ଭୁବନେଶ୍ବର: ଆସନ୍ତା 15 ତାରିଖ ରବିବାର ଦିନ ଭୁବନେଶ୍ବରରେ ହେବ ସର୍ବଭାରତୀୟ ଆଦିବାସୀ ଲେଖକ ସମ୍ମିଳନୀ। ଏହି ସମ୍ମିଳନୀ ଦୁଇ ଦିନ ଧରି ରବିନ୍ଦ୍ର ମଣ୍ଡପରେ ଆୟୋଜିତ ହେବ। ଏଥିରେ ଦେଶର 20 ଟି ରାଜ୍ୟର ଆଦିବାସୀ ଲେଖକମାନେ ଯୋଗ ଦେବେ। ନଭେମ୍ବର 15 ତାରିଖ ବିର୍ସାମୁଣ୍ଡାଙ୍କ ଜନ୍ମ ଜୟନ୍ତି ଉପଲକ୍ଷେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ପ୍ରଥମ ଦିନ କାର୍ଯ୍ୟକ୍ରମକୁ ଓଡିଶାର ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ ଦିନ 10ଟା ବେଳକୁ ଉଦଘାନ କରିବେ। ଏଥିସହିତ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାହିତ୍ୟ ଏକାଡେମୀର ସଂପାଦକ ଶ୍ରୀ ବରୁନ ଗୁଲାଟି, ପ୍ରଖ୍ୟାତ ଆଦିବାସୀ ଲେଖକ ଶ୍ରୀ ଶିବରାମକ୍ରିଷ୍ଣା ଏବଂ ଲେଖକ ଗୌରହରି ଦାସ ଉପସ୍ଥିତ ରହିବେ।
ଉଦଘାଟନ ଅଧିବେଶନ ପରେ ଆରମ୍ଭ ହେବ ଆଲୋଚନା ଚକ୍ର। ଏଥିରେ ‘ଆଦିବାସୀ ଭାଷା ସଂରକ୍ଷଣ’ ଉପରେ ଆଲୋଚନା କରାଯିବ। ଏହି ଅଧିବେଶନ ପରେ ବିଭିନ୍ନ ଭାଷାର କ୍ଷୁଦ୍ରଗଳ୍ପ ପଠନ କରାଯିବ। ସେହିପରି ଅପରାହ୍ନ ଅଧିବେସନରେ କବିତା ପାଠ ଉତ୍ସବର ଆୟୋଜନ କରାଯାଇଛି। ଏଥିରେ ବିଭିନ୍ନ ରାଜ୍ୟରୁ ଆସିଥିବା ଆଦିବାସୀ କବି କବିତାପାଠ କରିବେ।
ସେହିପରି ଦ୍ବିତୀୟ ଦିନରେ ‘ଆଦିବାସୀ ସାହିତ୍ୟ- ସବୁ ଉତ୍ସର ମୂଳ’ ନାମିତ ଆଲୋଚନା ଚକ୍ର କରାଯିବ। ଏଥିରେ ଦମୟନ୍ତି ବିସ୍ରା, ମାନି ମିତାଇ, ଏସ ନାଗା ମାଲେଶ୍ବର ରାଓ ଏବଂ ଜିତେନ୍ଦ୍ର ବାସଭା ଆଲୋଚନା କରିବେ। ଏହାପରେ ବିଭିନ୍ନ ଭାଷାର କ୍ଷୁଦ୍ରଗଳ୍ପ ଏବଂ କବିତା ପାଠ ଉତ୍ସବର ଆୟୋଜନ କରାଯାଇଛି। ଅପରାହ୍ନରେ ଉଦଜାପନ ଉତ୍ସବ କରାଯିବ। ଓଡିଶା ସାହିତ୍ୟ ଏକାଡେମୀ ସହଯୋଗରେ ଆୟୋଜିତ ଏହି ସମ୍ମିଳନୀରେ କେନ୍ଦ୍ର ସାହିତ୍ୟ ଏକାଡେମୀର ବିଭିନ୍ନ ପୁସ୍ତକ ପ୍ରଦର୍ଶନୀ କରାଯିବ।