ପାହାଡ଼ ଶିଖରରେ ପାଣି ପାଇଁ ହାହାକାର!

ଏକ କିଲୋମିଟର ପାହାଡ଼ ତଳକୁ ଯାଇ ପାଣି ଆଣୁଛନ୍ତି ଗ୍ରାମବାସୀ ।

0

ଗଜପତି,୨୩.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-:ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ। ପାଣି ଟୋପାଏ ପାଇଁ ଦୈନନ୍ଦିନ ଜୀବନରେ ଅକଥନୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ। ଏଭଳି ଏକ ଦୟନୀୟ ଚିତ୍ର ସାମ୍ନାକୁ ଆସିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ମୁନିସିଂ ପଞ୍ଚାୟତ ଅନ୍ତର୍ଗତ ଉପର ଖିଲିମୁଣ୍ଡା ଗ୍ରାମରୁ।ପାହାଡ଼ ଶିଖରରେ ଅବସ୍ଥିତ ଏହି ଗ୍ରାମରେ ପାନୀୟ ଜଳ ଏବେ ଏକ ବଡ଼ ସମସ୍ୟା ପାଲଟିଛି। ଗ୍ରାମରେ ଆବଶ୍ୟକୀୟ ପାଣିର ବ୍ୟବସ୍ଥା ନଥିବାରୁ ପିଇବା ପାଣି ସଂଗ୍ରହ କରିବା ପାଇଁ ଗ୍ରାମବାସୀଙ୍କୁ ପ୍ରାୟ ଏକ କିଲୋମିଟର ପାହାଡ଼ ତଳକୁ ଯିବାକୁ ପଡ଼ୁଛି। ସେଠାରୁ ପାଣି ସଂଗ୍ରହ କରି ପୁଣି ଘାଟି ରାସ୍ତା ଚଢ଼ି ଗ୍ରାମକୁ ଫେରିବାକୁ ପଡ଼ୁଛି। ଏହି କଷ୍ଟକର କାର୍ଯ୍ୟ ଦୈନନ୍ଦିନ ଜୀବନକୁ ଅତ୍ୟନ୍ତ ଦୁର୍ବିଷହ କରିଦେଇଛି।
ଗ୍ରାମବାସୀଙ୍କ ପାଣି ସମସ୍ୟା ଦୂର କରିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଏକ ସୌରଚାଳିତ ପାଣି ପମ୍ପ ସ୍ଥାପନ କରାଯାଇଛି। କିନ୍ତୁ ଏହି ବ୍ୟବସ୍ଥା ମଧ୍ୟ ଗ୍ରାମବାସୀଙ୍କ ପାଇଁ ସ୍ଥାୟୀ ସମାଧାନ ହୋଇପାରିନାହିଁ। କାରଣ ଅଧିକାଂଶ ସମୟରେ ମେଘୁଆ ଓ କୁହୁଡ଼ିଆ ପାଗ ରହୁଥିବାରୁ ସୌର ପ୍ୟାନେଲକୁ ଆବଶ୍ୟକ ସୂର୍ଯ୍ୟକିରଣ ମିଳୁନାହିଁ। ଫଳରେ ପମ୍ପ ଠିକ୍ ଭାବେ କାମ କରୁନଥିବା ଅଭିଯୋଗ ହୋଇଛି। ଯେଉଁ ଉଦ୍ଦେଶ୍ୟରେ ସୌରଚାଳିତ ପମ୍ପ ଲଗାଯାଇଥିଲା, ତାହାର ସୁଫଳ ଏବେ ଗ୍ରାମବାସୀ ପାଇପାରୁନାହାନ୍ତି।ସରକାର ଗ୍ରାମାଞ୍ଚଳର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ଉପର ଖିଲିମୁଣ୍ଡା ଗ୍ରାମର ବାସ୍ତବ ଚିତ୍ର କିନ୍ତୁ ଭିନ୍ନ କାହାଣୀ ବଖାଣୁଛି। କେବଳ ଏକ ସୌରଚାଳିତ ପମ୍ପ ସ୍ଥାପନ କରିଦେଲେ ଦାୟିତ୍ୱ ସରିଯାଏ ନାହିଁ। ପାଣି ଯୋଗାଣ ବ୍ୟବସ୍ଥା ନିରବଚ୍ଛିନ୍ନ ଓ ନିର୍ଭରଯୋଗ୍ୟ ହେବା ମଧ୍ୟ ଜରୁରୀ।
ତେଣୁ ଗ୍ରାମର ଭୌଗୋଳିକ ସ୍ଥିତି ଓ ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ସୌରଚାଳିତ ପମ୍ପର ବିକଳ୍ପ ଭାବେ ବିଦ୍ୟୁତ୍‌ଚାଳିତ ପମ୍ପ, ବ୍ୟାଟେରୀ ବ୍ୟାକଅପ୍ କିମ୍ବା ଉପଯୁକ୍ତ ଜଳ ସଂରକ୍ଷଣ ବ୍ୟବସ୍ଥା କରିବା ସହ ଗ୍ରାମରେ ନିରନ୍ତର ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ବିଜୟ ରଇତ,ଅସୁନ ଗମାଙ୍ଗ,ଏଲିୟ ରଇତ, ମାନସ ମଣ୍ଡଳ ଓ ବର୍ଣ୍ଣବା ରଇତ ସମେତ ଗ୍ରାମବାସୀ ଦାବି କରିଛନ୍ତି।

Leave A Reply

Your email address will not be published.