ମୋ ରାଇଜ କେଡ଼େ ସୁନ୍ଦର

ଅମରନାଥ ବାରିକ୍

ଓଡିଶା ମାଟିରେ ଜନମ ମୋର
ମଧୁର କୋମଳ ମୋ ଭାଷା ସ୍ବର ।
ମୁଁ ଓଡ଼ିଆ ମୋର ଭାଷା ବଢ଼ିଆ
ସୈନିକ ଆମର ଅଟେ ଲଢ଼ୁଆ ।
ଛଉ ଗୋଟିପୁଅ ଓଡ଼ିଶୀ ନୃତ୍ୟ
ଦେଶ ବିଦେଶରେ ହୁଏ ଚର୍ଚ୍ଚିତ ।
ପାହାଡ ଝରଣା କେଡ଼େ ସୁନ୍ଦର
କାରୁକାର୍ଯ୍ୟ ଭରା ଆମ ମନ୍ଦିର ।
ଯାଜପୁର ଜିଲ୍ଲା ବିରଜା କ୍ଷେତ୍ର
ଦେଖିଲେ ପବିତ୍ର ହୁଅଇ ନେତ୍ର ।
କାବ୍ୟ କବିତାର ସ୍ୱୀକୃତି ଗାର
ଦେଲେ ଅଭିମନ୍ୟୁ ସାମନ୍ତ ସିଂହାର ।
ବୈତରଣୀ ନଦୀ ଭଳି ଅନେକ
ବୋହି ଯାଇଅଛି ସ୍ରୋତରେ ବାଙ୍କ ।
ପାଲା ଘୋଡ଼ାନାଚ ଦାସକାଠିଆ
ଆମ ପରମ୍ପରା ଆଗରେ ଠିଆ ।
ଓଡ଼ିଆଙ୍କ ପ୍ରାଣ ପଖାଳ କଂସା
ହୋଇଥାଏ ଘରେ ଘରେ ପରସା ।
ବାର ମାସେ ତେର ପରବ ଯାତ
ଆରିଶା କାକରା ମଣ୍ଡା ଯାବତ ।
ଭିତର କନିକା କୁମ୍ଭୀର ଚାଷ
ଗହୀରମଥାରେ କଇଁଛ ବାସ ।
ନନ୍ଦନକାନନ ପ୍ରାଣୀ ପ୍ରାଚୁର୍ୟ୍ଯ
ଭାରତେ ଅନନ୍ୟ ରାଜ୍ୟ ଐଶ୍ୱର୍ଯ୍ୟ ।
ଖଣ୍ଡଗିରି ଲିଙ୍ଗରାଜ ଚିଲିକା
ବାଙ୍କୀ ଅଧୀଶ୍ଵରୀ ମାଆ ଚର୍ଚ୍ଚିକା ।
କେ ହୋଇବ ମୋର ରାଇଜ ସମ
କୋଣାର୍କର ଶିଳା ଶିଳ୍ପୀଙ୍କ ଦମ ।
ଚନ୍ଦକା ଅରଣ୍ୟ ଧଉଳି କୀର୍ତ୍ତି
ନୀଳାଚଳ ଧାମେ ଚତୁର୍ଦ୍ଧା ମୂର୍ତ୍ତି ।
ଯା’ ଚରଣ ଧୁଏ ନୀଳ ସାଗର
ମହେନ୍ଦ୍ର ଗିରି ଯା ଉନ୍ନତ ଶିର ।
ଏହି ପୂଣ୍ୟ ତୀର୍ଥେ ଲଭିଲି ଜନ୍ମ
ଗର୍ବିତ ଓଡ଼ିଆ ମୋ ପୁଣ୍ୟ କର୍ମ ।

✍ ଅମରନାଥ ବାରିକ୍
💌 କୟାଁ,ମଙ୍ଗଳପୁର, ଯାଜପୁର
📞 ୯୫୪୦୩୦୮୦୯୫ (ନୂଆଦିଲ୍ଲୀ)

Comments are closed.