ଉତ୍କଳ କେଶରୀ ମହତାବଙ୍କ ଆଦର୍ଶ ଯୁବପିଢ଼ିଙ୍କ ପାଇଁ ଚିରନ୍ତନ ପ୍ରେରଣା

•ବାଲେଶ୍ୱରରେ ପାଳିତ ହେଲା ଜିଲ୍ଲାସ୍ତରୀୟ ଡକ୍ଟର ହରେକୃଷ୍ଣ ମହତାବ ଜୟନ୍ତୀ ସମାରୋହ

0
ବାଲେଶ୍ୱର, ୨୧/୧୧: (କୃଷ୍ଣ କୁମାର ମହାନ୍ତି): ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଅବସରରେ ଶନିବାର ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ଜୟନ୍ତୀ ସମାରୋହ ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଏହି ସମାରୋହ ଆୟୋଜିତ ହୋଇଥିଲା। ପ୍ରାରମ୍ଭରେ ଅତିଥିମାନେ ଡଃ ମହତାବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ସମାରୋହରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବାଲେଶ୍ୱର ବିଧାୟକ ମାନସ କୁମାର ଦତ୍ତ ଓ ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ ସମ୍ମାନିତ ଅତିଥି ଏବଂ ବରିଷ୍ଠ କବି ତଥା ସମାଜସେବୀ ପ୍ରଶାନ୍ତ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ ସଭାରେ ଅଧ୍ୟକ୍ଷତା କରିଥିଲେ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରବୋଧ କୁମାର ମଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସୁରୁଖୁରୁରେ ପରିଚାଳିତ ହୋଇଥିଲା। ସେ ସ୍ୱାଗତ ଭାଷଣ ଦେଇଥିବା ବେଳେ ବାଲେଶ୍ୱର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବୁଢ଼ାନ ହେମ୍ବ୍ରମ ଧନ୍ୟବାଦ ଅର୍ପଣ କରିଥିଲେ।
ବକ୍ତାମାନେ ଡଃ ମହତାବଙ୍କ ଅସାଧାରଣ ବ୍ୟକ୍ତିତ୍ୱ, ଦେଶପ୍ରେମ ଓ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଓଡ଼ିଶାର ରାଜନୈତିକ, ସାମାଜିକ, ସାହିତ୍ୟିକ ଓ ସାଂସ୍କୃତିକ କ୍ଷେତ୍ରରେ ତାଙ୍କର ଅବିସ୍ମରଣୀୟ ଭୂମିକା ସହ ରାଜ୍ୟର ବିକାଶ ପାଇଁ ତାଙ୍କର ଦୂରଦର୍ଶୀ ଚିନ୍ତାଧାରାକୁ ସ୍ମରଣ କରିଥିଲେ। ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀ ଓ ସମାଜସେବୀ ଶତ୍ରୁଘ୍ନ ମଲ୍ଲିକ ମଧ୍ୟ ଡଃ ମହତାବଙ୍କ ଜୀବନୀ, କୃତି ଓ ଓଡ଼ିଶା ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ନିଜ ମତ ଓ ଅନୁଭୂତି ବ୍ୟକ୍ତ କରିଥିଲେ। ତାଙ୍କର ଆଦର୍ଶ, ନୀତିନିଷ୍ଠା, ତ୍ୟାଗ ଓ ଜନସେବାର ମନୋଭାବ ଆଜିର ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ବକ୍ତାମାନେ ମତ ଦେଇଥିଲେ।
ଏହି ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମଞ୍ଚାସୀନ ଅତିଥିମାନେ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ।
ସମାରୋହରେ ବିଭିନ୍ନ ଜିଲ୍ଲାସ୍ତରୀୟ ବିଭାଗର ଅଧିକାରୀ ଓ କର୍ମଚାରୀ, ସମାଜସେବୀ, ସାମ୍ବାଦିକ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
Leave A Reply

Your email address will not be published.