେବନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ସଚିବ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣାର ପ୍ରଥମ ଘଣ୍ଟା ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ଦୃଷ୍ଟିରୁ ଆହତ ବ୍ୟକ୍ତିମାନଙ୍କୁ ପ୍ରାଥମିକ ଚିକିତ୍ସାରେ ସହାୟତା ପ୍ରଦାନ କରିବା ନିମନ୍ତେ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନକୁ ବ୍ୟାପକ କରିବା ସହ ଟ୍ରମା କେନ୍ଦ୍ରଗୁଡ଼ିକରେ ଭିତ୍ତିଭୂମି ସୁଦୃଢ଼ କରିବା ଉପରେ ସ୍ୱାସ୍ଥ୍ୟ ବିଭାଗକୁ ମୁଖ୍ୟସଚିବ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ରାଜ୍ୟରେ ଦୁର୍ଘଟଣା ଜନିତ ମୃତାହତ ସଂପର୍କରେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ ବୋଥ୍ରା ସୂଚନା ଦେଇ କହିଥିଲେ, ୨୦୨୧ରେ ରାଜ୍ୟରେ ୧୦୯୮୩ଟି ଦୁର୍ଘଟଣାରେ ୫୦୮୧ ଜଣ ମୃତ୍ୟୁବରଣ କରିଥିବା ବେଳେ ୯୭୮୨ ଜଣ ଆହତ ହୋଇଥିଲେ। ସେହିଭଳି ୨୦୨୨ରେ ୧୧୬୬୩ଟି ଦୁର୍ଘଟଣାରେ ୫୪୬୭ ଜଣ ପ୍ରାଣ ହରାଇଥିବା ବେଳେ ୧୦୩୦୨ ଜଣ ଆହାତ ହୋଇଥିଲେ। ଗତବର୍ଷ ଗଞ୍ଜାମ ଜିଲ୍ଲାରେ ସର୍ବଧିକ ଓ ଗଜପତି ଜିଲ୍ଲାରେ ସର୍ବନିମ୍ନ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଥିବା ସେ କହିଥିଲେ।

ସେହିପରି ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ କହିଥିଲେ ଯେ ରକ୍ଷକ ସଚେତନତା କାର୍ଯ୍ୟକ୍ରମରେ ଦୁର୍ଘଟଣା ଜନିତ ପ୍ରାଥମିକ ଚିକିତ୍ସାରେ ସହାୟତା ପ୍ରଦାନ କ୍ଷେତ୍ରରେ ୧୧୩୮୯ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛି। ବ୍ରହ୍ମପୁର, କେନ୍ଦୁଝର ଏବଂ ବଣାଇଠାରେ ନୂତନ ଭାବେ ପ୍ରତିଷ୍ଠା କରାଯାଇଥିବା ଗାଡ଼ିଚାଳନା ଏବଂ ତାଲିମ ଗବେଷଣା କେନ୍ଦ୍ରରେ ରାଜ୍ୟର ଏକ ହଜାର ଅନୁସୂଚିତ ଜାତି ଓ ଜନଜାତି ଭାରିଯାନ ଚାଳକଙ୍କୁ ବିଭାଗ ପକ୍ଷରୁ ଚଳିତ ବର୍ଷ ତାଲିମ ପ୍ରଦାନ କରାଯିବ। ରାଜ୍ୟର ସମସ୍ତ ଆଞ୍ଚଳିକ ଏବଂ ସହାୟକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦୈନିକ ହାରାହାରି ୧୮୦୦ ଲୋକଙ୍କୁ ସଡ଼କ ସୁରକ୍ଷା ସଂପର୍କିତ ଅତ୍ୟାଧୁନିକ ତାଲିମ ପ୍ରଦାନ ନିମନ୍ତେ ବ୍ୟବସ୍ଥା କରାଯାଉଥିବା ନେଇ ଶ୍ରୀମତୀ ପାଢ଼ୀ ସୂଚନା ଦେଇଥିଲେ।

ଏହି ବୈଠକରେ ପୁଲିସ ଡିଜି ସୁନିଲ ବଂଶଲ, ସ୍ବାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ, ପରିବହନ ବିଭାଗ ଯୁଗ୍ମ କମିସନର ସଞ୍ଜୟ ବିଶ୍ବାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.