ବାଲେଶ୍ୱର, ନଭେମ୍ବର ୨୬ (କୃଷ୍ଣ କୁମାର ମହାନ୍ତି): ମହିଳାମାନଙ୍କ ସୁରକ୍ଷା, ମର୍ଯ୍ୟାଦା ଓ ସଶକ୍ତିକରଣ ସୁନିଶ୍ଚିତ କରିବା ସହ ମହିଳାଙ୍କ ବିରୋଧରେ ଲିଙ୍ଗଭିତ୍ତିକ ହିଂସାର ପ୍ରତିରୋଧ ଓ ନିରାକରଣ ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ ମହିଳା କମିଶନ ଏବଂ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ ଦିବସୀୟ ଜିଲ୍ଲାସ୍ତରୀୟ ସଚେତନତା ଓ ତାଲିମ ଶିବିର ଆୟୋଜିତ ହୋଇଯାଇଛି। ବାଲେଶ୍ୱର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ।
ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଜ୍ୟୋସ୍ନା ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ ଶିବିରକୁ ଓଡ଼ିଶା ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଶୋଭନା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ, ଜିଲ୍ଲା ପରିଷଦର ଅତିରିକ୍ତ ପ୍ରକଳ୍ପ ଅଧିକାରୀ ଡକ୍ଟର ମଧୁସ୍ମିତା ସାମନ୍ତରାୟ, ମୁଖ୍ୟ ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ଅନିତା ନାୟକ, ଉପ-ଆରକ୍ଷୀ ଅଧୀକ୍ଷକ ନିର୍ମଳା ଗଚ୍ଛାୟତ, ଅତିରିକ୍ତ ଚିକିତ୍ସାଧିକାରୀ ଡକ୍ଟର ସୂର୍ଯ୍ୟ କୁମାର ରାଉତରାୟ, ଜିଲ୍ଲା ନ୍ୟାୟିକ ଅଧିକାରୀ ବିଶ୍ୱନାଥ ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଖୁସିରାମ ଗହିର ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବୁଢ଼ାନ ହେମ୍ବ୍ରମ ପ୍ରମୁଖ ମଞ୍ଚାସୀନ ହୋଇଥିଲେ।
ବକ୍ତାମାନେ ମହିଳାଙ୍କ ପ୍ରତି ହିଂସା ଓ ଭେଦଭାବ ଦୂର କରିବା, ସେମାନଙ୍କ ଅଧିକାର ସମ୍ପର୍କରେ ଜନସଚେତନତା ବୃଦ୍ଧି କରିବା ଏବଂ ନ୍ୟାୟ ଓ ସୁରକ୍ଷା ପ୍ରଦାନ ଦିଗରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଓ ସହଯୋଗ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ମହିଳାମାନଙ୍କ ପାଇଁ ଏକ ସୁରକ୍ଷିତ, ସମ୍ମାନଜନକ ଓ ହିଂସାମୁକ୍ତ ସମାଜ ଗଠନ ନିମନ୍ତେ ସମସ୍ତଙ୍କ ସକ୍ରିୟ ସହଯୋଗ ଓ ସାମୂହିକ ଦାୟିତ୍ୱବୋଧ ଅତ୍ୟନ୍ତ ଆବଶ୍ୟକ ବୋଲି ସେମାନେ ମତ ପ୍ରକାଶ କରିଥିଲେ।
ଶିବିରରେ ଜିଲ୍ଲା ଚିକିତ୍ସାଧିକାରୀ ଡକ୍ଟର ସୂର୍ଯ୍ୟ କୁମାର ରାଉତରାୟ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ଉପ-ଅଧୀକ୍ଷକ ନିର୍ମଳା ଗଚ୍ଛାୟତ ସମ୍ବଳ ବିଶେଷଜ୍ଞ ଭାବେ ଯୋଗଦେଇଥିଲେ। ସେମାନେ ମହିଳାଙ୍କ ବିରୋଧରେ ଲିଙ୍ଗଭିତ୍ତିକ ହିଂସାର ବିଭିନ୍ନ ଦିଗ, ଏହାର ପ୍ରତିରୋଧ, ପୀଡ଼ିତାଙ୍କ ଆଇନଗତ ଅଧିକାର, ଉପଲବ୍ଧ ଆଇନଗତ ସହାୟତା ଏବଂ ପୋଲିସ ପ୍ରଶାସନର ଭୂମିକା ସମ୍ପର୍କରେ ଅଂଶଗ୍ରହଣକାରୀଙ୍କୁ ବିସ୍ତୃତ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ।
ଏହି ତାଲିମ ଶିବିରରେ ଜିଲ୍ଲା ସୁରକ୍ଷା ଅଧିକାରିଣୀ, ପ୍ରୋଗ୍ରାମ ଅଧିକାରିଣୀ, ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ଶିକ୍ଷକ-ଶିକ୍ଷିକା, ସୁପରଭାଇଜର, ୱାର୍ଡ କାଉନସିଲର, ସରପଞ୍ଚ, ସମିତି ସଭ୍ୟ, କିଶୋରୀ ବାଳିକା, ସମାଜ ମଙ୍ଗଳ କାର୍ଯ୍ୟାଳୟ ଓ ମହିଳା ସଶକ୍ତିକରଣ କାର୍ଯ୍ୟାଳୟର କର୍ମକର୍ତ୍ତା, ଏକକ ସମାଧାନ କେନ୍ଦ୍ର ଓ ଶକ୍ତି ସଦନର କର୍ମକର୍ତ୍ତା तथा ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ଯୋଗଦେଇଥିଲେ।
ଜିଲ୍ଲା ପ୍ରକଳ୍ପ ସଂଯୋଜକ (ମମତା) ବାମଦେବ ପାଣିଗ୍ରାହୀ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବାବେଳେ ମହିଳା ସଶକ୍ତିକରଣ କାର୍ଯ୍ୟାଳୟର ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ପାଲ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।