ବାଧା ଦେବା ପରିବର୍ତ୍ତେ ସ୍ତ୍ରୀ ଫାଶୀ ଦେବା ଦୃଶ୍ୟ ସୁଟିଙ୍ଗ୍‌ କରି ପରିବାର ଲୋକଙ୍କୁ ଦେଖାଇଲେ ସ୍ବାମୀ

କାନପୁର: ଫାଶୀ ଦେଉଥିବା ସ୍ତ୍ରୀକୁ ବାଧା ନ ଦେଇ ତାଙ୍କ ଆତ୍ମହତ୍ୟାକାଳୀନ ଦୃଶ୍ୟର ଭିଡିଓ ଉତ୍ତୋଳନ କରି ଉତ୍ତର ପ୍ରଦେଶର ଜଣେ ବ୍ୟକ୍ତି ପରିବାର ଲୋକଙ୍କୁ ଦେଖାଇଥିବା କଥା ‘ଏନ୍‌ଡିଟିଭି’ ରିପୋର୍ଟ କରିଛି।

ସଂଗୃହୀତ ତଥ୍ୟ ଅନୁସାରେ, ସଞ୍ଜୟ ଓ ଶୋବିତା ଗୁପ୍ତା ୪ ବର୍ଷ ହେବ ବିବାହ କରିଛନ୍ତି। ସଞ୍ଜୟ ଗୁପ୍ତା ସୁଟିଙ୍ଗ୍‌ କରିଥିବା ଭଳି ଜଣାପଡୁଥିବା ମୋବାଇଲ୍‌ ଫୋନ୍‌ ଭିଡିଓରେ ଦେଖାଯାଉଛି, ଶୋବିତା ବେକରେ ରଶି ଲଗାଇ ଖଟ ଉପରେ ଲାଗିଥିବା ପଙ୍ଖାରେ ଫାଶୀ ଦେବାକୁ ଉଦ୍ୟମ କରୁଛନ୍ତି।

କିନ୍ତୁ, ସଞ୍ଜୟ ଗୁପ୍ତା ତାଙ୍କୁ ବାଧା ଦେବା ପାଇଁ ତିଳେମାତ୍ର ଚେଷ୍ଟା ନ କରି କହୁଛନ୍ତି, ବଢ଼ିଆ। ଏଇଟା ତୁମ ବିଚାରଧାରା। ତୁମର ବିଚାରଧାରା ଅତି ନିମ୍ନ ଧରଣର।

ଏ କଥା ଶୁଣି ଶୋବିତା ଗଳାରୁ ଫାଶ କାଢ଼ି ସଞ୍ଜୟଙ୍କ ଆଡ଼କୁ ଭ୍ରୂକୁଞ୍ଜନ କରି ଚାହୁଁଛନ୍ତି। ଏହାପରେ କ’ଣ ହେଲା ଜଣାପଡ଼ି ନାହିଁ।

ସେପଟେ, ଶୋବିତାଙ୍କ ବାପା ରାଜକିଶୋର ଗୁପ୍ତା କହି‌ଛନ୍ତି, ଶୋବିତା ଆତ୍ମହତ୍ୟା କରିଛି ବୋଲି ମଙ୍ଗଳବାର ଦିନ ସେ ଫୋନ୍‌ରେ ଜ୍ବାଇଁଙ୍କଠାରୁ ଶୁଣିଲେ। ଶୋବିତାଙ୍କ ଘରଲୋକେ ଧାଇଁ ଆସି ଦେଖିଲା ବେଳେକୁ ତା’ର ଶବ ଖଟରେ ପଡ଼ିଛି ଓ ସଞ୍ଜୟ ଗୁପ୍ତା ‘ସିପିଆର୍‌’ ଦେଉଛନ୍ତି।

ଉଠାଇ ଥିବା ଭିଡିଓକୁ ଶଶୁରଘର ଲୋକଙ୍କୁ ଦେଖାଇ ସଞ୍ଜୟ ଗୁପ୍ତା କହିଲେ, ଆତ୍ମହତ୍ୟାର ପ୍ରଥମ ଉଦ୍ୟମରୁ ସେ ତାଙ୍କୁ ବିରତ କରିଥିଲେ।

ଶୋବିତାର ବାପା ରାଜକିଶୋର ଗୁପ୍ତା କହିଛନ୍ତି, ଡାକ୍ତରଖାନା ନେବା ପରିବର୍ତ୍ତେ ସେ ତା’ର ଛାତିକୁ ପମ୍ପିଙ୍ଗ୍‌ କରୁଥିବାର ଆମେ ଦେଖିଲୁ। ଗୋଟାଏ ଭିଡିଓ ଦେଖାଇ ସଞ୍ଜୟ କହୁଛନ୍ତି କି, ସେ ଆଗରୁ ମଧ୍ୟ ଶୋବିତାକୁ ଆତ୍ମହତ୍ୟା କରିବାରୁ ବିରତ କରିଥିଲେ।

ଶୋବିତାଙ୍କ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଥିଲେ ଏବଂ ସେ ମୃତା ବୋଲି ଡାକ୍ତରମାନେ ଘୋଷଣା କରିବା ପରେ ସେମାନେ ଥାନାକୁ ଗଲେ। ସ୍ତ୍ରୀଙ୍କ ମୃତ୍ୟୁରେ ସଞ୍ଜୟଙ୍କ ଭୂମିକା ବିଷୟରେ ପୁଲିସ ତଦନ୍ତ ଆରମ୍ଭ କରିଛି।

Comments are closed.