ବାଲେଶ୍ୱରରେ ମହିଳା ସୁରକ୍ଷାର ସ୍ଥିତି ବେଶ୍  ଉଦ୍‌ବେଗଜନକ

•ତିନି ବର୍ଷରେ ୧,୮୪୭ ଅପହରଣ ମାମଲା; ୨୦୨୬ର ୯ ମାସରେ ୬୭୧

0
ବାଲେଶ୍ୱର, ନଭେମ୍ବର ୨୬ (କୃଷ୍ଣ କୁମାର ମହାନ୍ତି): ମହିଳାଙ୍କ ସୁରକ୍ଷା ପାଇଁ ସରକାର ବିଭିନ୍ନ ଯୋଜନା ଓ ପଦକ୍ଷେପ ଘୋଷଣା କରୁଥିବାବେଳେ ବାଲେଶ୍ୱର ଜିଲ୍ଲାରେ ମହିଳାଙ୍କ ପ୍ରତି ଅପରାଧର ପରିସଂଖ୍ୟାନ ଚିନ୍ତାଜନକ ସ୍ଥିତିକୁ ଉଜାଗର କରିଛି। ଅପହରଣ, ଦୁଷ୍କର୍ମ, ଯୌତୁକ ନିର୍ଯାତନା, ଯୌନ ଉତ୍ପୀଡ଼ନ ଓ ମାନବ ଚାଲାଣ ଭଳି ଅପରାଧରେ ଜିଲ୍ଲାରେ ଗତ ତିନି ବର୍ଷ ମଧ୍ୟରେ ଶତାଧିକ ମାମଲା ରୁଜୁ ହୋଇଛି। ବିଶେଷକରି ମହିଳା ଅପହରଣ ମାମଲାର ସଂଖ୍ୟା ଚିନ୍ତାର କାରଣ ପାଲଟିଛି।
ବିଧାନସଭାର ଅଣତାରକା ପ୍ରଶ୍ନ ନଂ ୧୪୫୬ରେ ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ବାଲେଶ୍ୱର ଜିଲ୍ଲାର ଅପରାଧ ସମ୍ପର୍କିତ ବର୍ଷୱାରୀ ତଥ୍ୟ ରଖିଛନ୍ତି। ଏହି ତଥ୍ୟ ଅନୁଯାୟୀ, ୨୦୨୪ରୁ ୨୦୨୬ ସେପ୍ଟେମ୍ବର ସୁଦ୍ଧା ଜିଲ୍ଲାରେ ମୋଟ ୧,୮୪୭ଟି ମହିଳା ଅପହରଣ ମାମଲା ରୁଜୁ ହୋଇଛି।
୨୦୨୪ରେ ୫୩୩ଟି ଅପହରଣ ମାମଲା ରୁଜୁ ହୋଇଥିବାବେଳେ ୨୦୨୫ରେ ଏହି ସଂଖ୍ୟା ୬୪୩କୁ ବୃଦ୍ଧି ପାଇଥିଲା। ଆହୁରି ଉଦ୍‌ବେଗଜନକ ହେଉଛି, ୨୦୨୬ର ମାତ୍ର ନଅ ମାସ ଅର୍ଥାତ୍ ସେପ୍ଟେମ୍ବର ସୁଦ୍ଧା ୬୭୧ଟି ମାମଲା ରୁଜୁ ହୋଇଛି। ଏହି ତିନି ବର୍ଷରେ ମୋଟ ୯୫ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ତଥ୍ୟରେ ଦର୍ଶାଯାଇଛି।
ଦୁଷ୍କର୍ମ ମାମଲାରେ ମଧ୍ୟ ବୃଦ୍ଧି ଦେଖାଯାଇଛି। ୨୦୨୪ରେ ସାବାଳକ ଓ ନାବାଳିକାଙ୍କୁ ମିଶାଇ ୧୪୬ଟି ମାମଲା ରୁଜୁ ହୋଇଥିବାବେଳେ ୨୦୨୫ରେ ଏହା ୧୯୬କୁ ବୃଦ୍ଧି ପାଇଥିଲା। ୨୦୨୬ ସେପ୍ଟେମ୍ବର ସୁଦ୍ଧା ୮୨ଟି ମାମଲା ରୁଜୁ ହୋଇଛି। ଏହି ଅବଧିରେ ମୋଟ ୪୨୪ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବାବେଳେ ଯଥାକ୍ରମେ ୧୦୦, ୧୧୮ ଓ ୫୫ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।
ଯୌତୁକଜନିତ ନିର୍ଯାତନା ମାମଲାର ପରିସଂଖ୍ୟାନ ମଧ୍ୟ ଚିନ୍ତା ବଢ଼ାଇଛି। ୨୦୨୪ରେ ୩୪୧ଟି, ୨୦୨୫ରେ ୩୧୯ଟି ଏବଂ ୨୦୨୬ ସେପ୍ଟେମ୍ବର ସୁଦ୍ଧା ୨୫୭ଟି ମାମଲା ରୁଜୁ ହୋଇଛି। ତିନି ବର୍ଷରେ ମୋଟ ୯୧୭ଟି ମାମଲା ରୁଜୁ ହୋଇଥିବାବେଳେ ଗିରଫ ସଂଖ୍ୟା ଯଥାକ୍ରମେ ୩, ୮ ଓ ୫ ରହିଛି।
ଯୌତୁକ ବ୍ୟତୀତ ଅନ୍ୟାନ୍ୟ କାରଣରୁ ମହିଳାଙ୍କୁ ନିର୍ଯାତନା ଦେବା ସମ୍ପର୍କିତ ୪୭୨ଟି ମାମଲା ମଧ୍ୟ ଏହି ଅବଧିରେ ରୁଜୁ ହୋଇଛି। ଯୌତୁକଜନିତ ହତ୍ୟା ମାମଲା ୨୦୨୪ରେ ୧୩ଟି, ୨୦୨୫ରେ ୫ଟି ଓ ୨୦୨୬ ସେପ୍ଟେମ୍ବର ସୁଦ୍ଧା ୨ଟି ରୁଜୁ ହୋଇଛି। ତିନି ବର୍ଷରେ ଏଭଳି ମୋଟ ୨୦ଟି ମାମଲା ରୁଜୁ ହୋଇଥିବା ତଥ୍ୟରେ ଉଲ୍ଲେଖ ରହିଛି।
ଯୌନ ଉତ୍ପୀଡ଼ନ ଓ ଅସଦାଚରଣ ମାମଲାରେ ମଧ୍ୟ ଭିନ୍ନ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। ଯୌନ ଉତ୍ପୀଡ଼ନ ସମ୍ପର୍କିତ ୫୪ଟି ମାମଲାରେ ୧୬ ଜଣ ଗିରଫ ହୋଇଥିବାବେଳେ ମହିଳା ଓ ନାବାଳିକାଙ୍କ ପ୍ରତି ଅସଦାଚରଣ ମାମଲା ୨୦୨୪ରେ ୮ଟି, ୨୦୨୫ରେ ୧୧ଟି ଓ ୨୦୨୬ ସେପ୍ଟେମ୍ବର ସୁଦ୍ଧା ୧୫ଟିକୁ ବୃଦ୍ଧି ପାଇଛି। ଏହି ତିନି ବର୍ଷରେ ମୋଟ ୩୪ଟି ମାମଲା ରୁଜୁ ହୋଇଛି।
ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ପୋଷାକ ଜୋରଜବରଦସ୍ତି ଖୋଲିବା କିମ୍ବା ଖୋଲିବାକୁ ବାଧ୍ୟ କରିବା ଭଳି ଘଟଣାରେ ୨୦୨୪ରେ ୮୪ଟି, ୨୦୨୫ରେ ୧୩ଟି ଓ ୨୦୨୬ ସେପ୍ଟେମ୍ବର ସୁଦ୍ଧା ୫ଟି ମାମଲା ରୁଜୁ ହୋଇଛି। ମୋଟ ୧୦୨ଟି ମାମଲାରେ ୨୫ ଜଣ ଗିରଫ ହୋଇଛନ୍ତି। ମହିଳାଙ୍କୁ ଅନିଚ୍ଛା ସତ୍ତ୍ୱେ ବାରମ୍ବାର ପିଛା କରି ହଇରାଣ କରିବା ଘଟଣାରେ ୧୭ଟି ମାମଲା ରୁଜୁ ହୋଇ ୭ ଜଣ ଗିରଫ ହୋଇଛନ୍ତି। ସର୍ବସାଧାରଣ ସ୍ଥାନରେ ଅଶ୍ଳୀଳ ଇଙ୍ଗିତ ଓ ଅଶାଳୀନ ମନ୍ତବ୍ୟ ଦେବା ଘଟଣାରେ ୨୦୨୪ରେ ୫ଟି ଓ ୨୦୨୫ରେ ୨ଟି ମାମଲା ରୁଜୁ ହୋଇଛି।
ମାନବ ଚାଲାଣ ଘଟଣାରେ ୨୦୨୪ରେ ଗୋଟିଏ, ୨୦୨୫ରେ ୨ଟି ଓ ୨୦୨୬ ସେପ୍ଟେମ୍ବର ସୁଦ୍ଧା ଗୋଟିଏ ମାମଲା ରୁଜୁ ହୋଇଛି। ଏହି ଚାରିଟି ମାମଲାରେ ୧୫ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ଉଲ୍ଲେଖ ରହିଛି। ମହିଳାଙ୍କ ଗୋପନୀୟତା ଉଲ୍ଲଂଘନ ସମ୍ପର୍କିତ ମାମଲା ୨୦୨୪ରେ ଶୂନ ଥିବାବେଳେ ୨୦୨୫ରେ ୨ଟି ମାମଲା ରୁଜୁ ହୋଇ ଉଭୟ ଅଭିଯୁକ୍ତ ଗିରଫ ହୋଇଥିଲେ। ୨୦୨୬ ସେପ୍ଟେମ୍ବର ସୁଦ୍ଧା ଏଭଳି କୌଣସି ମାମଲା ରୁଜୁ ହୋଇନାହିଁ।
ମହିଳା ସୁରକ୍ଷା ସମ୍ପର୍କିତ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଥାନାଗୁଡ଼ିକରେ ମହିଳା ଓ ଶିଶୁ ସହାୟତା ଡେସ୍କ, ଜରୁରୀକାଳୀନ ସହାୟତା ନମ୍ବର ୧୧୨, ଏକକ ସହାୟତା କେନ୍ଦ୍ର ‘ସଖୀ’, ୧୮୧ ହେଲ୍ପଲାଇନ୍ ଏବଂ ମହିଳା ଓ ଶିଶୁଙ୍କ ପ୍ରତି ଅପରାଧର ତଦନ୍ତ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ପୀଡ଼ିତାଙ୍କୁ ଚିକିତ୍ସା, ଆଇନଗତ ସହାୟତା, ମାନସିକ ପରାମର୍ଶ, ଅସ୍ଥାୟୀ ଆଶ୍ରୟ ଓ କ୍ଷତିପୂରଣ ଦିଆଯାଉଥିବା ସରକାର ଉଲ୍ଲେଖ କରିଛନ୍ତି।
ତେବେ ବାଲେଶ୍ୱର ଜିଲ୍ଲା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା, ଲକ୍ଷ୍ୟ ଓ ଅଗ୍ରଗତି ସହିତ କୌଣସି ପୃଥକ୍ ଜିଲ୍ଲାଭିତ୍ତିକ କାର୍ଯ୍ୟଯୋଜନାର ବିବରଣୀ ଉତ୍ତରରେ ଦିଆଯାଇନାହିଁ। ଫଳରେ ମହିଳାଙ୍କ ପ୍ରତି ଅପରାଧ ରୋକିବା, ଅଭିଯୁକ୍ତଙ୍କୁ ଦଣ୍ଡିତ କରିବା ଓ ପୀଡ଼ିତାଙ୍କ ପୁନର୍ବାସ ସୁନିଶ୍ଚିତ କରିବା ଦିଗରେ ସରକାରୀ ପଦକ୍ଷେପର ପ୍ରକୃତ ଅଗ୍ରଗତି ଓ ଫଳାଫଳ କେତେ, ତାହା ନେଇ ପ୍ରଶ୍ନ ଉଠିଛି।
Leave A Reply

Your email address will not be published.