କେକେଏସ୍ ମହିଳା ମହାବିଦ୍ୟାଳୟ ପକ୍ଷରୁ ପାଳିତ ହେଲା ସମ୍ବିଧାନ ଦିବସ

•‘ମୋ ସମ୍ବିଧାନ : ମୋ ସ୍ୱାଭିମାନ’ ବିଷୟବସ୍ତୁକୁ ନେଇ ସଚେତନତା କାର୍ଯ୍ୟକ୍ରମ

0
ବାଲେଶ୍ୱର, ନଭେମ୍ବର ୨୬ (କୃଷ୍ଣ କୁମାର ମହାନ୍ତି): କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ‘ମୋ ସମ୍ବିଧାନ : ମୋ ସ୍ୱାଭିମାନ’ ବିଷୟବସ୍ତୁକୁ ଆଧାର କରି ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସମ୍ବିଧାନର ମହତ୍ତ୍ୱ, ମୌଳିକ ଅଧିକାର ଓ ନାଗରିକଙ୍କ କର୍ତ୍ତବ୍ୟ ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଝାନ୍ସୀ ଜେନା କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ସମ୍ବିଧାନ ଦିବସ ପାଳନର ମହତ୍ତ୍ୱ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଭାରତୀୟ ସମ୍ବିଧାନ ସମସ୍ତଙ୍କୁ ସମାନ ଭାବରେ ବଞ୍ଚିବାର ଅଧିକାର ପ୍ରଦାନ କରିଛି। ବିଶେଷକରି ନାରୀମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରି ସ୍ୱାଧୀନ ଓ ମୁକ୍ତ ଜୀବନଯାପନର ପଥ ଦେଖାଇବା ସହ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସେମାନଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟିରେ ସମ୍ବିଧାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ସମ୍ବିଧାନ ସମାଜର ଜାଗ୍ରତ ପ୍ରହରୀ ଭାବେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସ୍ୱାଧିକାର ସହ ବଞ୍ଚିବାର ସୁଯୋଗ ଦେଇଛି ବୋଲି ସେ ମତ ପ୍ରକାଶ କରିଥିଲେ।
ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ତଥା ରାଜନୀତି ବିଜ୍ଞାନ ବିଭାଗମୁଖ୍ୟ ଅଧ୍ୟାପକ ସଞ୍ଜୟ କୁମାର ସ ନିଜ ବକ୍ତବ୍ୟରେ କହିଥିଲେ ଯେ, ଭାରତୀୟମାନେ ମୌଳିକ ଅଧିକାର ସହ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ କରିବାରେ ସମ୍ବିଧାନ ମୁଖ୍ୟ ଭୂମିକା ଗ୍ରହଣ କରିଛି। ସମ୍ବିଧାନ ପ୍ରଣେତା ବାବାସାହେବ ଭୀମରାଓ ଆମ୍ବେଦକର ପତନମୁଖୀ ସମାଜକୁ ଉତ୍ଥାନମୁଖୀ କରିବାର ଦିଗ ଦେଖାଇଥିଲେ। ଏଥିସହ ସେ ସମ୍ବିଧାନର ବିଭିନ୍ନ ସୂଚୀ ଓ ଧାରା ସମ୍ପର୍କରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ।
ଆଇକ୍ୟୁଏସି ସଂଯୋଜକ ଡକ୍ଟର ନାରାୟଣ ସୁରଜିତ ବେହେରା ନିଜ ବକ୍ତବ୍ୟରେ ସ୍ୱେଚ୍ଛାଚାରିତାକୁ ପରିହାର କରି ସମ୍ବିଧାନର ପ୍ରତ୍ୟେକ ନୀତି, ନିୟମ ଓ ଅନୁଶାସନ ପାଳନ କରିବା ପ୍ରତ୍ୟେକ ଭାରତୀୟଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି କହିଥିଲେ।
ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ପ୍ରବନ୍ଧ ଲିଖନ ଓ କୁଇଜ୍ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରବନ୍ଧ ଲିଖନରେ ଜ୍ୟୋତିପ୍ରଭା ଗିରି, ଇଙ୍କିଣି ଇପ୍ସିତା ପରିଡ଼ା ଓ ଇତିଶ୍ରୀ ବେହେରା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ କୁଇଜ୍ ପ୍ରତିଯୋଗିତାରେ ସୁକନ୍ୟା ପ୍ରଧାନ, ସ୍ୱସ୍ତିମୟୀ ମିଶ୍ର ଓ ତପସ୍ୱିନୀ ଦାସ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ।
କାର୍ଯ୍ୟକ୍ରମରେ ଛାତ୍ରୀ ଭାଗ୍ୟଶ୍ରୀ ପାତ୍ର ପ୍ରବନ୍ଧ ପାଠ କରିଥିଲେ। ମହାବିଦ୍ୟାଳୟର ଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକାମାନେ ସମ୍ବିଧାନର ଶପଥ ଗ୍ରହଣ କରିଥିଲେ। ଅଧ୍ୟାପିକା ବନଲତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ରାଜନୀତି ବିଜ୍ଞାନ ବିଭାଗର ଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକାମାନେ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ।
Leave A Reply

Your email address will not be published.