ବାଲେଶ୍ୱରରେ ଅବକାରୀ ବିଭାଗର ଦୁଇଟି ସ୍ଥାନରେ ଚଢ଼ାଉ : ୪୮ କେଜି ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

• ଗଞ୍ଜାମ, ଯାଜପୁର ଓ ପଶ୍ଚିମବଙ୍ଗର ଅଭିଯୁକ୍ତ ଧରାପଡ଼ିଲେ; ଜବତ ଗଞ୍ଜେଇର ମୂଲ୍ୟ ୪.୮୦ ଲକ୍ଷ ଟଙ୍କା

0

ବାଲେଶ୍ୱର, ନଭେମ୍ବର ୨୬ (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାରେ ଗଞ୍ଜେଇ ଚୋରାଚାଲାଣ ଉପରେ ଅବକାରୀ ବିଭାଗର କଡ଼ା ନଜର ରହିଥିବାବେଳେ ବୁଧବାର ଦୁଇଟି ପୃଥକ୍ ସ୍ଥାନରେ ଚଢ଼ାଉ କରି ମୋଟ ୪୮ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ତିନିଜଣ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ ଲକ୍ଷ ୮୦ ହଜାର ଟଙ୍କା ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।

ପ୍ରଥମ ଘଟଣାରେ ବୁଧବାର ସକାଳ ପ୍ରାୟ ୮ଟା ସମୟରେ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ସହଦେବଖୁଣ୍ଟା ବସ୍‌ଷ୍ଟାଣ୍ଡ ନିକଟରେ ଅବକାରୀ ବିଭାଗର ସଦର ରେଞ୍ଜ ଟିମ୍‌ ଚଢ଼ାଉ କରିଥିଲା। ଏହି ସମୟରେ ୨୩ କେଜି ଗଞ୍ଜେଇ ଜବତ କରିବା ସହ ଗଞ୍ଜାମ ଜିଲ୍ଲା ନେହେରୁପଲ୍ଲୀ ଅଞ୍ଚଳର ଗୋପାଳ ରାଉଳଙ୍କୁ ଗିରଫ କରାଯାଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷ ୩୦ ହଜାର ଟଙ୍କା ଆକଳନ କରାଯାଇଛି।

ଏହି ଚଢ଼ାଉରେ ଅବକାରୀ ବିଭାଗର ଡେପୁଟି ସୁପରିଟେଣ୍ଡେଣ୍ଟ ସ୍ୱପ୍ନାରାଣୀ ସାହୁ, ବାଲେଶ୍ୱର-୨ ଅବକାରୀ ଷ୍ଟେସନ୍‌ର ଓଆଇସି ଚନ୍ଦନ ନାୟକ, ଏଏସ୍‌ଆଇ ଅନିକ କୁମାର ସାଠୁଆ, ଅବକାରୀ କନଷ୍ଟେବଳ ପଙ୍କଜ ମହାନ୍ତି ଓ ଶେଖ୍‌ କଲିମ୍‌ ସାମିଲ ଥିଲେ। ଏନେଇ ସଦର ରେଞ୍ଜରେ ଏକ ମାମଲା ରୁଜୁ ହୋଇଥିବାବେଳେ ଡେପୁଟି ସୁପରିଟେଣ୍ଡେଣ୍ଟ ସ୍ୱପ୍ନାରାଣୀ ସାହୁ ତଦନ୍ତ ଦାୟିତ୍ୱ ନେଇଛନ୍ତି।

ସେହିପରି ଦ୍ୱିତୀୟ ଘଟଣାରେ ସକାଳ ପ୍ରାୟ ୧୦ଟା ୩୦ ମିନିଟ୍‌ ସମୟରେ ଖନ୍ତାପଡ଼ା ଥାନା ଅନ୍ତର୍ଗତ ସେରଗଡ଼ ଛକରେ ବାଲେଶ୍ୱର ମୋବାଇଲ୍‌ ଅବକାରୀ ୟୁନିଟ୍‌ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏଠାରୁ ୨୫ କେଜି ଗଞ୍ଜେଇ ଜବତ କରିବା ସହ ଯାଜପୁର ଜିଲ୍ଲା ଛତିଆର ଅନନ୍ତ ସେଠୀ ଓ ପଶ୍ଚିମବଙ୍ଗର ଅନିଚ୍‌ ଶେଖ୍‌ଙ୍କୁ ଗିରଫ କରାଯାଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷ ୫୦ ହଜାର ଟଙ୍କା।

ଏହି ଚଢ଼ାଉରେ ମୋବାଇଲ୍‌ ୟୁନିଟ୍‌ର ଏସ୍‌ଆଇ ଆଲିଭା ମାଝୀ, ଏସ୍‌ଆଇ ଶିବଶଙ୍କର ସିଂହ, ଏଏସ୍‌ଆଇ ଲମ୍ବୋଦର ମହାନ୍ତ ଓ ଅବକାରୀ କନଷ୍ଟେବଳ ସୁବ୍ରତକାନ୍ତ ବେହେରା ସାମିଲ ଥିଲେ। ଏନେଇ ବାଲେଶ୍ୱର ଅବକାରୀ ମୋବାଇଲ୍‌ ୟୁନିଟ୍‌ ପକ୍ଷରୁ ମଧ୍ୟ ଏକ ମାମଲା ରୁଜୁ ହୋଇଛି। ଏହାର ତଦନ୍ତ ଭାର ଏସ୍‌ଆଇ ଆଲିଭା ମାଝୀଙ୍କୁ ଦିଆଯାଇଛି।

ଗୋଟିଏ ଦିନରେ ଦୁଇଟି ସ୍ଥାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହେବା ଜିଲ୍ଲାରେ ଚାଲିଥିବା ନିଶାଦ୍ରବ୍ୟ ଚୋରାଚାଲାଣ ଉପରେ ଅବକାରୀ ବିଭାଗର ନଜର ଓ ତତ୍ପରତାକୁ ପ୍ରତିଫଳିତ କରିଛି। ଗଞ୍ଜାମ, ଯାଜପୁର ଓ ପଶ୍ଚିମବଙ୍ଗ ସହ ଜଡ଼ିତ ଅଭିଯୁକ୍ତଙ୍କ ଗିରଫ ପରେ ଏହି ଚାଲାଣର ଉତ୍ସ, ଗନ୍ତବ୍ୟସ୍ଥଳ ଓ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.