ରାୟଗଡ଼ ଜିଲ୍ଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ–୨୦୨୬ ପାଳିତ

ରାୟଗଡ଼, ୩୧/୧୦/୨୦୨୬: ଦୁର୍ନୀତିମୁକ୍ତ ସମାଜ ଗଠନ, ସ୍ୱଚ୍ଛତା, ସଚ୍ଚୋଟତା ଓ ପ୍ରଶାସନିକ କାର୍ଯ୍ୟରେ ନୈତିକତାର ଗୁରୁତ୍ୱ ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ରାୟଗଡ଼ ଜିଲ୍ଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ–୨୦୨୬ ପାଳନ ଅବସରରେ ଆଜି ଜିଲ୍ଲାସ୍ତରୀୟ ସଚେତନତା ରାଲି ଓ ସଭା ଆୟୋଜିତ ହୋଇଥିଲା।

ଏହି ଅବସରରେ ସକାଳ ୮ଟାରେ ଗଜପତି ଛକଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ରାଲି ଆୟୋଜନ କରାଯାଇଥିଲା। ପରେ ନୂତନ ସମ୍ମିଳନୀ କକ୍ଷ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ରାୟଗଡ଼ଠାରେ ଜିଲ୍ଲାସ୍ତରୀୟ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।

ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ ଏବଂ ନିଜ ବକ୍ତବ୍ୟରେ ସେ କହିଥିଲେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଆମକୁ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଚେତନ ହେବା ସହିତ ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ସଂକଳ୍ପବଦ୍ଧ ହେବାର ସୁଯୋଗ ପ୍ରଦାନ କରେ। ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସ୍ୱଚ୍ଛତା ଓ ଜନସାଧାରଣଙ୍କ ପ୍ରତି ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ସହ ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ସର୍ବଦା ନୈତିକତା ଓ ସଚ୍ଚୋଟତାର ସହିତ ନିଜ କର୍ତ୍ତବ୍ୟ ସମ୍ପାଦନ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ।

ସଭାରେ ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ଶ୍ରୀ ଦୁଷ୍ମନ୍ତ କୁମାର ମହାନ୍ତି ଯୋଗଦେଇ ଦୁର୍ନୀତି ନିବାରଣ, ସାଧାରଣ ଜୀବନରେ ସଚ୍ଚୋଟତା, ନୈତିକ ମୂଲ୍ୟବୋଧ ଓ ଦାୟିତ୍ୱବୋଧ ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିଲେ। ଅନ୍ୟତମ ସମ୍ମାନିତ ବକ୍ତା ସଭାପତି ଓକିଲ ସଂଘ ଶ୍ରୀ ବ୍ରଜସୁନ୍ଦର ନାୟକ ଓ ସରକାରୀ ଓକିଲ ଶ୍ରୀ ପଦ୍ମନାଭ ଦାସ ମଧ୍ୟ ଦୁର୍ନୀତିର କୁପରିଣାମ ଏବଂ ଏହାର ନିରାକରଣରେ ପ୍ରତ୍ୟେକ ନାଗରିକଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜ ପ୍ରସାଦ, ସ୍ୱତନ୍ତ୍ର ଉର୍ଣ୍ଣୟନ ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ମିଣିଆକା, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରବୀନ୍ଦ୍ରନାଥ କହଁର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ରାୟଗଡ଼ ବିଡିଓ ଶ୍ରୀ ସୁଜିତ କୁମାର ମିଶ୍ର, ଭିଜିଲାନ୍ସ ଡିଏସ୍‌ପି ଶ୍ରୀମତୀ ସୂର୍ଯ୍ୟକାନ୍ତି ଟାକ୍ରୀ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ବୃନ୍ଦ,ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ଅତିଥିବୃନ୍ଦ ଉପସ୍ଥିତ ଥିଲେ।

ସଭାରେ ବକ୍ତାମାନେ ଦୁର୍ନୀତି ବିରୋଧରେ ସାମୂହିକ ସଂକଳ୍ପ ନେବା ସହିତ ସମାଜର ପ୍ରତ୍ୟେକ ସ୍ତରରେ ସ୍ୱଚ୍ଛତା ଓ ସଚ୍ଚୋଟତାର ମୂଲ୍ୟବୋଧକୁ ପ୍ରତିଷ୍ଠା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

Comments are closed.