ଭୁଶୁଡ଼ିଲା ଟ୍ରାଫିକ୍‌ ବ୍ୟବସ୍ଥା, ରୁନ୍ଧି ହୋଇଗଲା ରାଜଧାନୀ

ଭୁବନେଶ୍ବର: ରାଜଧାନୀରେ ମେଢ଼ ଦେଖିବେ, ପୂଜା ବଜାର ବୁଲିବେ; ଏହି ଆଶାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ଲୋକ ପିଲା, ଛୁଆ ଧରି ଦୁର୍ଗାପୂଜା ଛୁଟି କଟାଇବା ପାଇଁ ଭୁବନେଶ୍ବରକୁ ଆସିଛନ୍ତି। କିନ୍ତୁ ମହାଷଷ୍ଠୀଠାରୁ ଏଠାକାର ଟ୍ରାଫିକ୍‌ ସମସ୍ୟା ଦେଖି ସେମାନଙ୍କ ମନ ଘର ଧରିଗଲାଣି। ପୂଜା ବୁଲା ଦୂରେ ଥାଉ, ଘରକୁ କେମିତି ଶାନ୍ତିରେ ବାହୁଡ଼ିଯିବେ, ସେଇ ଚିନ୍ତା ସେମାନଙ୍କୁ ଘାରିଲାଣି। ଏପଟେ ଆଇଗିଣିଆ-ପାତ୍ରପଡ଼ାଠାରୁ ଆରମ୍ଭ କରି ପଳାସୁଣି ଯାଏ ଓ ଉତ୍ତରରେ ପଟିଆଠାରୁ ଏପଟେ ପୁରୁଣା ଭୁବନେଶ୍ବର ପର୍ଯ୍ୟନ୍ତ; ସବୁଠି ଅସମ୍ଭାଳ ଗହଳି। ପିମ୍ପୁଡ଼ି ଘେରିଗଲା ଭଳି ସହରସାରା ଭିଡ଼। ପଛକୁ ପଛ ଗାଡ଼ି ଓ ହର୍ଣ୍ଣର ବିକଟାଳ ଶବ୍ଦ, ଶ୍ରଦ୍ଧାଳୁଙ୍କ ମନ ମାରି ଦେଉଛି। ରାଜଧାନୀର ପ୍ରମୁଖ ମେଢ଼ଗୁଡ଼ିକୁ ଦେଖିବା ପାଇଁ ଘରୁ ବାହାରୁଥିବା ଲୋକ ଏ ଭିଡ଼ ଦେଖି ଅଧାରୁ ମନ ବଦଳାଇ ଦେଉଛି। ଭିଡ଼ ଭିତରେ ଫସି ଅତି କଷ୍ଟରେ ଗୋଟିଏ ମଣ୍ଡପ ବୁଲିବା ପରେ ଘରକୁ ଫେରିଯିବା ପାଇଁ ବାଧ୍ୟ ହେଉଛି। ଆଉ ଏସବୁ ପାଇଁ ରାଜଧାନୀର ବିପର୍ଯ୍ୟସ୍ତ ଟ୍ରାଫିକ୍‌ ବ୍ୟବସ୍ଥା ହିଁ ଦାୟୀ ବୋଲି ଅଭିଯୋଗ ହେଉଛି। ପୂର୍ବ ଦୁଇ ଦିନ ଭଳି ଆଜି ବି ବିପର୍ଯ୍ୟସ୍ତ ଟ୍ରାଫିକ୍‌ ବ୍ୟବସ୍ଥା ପାଇଁ ପୂରା ରାଜଧାନୀ ଅଚଳ ହୋଇଯାଇଥିଲା।

ମହାଷ୍ଟମୀରେ ମା’ଙ୍କ ଦର୍ଶନ ପାଇଁ ଆଜି ଲକ୍ଷାଧିକ ଲୋକ ମଣ୍ଡପ ବୁଲିବାକୁ ଘରୁ ବାହାରି ଆସିଥିଲେ। କିନ୍ତୁ ମା’ଙ୍କୁ ଦେଖିବା ଦୂରର କଥା, ସଂଧ୍ୟା ୫ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ପ୍ରାୟ ୭ ଘଣ୍ଟା କାଳ ରାଜପଥରେ ଘଣ୍ଟା ଘଣ୍ଟା ଫସି ଗାଡ଼ି ଧୂଆଁ ଶୋଷି ଘରକୁ ଫେରିଛନ୍ତି।ରବି ଟକିଜ୍‌ ଛକରୁ ସାମନ୍ତରାପୁର, କଳ୍ପନାରୁ ଲକ୍ଷ୍ମୀସାଗର, ରସୁଲଗଡ଼ରୁ ବମିଖାଲ, ରସୁଲଗଡ଼ ଛକରୁ ବରମୁଣ୍ଡା, ବାଣୀବିହାରରୁ ରାଜମହଲ, ନନ୍ଦନକାନନଠାରୁ ଜୟଦେବବିହାର, ଆଚାର୍ଯ୍ୟ ବିହାରରୁ କଳିଙ୍ଗ ହସ୍ପିଟାଲ୍‌ ଟ୍ରାଫିକ୍‌ ଛକ, ସିଆର୍‌ପିରୁ ରାଜଭବନ; ସବୁଠି ମାଳମାଳ ଗାଡ଼ି ରାସ୍ତା ଉପରେ ଅଟକି ରହିଥିଲା। ସେହିପରି ପୂଜା ମଣ୍ଡପ ନିକଟରେ ଗାଡ଼ି ପାର୍କିଂ ନେଇ ସ୍ବତନ୍ତ୍ର ଧ୍ୟାନ ଦିଆଯାଇନଥିବାରୁ ଯିଏ ଯେଉଁଠି ପାରିଲେ ଗାଡ଼ି ପାର୍କିଂ କରିଥିଲେ। ଏପରିକି ରାସ୍ତା ଅଧଯାଏ ଗାଡ଼ି ପାର୍କିଂ କରାଯାଇଥିବା ଦେଖିବାକୁ ମିଳିଥିଲା। କଳ୍ପନାରୁ ଶିଶୁଭବନ ଛକ, କଳ୍ପନାରୁ ଏଜି ଛକ,ଏଜିଛକରୁ ଏୟାର୍‌ପୋର୍ଟ ରାସ୍ତା ଜାମ୍‌ ରହିଥିବାରୁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ଆମ୍ବୁଲାନ୍ସ ଯିବାରେ ସମସ୍ୟା ସୃଷ୍ଟି ହୋଇଥିଲା।

ରସୁଲଗଡ଼ଠାରୁ ବରମୁଣ୍ଡା ରାସ୍ତାର ଫ୍ଲାଏଓଭର ବ୍ରିଜ୍‌ ଉପରେ ଓ ତଳ ରାସ୍ତାରେ ମଧ୍ୟ ଏକାଧିକ ଆମ୍ବୁଲାନ୍‌ସ ଫସି ରହିଥିଲା। ସାଇରନ୍‌ ବାଜିଲେ ମଧ୍ୟ ଭିଡ଼ରେ ଆମ୍ବୁଲାନ୍ସକୁ ବାଟ ମିଳି ନଥିଲା।ଟ୍ରାଫିକ୍‌ ପରିଚାଳନା ପାଇଁ କମିସନରେଟ୍‌ ପୁଲିସ ପ୍ରସ୍ତୁତ କରିଥିବା ରୋଡ୍‌ ମ୍ୟାପ୍‌ ଗତ ଦୁଇ ଦିନ ଭଳି ଆଜି ବି ଫେଲ୍‌ ମାରିଥିଲା। ଆଜିର ଭିଡ଼ ଏତେ ଥିଲା ଯେ ଦାୟିତ୍ବରେ ଥିବା ଅଧିକାରୀମାନେ ବି ହାତ ଟେକି ଦେଇଥିଲେ। ଅଧିକାଂଶ ସ୍ଥାନରେ ପୁଲିସ ଉପସ୍ଥିତ ଥିଲେ ହେଁ କିଛି ବି କରି ପାରିନଥିଲା। ତେବେ ଲଗାତାର ଭାବେ ସଂଧ୍ୟା ସମୟରେ ପ୍ରବଳ ଭିଡ଼ ହୋଇଥିଲେ ହେଁ ଏନେଇ କମିସନରେଟ୍‌ ପୁଲିସ ପକ୍ଷରୁ ‌ସେଭଳି ସ୍ବତନ୍ତ୍ର ବ୍ୟବସ୍ଥା କାହିଁକି ଗ୍ରହଣ କରାଯାଉନାହିଁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

Comments are closed.